କନକ ବ୍ୟୁରୋ : ହାତୀ ଧାନ ଖାଇଦେଲେ ବୋଲି ବନ କର୍ମଚାରୀଙ୍କ ଉପରେ ରାଗ ଶୁଝାଇଲେ ଚାଷୀ । ହାତୀ ଘଉଡ଼ାଇବା ପାଇଁ ଯାଇଥିବା ଦୁଇଜଣ ବନ କର୍ମଚାରୀଙ୍କୁ କ୍ଷତିଗ୍ରସ୍ତ ଚାଷୀ ଗୋଟିଏ ଘରେ ପୂରାଇ ତାଲା ଠୁଙ୍କି ଦେଇଥିଲେ । ୯ ଘଣ୍ଟା ପରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ ଥାଲବନ୍ଧ ଗାଁରେ ଘଟିଥିବା ଏହି ଘଟଣାକୁ ନେଇ ସୋମବାର ତୁଷରା ଥାନାରେ ଏତଲା ଦିଆଯାଇଛି ।
ସୂଚନା ଅନୁସାରେ ବଲାଙ୍ଗୀର ରେଞ୍ଜ ଆଠଗା ଫରେଷ୍ଟରଙ୍କ ଅଧୀନରେ ଥିବା ମକୁନ୍ଦପୁର ପଞ୍ଚାୟତ ଥାଲବନ୍ଧ ଗାଁର ଚାଷୀ ଧୁବା ପଟେଲଙ୍କ ଫସଲ ହାତୀମାନେ ନଷ୍ଟ କରିଦେଉଛନ୍ତି ବୋଲି ସେ ବନ ବିଭାଗକୁ ଖବର ଦେଇଥିଲେ । ଏହା ଦେଖିବାକୁ ଦୁଇଜଣ କର୍ମଚାରୀ କମଳଲୋଚନ ମହାପାତ୍ର ଓ ପଦ୍ମଲୋଚନ ନାୟକ ଆସିଥିଲେ । ହେଲେ କ୍ଷେତରେ ଥିବା ଫାର୍ମହାଉସରେ ଉକ୍ତ ଦୁଇ କର୍ମଚାରୀଙ୍କୁ ସକାଳ ୫ଟାରୁ ଦିନ ଦେଢ଼ଟା ପର୍ଯ୍ୟନ୍ତ ତାଲା ପକାଇ ବନ୍ଦୀ କରିଦେଇଥିଲେ । ୯ ଘଣ୍ଟା ପରେ ତାଙ୍କୁ ବନ୍ଦ କୋଠରିରୁ ଦେଓଗାଁ, ସଇନ୍ତଳା, ବଲାଙ୍ଗୀର ରେଞ୍ଜର୍ ଓ ତୁଷୁରା ଥାନା ଅଧିକାରୀ ଉଦ୍ଧାର କରିଥିଲେ ।
ଏନେଇ ବଲାଙ୍ଗୀର ରେଞ୍ଜର୍ ବିଜୟ ଖୁଣ୍ଟିଆଙ୍କୁ ପଚାରିବାରୁ ଉଭୟ କର୍ମଚାରୀଙ୍କୁ ବନ୍ଦୀ କରି ରଖିଥିବାରୁ ଥାଲବନ୍ଧ ଗାଁର ଚାଷୀ ଧୁବା ପଟେଲ ଓ ତାଙ୍କ ଭାଇ ନରସିଂହ ପଟେଲଙ୍କ ବିରୋଧରେ ପୁଲିସରେ ଅଭିଯୋଗ ହୋଇଛି ବୋଲି ସେ କହିଥିଲେ। ପୁଲିସ ମଧ୍ୟ ଏହାର ତଦନ୍ତ ଆରମ୍ଭ କରିଛି ବୋଲି ଆଇଆଇସି ଯଶୋବନ୍ତ ପ୍ରଧାନୀ କହିଛନ୍ତି ।
from Kanak News https://ift.tt/2SmRNsG https://ift.tt/2SlTiHB
No comments: