ବିଫଳ ନୁହେଁ ଚନ୍ଦ୍ରଯାନ-୨ ମିଶନ : ୭ ବର୍ଷ ପାଇଁ କାର୍ଯ୍ୟକ୍ଷମ ରହିବ ଅର୍ବିଟର Kanak News

କନକ ବ୍ୟୁରୋ : ଚନ୍ଦ୍ରଯାନ ମିଶନ୍ -୨ ଭାରତ ପାଇଁ ନୂତନ ମାଇଲ ଖୁଣ୍ଟ । ଭାରତର ଚନ୍ଦ୍ରଯାନ ମିଶନ୍ ଫେଲ ମାରିଲା ସିନା, ଇସ୍ରୋର ଐତିହାସିକ ପ୍ରୟାସକୁ ସାରା ବିଶ୍ୱରେ ପ୍ରଶଂସା କରାଗଲା । କହିବାକୁ ଗଲେ ସମ୍ପୂର୍ଣ୍ଣ ବିଫଳ ନୁହେଁ ଚନ୍ଦ୍ରଯାନ ମିଶନ୍ । ଚନ୍ଦ୍ରଯାନ-୨ ର ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ମିଶନ୍ ବିଫଳ ହୋଇଥିବା କୁହାଯାଉଥିଲା । ଇସ୍ରୋ ବୈଜ୍ଞାନିକଙ୍କ ଠାରୁ ଆରମ୍ଭ କରି ଦେଶବାସୀ ନିରାଶ ହୋଇଯାଇଥିଲେ । କିନ୍ତୁ ଇସ୍ରୋର ଜଣେ ବୈଜ୍ଞାନିକ କହିଥିଲେ, ମିଶନର କେବଳ ୫ ପ୍ରତିଶତ ଫେଲ ହୋଇଛି । କାରଣ ୯୮୭ କୋଟି ଟଙ୍କା ମିଶନ୍ ଚନ୍ଦ୍ରଯାନ-୨ର ସବୁଠାରୁ ବଡ ଭାଗ ଅର୍ଥାତ୍ ଅର୍ବିଟର ଏବେ ବି ଚନ୍ଦ୍ରକୁ ପ୍ରଦକ୍ଷିଣ କରୁଛି । ତେଣୁ ମିଶନର ୯୫ ପ୍ରତିଶତ ସଫଳ ହୋଇଛି ବୋଲି କୁହାଯାଇ ପାରିବ ।

ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଚନ୍ଦ୍ରଯାନ-୨ ସହ ଚନ୍ଦ୍ରକୁ ପଠା ଯାଇଥିବା ଅର୍ବିଟର ବର୍ଷକ ପାଇଁ ନୁହେଁ ବରଂ ୭ ବର୍ଷ ପାଇଁ କାର୍ଯ୍ୟକ୍ଷମ ରହବା ସହ ଚନ୍ଦ୍ରଯାନ-୨ ମିଶନ ମଧ୍ୟ ୭ ବର୍ଷ ପାଇଁ କାର୍ଯ୍ୟକ୍ଷମ ରହିବ । ଏ ସଂପର୍କରେ ଆଜି ଇସ୍ରୋ ପକ୍ଷରୁ ସେପ୍ଟେମ୍ବର ୧୧ରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା । ତେଣୁ, ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମ ଅବତରଣ କରିବାକୁ ଥିବା ବିକ୍ରମ ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହେବାପରେ ଭାରତର ଚନ୍ଦ୍ରଯାନ ଅଭିଯାନ ବିଫଳ ହେଲା ବୋଲି ଯାହା ଆଲୋଚନା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା ।

ଇସ୍ରୋ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଥିଲା, ଜୁଲାଇ ୨୨ ତାରଖରେ ଯେତେବେଳେ ଚନ୍ଦ୍ରଯାନ-୨କୁ ଉତ୍କ୍ଷେପଣ କରାଗଲା ସେତେବେଳେ ଅର୍ବିଟରରେ ୧୬୯୭ କିଲୋର ଇନ୍ଧନ ରହିଥିଲା। ଇସ୍ରୋର ବୈଜ୍ଞାନିକମାନେ ଆକଳନ କରୁଥିଲେ ଯେ ଅର୍ବିଟର ଚନ୍ଦ୍ର କକ୍ଷରେ ପହଞ୍ଚିବା ପରେ ସେଥିରେ ଆଉ ଯେତେ ମାତ୍ରାର ଇନ୍ଧନ ବଳକା ରହିଥିବ ସେଥିରେ ଅର୍ବିଟର ଚନ୍ଦ୍ର କକ୍ଷରେ ଆଉ ଏକ ବର୍ଷ ପାଇଁ କାର୍ୟ୍ୟକ୍ଷମ ରହିପାରିବ । ହେଲେ, ଅର୍ବିଟରରୁ ଇସ୍ରୋକୁ ମିଳିଥିବା ସୂଚନାରୁ ଜଣାପଡ଼ିଥିଲା, ଅର୍ବିଟର ମଧ୍ୟରେ ଆହୁରି ୫୦୦ କିଲୋର ଇନ୍ଧନ ମହଜୁଦ୍ ଅଛି । ଯାହାକି ଅର୍ବିଟରକୁ ଆହୁରି ୭ ବର୍ଷ ପାଇଁ ଚନ୍ଦ୍ର କକ୍ଷରେ କାର୍ଯ୍ୟକ୍ଷମ ରଖିପାରିବ।

ଏଥିସହ ଅର୍ବିଟର ଖାଲି ୭ ବର୍ଷ ପାଇଁ କାର୍ୟ୍ୟକ୍ଷମ ରହିବ ନାହିଁ; ଏହି ସମୟ ମଧ୍ୟରେ ସେ ଚନ୍ଦ୍ର ଚାରିପଟେ ବୁଲିବୁଲି ବିଭିନ୍ନ ତଥ୍ୟ ସଂଗ୍ରହ କରିବା ସହ ସେଗୁଡ଼ିକୁ ଇସ୍ରୋକୁ ପଠାଇବ। ଅର୍ବିଟରରେ ଲଗା ଯାଇଥିବା ଉଚ୍ଚଶକ୍ତି ସଂପନ୍ନ କ୍ୟାମେରା ଚନ୍ଦ୍ରପୃଷ୍ଠର ଫଟୋ ଉଠାଇବା ସହ ଅନ୍ୟ ବୈଜ୍ଞାନିକ ସରଞ୍ଜାମ ଚନ୍ଦ୍ର ପୃଷ୍ଠରେ ପାଣି ଓ ଅନ୍ୟ ଖଣିଜ ପଦାର୍ଥ ମହଜୁଦ ଅଛି ନା ନାହିଁ ତାହାର ସନ୍ଧାନ ମଧ୍ୟ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଥିଲା । ତେଣୁ ଇସ୍ରୋ ପ୍ରମାଣିତ କରିଦେଲା ତା’ର ପରିଚୟ ହେଉଛି ୩୮୭,୩୮୯.୯ କିଲୋମିଟର; ୨.୧ କିଲୋମିଟର ନୁହେଁ।



from Kanak News https://ift.tt/36NVqvC https://ift.tt/36SIzIK
ବିଫଳ ନୁହେଁ ଚନ୍ଦ୍ରଯାନ-୨ ମିଶନ : ୭ ବର୍ଷ ପାଇଁ କାର୍ଯ୍ୟକ୍ଷମ ରହିବ ଅର୍ବିଟର Kanak News ବିଫଳ ନୁହେଁ ଚନ୍ଦ୍ରଯାନ-୨ ମିଶନ : ୭ ବର୍ଷ ପାଇଁ କାର୍ଯ୍ୟକ୍ଷମ ରହିବ ଅର୍ବିଟର Kanak News Reviewed by SUBHENDU BARAL on December 18, 2019 Rating: 5

No comments:

Powered by Blogger.