୨୨ରେ ବାରବାଟୀ ମ୍ୟାଚ୍ । ଓଡିଶାରେ ଆଜି ପହଞ୍ଚିବେ ଖେଳାଳୀ, ସେପଟେ ଆଜିଠାରୁ କାଉଁଣ୍ଟରରେ ବିକ୍ରି ହେବ ଟିକେଟ୍ Kanak News

କନକ ବ୍ୟୁରୋ : ରବିବାର ଖେଳାଯିବାକୁ ଥିବା ବାରବାଟୀ ଦିନିକିଆ ପାଇଁ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦଳର ଖେଳାଳିମାନେ ଗୁରୁବାର ଭୁବନେଶ୍ବରରେ ପହଞ୍ଚିବେ। ସ୍ବତନ୍ତ୍ର ବିମାନ ଯୋଗେ ଅପରାହ୍ଣ ୧ଟା ୧୫ ମିନିଟରେ ଦୁଇ ଦଳ ଭୁବନେଶ୍ବରରେ ଓହ୍ଲାଇବେ। ସେଠାରୁ ସେମାନଙ୍କୁ ସିଧାସଳଖ ମେ ଫେୟାର ହୋଟେଲକୁ ନିଆଯିବ। ଶୁକ୍ରବାର ଖେଳାଳିମାନେ ଅଭ୍ୟାସ କରିବାକୁ ଷ୍ଟାଡିୟମକୁ ଆସିବେ। ସକାଳ ୯ଟାରେ ୱେଷ୍ଟଇଣ୍ଡିଜ୍ ଓ ଅପରାହ୍ଣ ୨ଟାରେ ଭାରତୀୟ ଖେଳାଳିମାନେ ଅଭ୍ୟାସ କରିବାକୁ ସୂଚୀ ପ୍ରସ୍ତୁତ ହୋଇଛି। ଏଥିପାଇଁ ଅଭ୍ୟାସ ପିଚ୍ର ପ୍ରସ୍ତୁତି ପର୍ଯ୍ୟାୟ ଶେଷ ହୋଇଛି। କମିସନରେଟ ପୁଲିସ୍ ପକ୍ଷରୁ ବୁଧବାର କାରକେଡ୍ ରିହରସାଲ କରାଯାଇଛି। ଭୁବନେଶ୍ବର କମିସନରେଟ ପୁଲିସ୍ ପକ୍ଷରୁ ଖେଳାଳିମାନଙ୍କୁ ସୁରକ୍ଷା ବଳୟ ମଧ୍ୟରେ ଷ୍ଟାଡିୟମକୁ ଅଣାଯିବ। ତ୍ରିଶୁଳିଆ ରାସ୍ତାରେ ସୁରକ୍ଷା ଜନିତ ସମସ୍ୟା ଥିବାରୁ ଖେଳାଳିମାନଙ୍କୁ ଜାତୀୟ ରାଜପଥ ପଟେ ଅଣାଯିବ। ସୁରକ୍ଷାକର୍ମୀଙ୍କ ମଧ୍ୟରେ କମାଣ୍ତୋ ନିୟୋଜିତ ହୋଇଛନ୍ତି। କୌଣସି ଆପାତ୍ତକାଳୀନ ପରିସ୍ଥିତି ପାଇଁ ପୁଲିସ୍ ପକ୍ଷରୁ ବିକଳ୍ପ ପନ୍ଥା ଗ୍ରହଣ କରାଯାଇଥିବା କୁହାଯାଇଛି।
୨୨ ତାରିଖରେ ହେବାକୁ ଥିବା ଏହି ମ୍ୟାଚ୍ ପାଇଁ ଗୁରୁବାରଠୁ କାଉଣ୍ଟରରେ ଟିକଟ୍ ବିକ୍ରି ଆରମ୍ଭ ହେବ। ଓସିଏ ପକ୍ଷରୁ ଏଥିପାଇଁ ୧୨ଟି କାଉଣ୍ଟର କରାଯାଇଥିଲାବେଳେ ସକାଳ ୯ଟାରୁ ଟିକଟ୍ ବିକ୍ରି କରାଯିବ। ଏଥିପାଇଁ ବ୍ୟାରିକେଡ୍ ନିର୍ମାଣ ଶେଷ ହୋଇଛି। କାଉଣ୍ଟରରେ ଟିକଟ୍ ବିକ୍ରି ପାଇଁ ଏଥର ୧୦୦୩୯ ଟିକଟ୍ ଛଡ଼ାଯାଇଛି। ମ୍ୟାଚ୍ ପାଇଁ ଅଧିକ ଚାହିଦା ରହୁଥିବାରୁ ଅନ୍ଲାଇନ୍ ଓ ଅନୁବନ୍ଧିତ ଜିଲ୍ଲା, ସ୍କୁଲ୍, କଲେଜ, କ୍ଲବମାନେ ସେମାନଙ୍କ ଧାର୍ଯ୍ୟ ଟିକଟ କିଣିସାରିଛନ୍ତି। ସାଧାରଣ ଲୋକମାନଙ୍କ ପାଇଁ ୧୯ ଓ ୨୦ ତାରିଖ ଦୁଇ ଦିନ ଧାର୍ଯ୍ୟ କରାଯାଇଛି। ତଥାପି କାଉଣ୍ଟର ସ˚ଖ୍ୟା ବୃଦ୍ଧି କରାଯାଇଥିବାରୁ ପ୍ରଥମ ଦିନରେ ହିଁ ଟିକଟ ଶେଷ ହୋଇଯିବ ବୋଲି କୁହାଯାଉଛି। କାଉଣ୍ଟରରେ ଜଣେ ଦର୍ଶକ ସର୍ବାଧିକ ଦୁଇଟି ଟିକଟ୍ କିଣିପାରିବ। ଟିକଟ କିଣିବା ବେଳେ ନିଜର ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ଏଥିସହିତ କାଉଣ୍ଟର ପାଖରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି କରାଯାଇଛି। ପୁଲିସ ସହ ଘରୋଇ ସୁରକ୍ଷା କର୍ମୀ କାଉଣ୍ଟର ପାଖରେ ନିୟୋଜିତ ରହିବେ। ସମସ୍ତ ଟିକଟ କାରବାର ସିସି କ୍ୟାମେରାରେ ରେକର୍ଡ ହେବ। କାଉଣ୍ଟର ବାହାରେ ମଧ୍ୟ ଗହଳି ନିୟନ୍ତ୍ରଣ ପାଇଁ କ୍ୟାଣ୍ଟନମେଣ୍ଟ ଥାନା ପକ୍ଷରୁ ପୁଲିସ୍ କର୍ମଚାରୀ ନିୟୋଜିତ ହେବେ।
from Kanak News https://ift.tt/2Q0ND6J https://ift.tt/2Pzi4Sw
No comments: