ସ୍ୱଚ୍ଛ ହେବ ଭୁବନେଶ୍ୱର : ନିୟମ କଡ଼ାକଡ଼ି କଲା ବିଏମ୍‌ସି, ଖୋଲାରେ ଶୌଚ କଲେ ତଣ୍ଡ ଗଣିବେ ରାଜଧାନୀବାସୀ Kanak News

କନକ ବ୍ୟୁରୋ : ଖୋଲାରେ ଶୌଚ କଲେ ତଣ୍ଡ ଗଣିବାକୁ ପଡ଼ିବ ‌ବୋଲି ତ‌ାଗିଦ୍‌ କଲେ । ସ୍ମାର୍ଟସିଟିର ସୌନ୍ଦର୍ଯ୍ୟ ଓ ପରିଚ୍ଛନ୍ନତାକୁ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ବିଏମ୍‌ସି ଏନେଇ ବିଜ୍ଞପ୍ତି ବି ଜାରିକଲା । ମାତ୍ର ଲୋକେ ଯାତାୟାତ ସମୟରେ ଶୌଚ ପାଇଁ ଯେଉଁ ବ୍ୟବସ୍ଥା କରାଗଲା ତାହାକୁ ସୁଧାରିଲେ ନାହିଁ । ସହରର ପରିଚ୍ଛନ୍ନତାକୁ ଗୁରୁତ୍ବ ଦେଇ ତଣ୍ଡ ଗଣିବାକୁ ତାଗିଦା କରିଚାଲିଛନ୍ତି, କିନ୍ତୁ ‌ରାସ୍ତାକଡ଼ରେ ଯେଉଁ ଭ୍ରାମ୍ୟମାଣ ଶୌଚାଳୟ ରଖିଛନ୍ତି ସେଗୁଡ଼ିକ‌ ଏତେ ଅପରିଷ୍କାର ଯେ ତା’ ଭିତରକୁ ଯିବା ପାଇଁ ବି ପାଦ ବଢ଼ୁନାହିଁ । ଏପରିକି ଦୀର୍ଘଦିନ ଧରି ସେଇ ଭ୍ରାମ୍ୟମାଣ ଶୌଚାଳୟର ଟାଙ୍କିରେ ପାଣି ଭର୍ତି କରାଯାଉ ନାହିଁ ।

ଶିରିପୁର ଛକରେ ଭ୍ରାମ୍ୟମାଣ ଶୌଚାଳୟ ଥାଇ ବି ଯେମିତି ଅଲୋଡ଼ା ହୋଇଯାଇଛି । ‌ଖାଲି ସେତିକି ନୁହେଁ, ଇ-ଶୌଚାଳୟର ବି ସମଦଶା । ସୂଚନା ଅଛି ଯେ ସବୁଜ ସଂକେତ ମିଳିଲେ ବ୍ୟବହାର କରନ୍ତୁ । ମାତ୍ର ନା‌ ସେଠି ସବୁଜ ଜଳୁଛି, ନା ନାଲି । ତେଣୁ ସେଠାରେ ରାସ୍ତାକଡ଼ ଶୌଚାଳୟ ଥିବା ନ ଥିବା ସମାନ କଥା ହୋଇଯାଇଛି । ଫଳରେ ଲୋକେ ସେହି ଶୌଚାଳୟ ପଛ ପାର୍ଶ୍ବ ସ୍ଥାନକୁ ପାଇଖାନା କରି‌ସାରିଲେଣି । ଯେବେ ବାହାରୁ କୌଣସି ଲୋକେ ଆସୁଛନ୍ତି ସେମାନେ ଏହାକୁ ବାହାରୁ ଦେଖି ଶୌଚାଳୟ ବୋଲି ଜାଣୁଛନ୍ତି ସତ, କିନ୍ତୁ ଏହାର ବ୍ୟବହାର ଜାଣି ନ ଥିବାରୁ ଏହାକୁ ବ୍ୟବହାର କରୁନାହାନ୍ତି ।

ସଂପ୍ରତି ସହରରେ ୩୦ଟି ସ୍ଥାନରେ ୨୦ଟି ସ୍ବୟଂଚାଳିତ ଓ ୪୦ଟି ସେମି ଅଟୋମେଟିକ୍‌ ମୋଡୁଲାର ଟଏଲେଟ୍‌ ରହିଛି । ମାତ୍ର ସେଗୁଡିକର ଅବସ୍ଥା କଥା ନ କହିଲେ ଭଲ । ଦେଖା ଯାଉଛି କେଉଁଠି ପାଣି ନାହିଁ ତ କେଉଁଠି ଠିକ୍‌ ଭାବେ କାର୍ଯ୍ୟ କରୁ ନାହିଁ । ଆଗରୁ ଏହିପରି ଟଏଲେଟ୍‌ ସମ୍ମୁଖରେ କେହି ଜଣେ ବସି ଏହାର ବ୍ୟବହାର ବାବଦରେ ଅବଗତ କରାଉ ଥିଲା । ଏବେ କିନ୍ତୁ କେହି ରହୁନାହାନ୍ତି । ଫଳରେ ଅନେକ ସମୟରେ ଲୋକେ ଏହାର ବ୍ୟବହାର ଜାଣିପାରୁ ନାହାନ୍ତି ।

ସ୍ବୟଂଚାଳିତ ପଦ୍ଧତି ଯୋଗୁଁ କାଳେ ଭିତରକୁ ଗଲେ ଭିତରେ ଫସିଯିବେ ସେଇ ଦ୍ବନ୍ଦ୍ବରେ ଅନେକ ତା’ ଭିତରକୁ ମଧ୍ୟ ପ୍ରବେଶ କରିବାକୁ ସାହସ କରି ପାରୁନାହାନ୍ତି । ମାତ୍ର ଯେବେ ପ୍ରଶାସନ ନିଜେ ସ୍ଥାପନ କରିଥିବା ଶୌଚାଳୟଗୁଡ଼ିକୁ ଅବ୍ୟବସ୍ଥା ମଧ୍ୟରେ ଛାଡ଼ି ଦେଉଛି, ସେଠାରେ କିଏ କାହାକୁ ତଣ୍ଡ ଗଣିବ  ? ନିକଟରେ ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ମୁତାବକ, ବାହାରେ ଶୌଚ କଲେ ୨ଶହ ଟଙ୍କା ଓ ପରିସ୍ରା କଲେ ୧୫୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଇଛି ।



from Kanak News https://ift.tt/393GxY9 https://ift.tt/2MpdiFo
ସ୍ୱଚ୍ଛ ହେବ ଭୁବନେଶ୍ୱର : ନିୟମ କଡ଼ାକଡ଼ି କଲା ବିଏମ୍‌ସି, ଖୋଲାରେ ଶୌଚ କଲେ ତଣ୍ଡ ଗଣିବେ ରାଜଧାନୀବାସୀ Kanak News ସ୍ୱଚ୍ଛ ହେବ ଭୁବନେଶ୍ୱର : ନିୟମ କଡ଼ାକଡ଼ି କଲା ବିଏମ୍‌ସି, ଖୋଲାରେ ଶୌଚ କଲେ ତଣ୍ଡ ଗଣିବେ ରାଜଧାନୀବାସୀ Kanak News Reviewed by SUBHENDU BARAL on December 23, 2019 Rating: 5

No comments:

Powered by Blogger.