
କନକ ବ୍ୟୁରୋ : ଜମ୍ମୁ କାଶ୍ମୀରର ସୁନ୍ଦରବନୀ ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ସେନାର ବ୍ୟାଟ୍ (ବର୍ଡର ଆକ୍ସନ୍ ଟିମ୍) କାର୍ଯ୍ୟାନୁଷ୍ଠାନକୁ ପଣ୍ଡ କରିଦେଇଛି ଭାରତୀୟ ସେନା । ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଜଣ ପାକିସ୍ତାନୀ ଏସ୍ଏସ୍ଜି କମାଣ୍ଡୋ ନିହତ ହୋଇଛନ୍ତି । ତେବେ ଭାରତୀୟ ସେନା ଏବଂ ପାକ୍ ସେନା ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଭାରତୀୟ ଯବାନ ସହିଦ ହୋଇଯାଇଛନ୍ତି । ସେନା ସୂତ୍ରରୁ ଜଣାପଡ଼ିଛି ଯେ ଉଭୟ ପକ୍ଷ ଦ୍ବାରା ରକେଟ୍ ଲଞ୍ଚର ବ୍ୟବହାର ହୋଇଥିଲା ।
ପ୍ରଥମେ ପାକିସ୍ତାନୀ ସ୍ପେସାଲ୍ ସର୍ଭିସ୍ ଗ୍ରୁପ୍ ଏବଂ ସେନା ଦ୍ବାରା ଗତକାଲି ସନ୍ଧ୍ୟାରେ ସୁନ୍ଦରବନୀ ସେକ୍ଟରର ନଥୁଆ କା ତିବ୍ବା ପୋଷ୍ଟ୍ରେ ଆକ୍ରମଣ କରାଯାଇଥିଲା । ଏହାପରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ ହୋଇଥିଲା । ଫଳରେ ପାକ୍ସେନା ସଦସ୍ୟ ପଛକୁ ହଟି ଯାଇଥିଲେ । କିନ୍ତୁ ଭାରତୀୟ ଯବାନ ସୁଖବିନ୍ଦର ସିଂହଙ୍କ ଶରୀରରେ ଗୁଳି ମାଡ଼ ହେବାଫଳରେ ସେ ସଙ୍ଗେ ସଙ୍ଗେ ଟଳି ପଡ଼ିଥିଲେ ।
ଉଲ୍ଲେଖଯୋଗ୍ୟ ଗତକାଲି ମଧ୍ୟ ପାକିସ୍ତାନ ଗୁରେଜ୍ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିବାରୁ ଜଣେ ଯବାନ ସହିଦ ହୋଇଯାଇଥିଲେ । ୨୧ ବର୍ଷୀୟ ସୁଖବିନ୍ଦର ସିଂହଙ୍କ ଘର ହୋସିଆରପୁର ଜିଲ୍ଲାର ଫତେପୁର ଗ୍ରାମରେ ।
from Kanak News https://ift.tt/2Ev9huy https://ift.tt/318DGZe
No comments: