ନୂଆଦିଲ୍ଲୀ ୨୦।୧୨: ନାଗରିକତା ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନ ନିଆଁ ଭଳି ତେଜିବାରେ ଲାଗିଛି। ଦିଲ୍ଲୀ ଓ ଉତ୍ତରପ୍ରଦେଶ ସମେତ ଦେଶବ୍ୟାପୀ ଜୋର୍ ଦାର ବିରୋଧ ପ୍ରଦର୍ଶନ ହୋଇଛି। ହିଂସାତ୍ମକ ଆନ୍ଦୋଳନ ଯୋଗୁଁ ଦିଲ୍ଲୀର କେତେକ ଉତ୍ତେଜନାପ୍ରବଣ ଅଂଚଳରେ ଯାତାୟାତ ବନ୍ଦ ରଖାଯାଇଥିବା ବେଳେ ଲାଲକିଲ୍ଲା ନିକଟରେ ୧୪୪ ଧାରା ଜାରି କରାଯାଇଛି।

ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦିଲ୍ଲୀରେ ପୁଲିସ ପ୍ରାୟ ୧୨୦୦ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି। ଏମାନଙ୍କ ମଧ୍ୟରେ ବିଶିଷ୍ଟ ଐତିହାସିକ ତଥା ସ୍ତମ୍ଭକାର ରାମଚନ୍ଦ୍ର ଗୁହା, ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ, ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କ ଭଳି ଦେଶର କିଛି ପ୍ରମୁଖ ବୁଦ୍ଧିଜୀବୀ ଓ ରାଜନେତା ମଧ୍ୟ ଅଛନ୍ତି। ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ଜାମ୍ ହୋଇ ଯାତାୟାତ ବାଧାପ୍ରାପ୍ତ ହେବାରୁ ୧୯ଟି ମେଟ୍ରୋ ଷ୍ଟେସନ୍ ବନ୍ଦ ରଖାଯାଇଛି । ସେହିଭଳି ୧୯ ଟି ବିମାନକୁ ବାତିଲ କରାଯାଇଛି । ଦିଲ୍ଲୀରେ ମୋବାଇଲ୍ , ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ଅନ୍ୟପକ୍ଷରେ ଉତ୍ତରପ୍ରଦେଶରେ ମଧ୍ୟ ହିଂସା ବ୍ୟାପିଛି ।

ଉତ୍ତରପ୍ରଦେଶର ଆଇନଶୃଙ୍ଗଳା ପରିସ୍ଥିତିକୁ ଦେଖି ମେରଠ, ଗାଜିଆବାଦ, ମୁଜାଫରନଗର, ଆଲିଗଡ, ବେରଲି, ପ୍ରୟାଗରାଜରେ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଲକ୍ଷ୍ନୌରେ ଜଣେ ଆନ୍ଦୋଳନକାରୀ ପୁଲିସ ଗୁଳିରେ ନିହତ ହେବାରୁ ସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ରହିଛି। ସେହିପରି କର୍ଣ୍ଣାଟକର ମାଙ୍ଗାଲୁରୁରେ ମଧ୍ୟ ଆନ୍ଦୋଳନବେଳେ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ପୁଲିସ ଗୁଳିରେ ୨ ଜଣ ଆନ୍ଦୋଳନକାରୀ ପ୍ରାଣ ହରାଇବା ପରେ ପରିସ୍ଥିତି ଅଣାୟତ୍ତ ହେବାରୁ ସହରରେ କର୍ଫ୍ୟୁ ଜାରି କରାଯାଇଛି। ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। ସେହିପରି କର୍ଣ୍ଣାଟକ , ମହାରଷ୍ଟ୍ର, ଗୁଜୁରାଟ ଏବଂ ଉତ୍ତରପ୍ରେଦଶ ସହରରେ ହିଂସା ଦେଖିବାକୁ ମିଳିଛି ।
from Prameya News7 https://ift.tt/35DG7FK
No comments: