ନୂଆ ମୋଟରଯାନ ଆଇନ: କଣ୍ଟ ପୂରିବାକୁ ଆଉ ୪ ଦିନ, ୧୫ ବର୍ଷର ଗାଡ଼ିକୁ ନେଇ ଚିନ୍ତାରେ ଚାଳକ Kanak News

କନକ ବ୍ୟୁରୋ: ଆଉ ୪ଦିନ ପରେ ସଂଶୋଧିତ ମୋଟର ଯାନ ଆଇନ କଡ଼ାକଡ଼ି ହେବ। ଏଥିପାଇଁ ଉଭୟ ପୁଲିସ ଓ ଆରଟିଓ ଅଣ୍ଟା ଭିଡ଼ିଲେଣି। ହେଲେ ଅଡ଼ୁଆ ଛିଣ୍ଡୁନି। ୧୫ ବର୍ଷର ଗାଡ଼ି ଚିନ୍ତା ବଢ଼ାଇଛି। ନୂଆ ଆଇନ ଅନୁସାରେ ୧୫ ବର୍ଷ ପୂରିଥିବା ଗାଡ଼ିକୁ ନିଷେଧ କରାଯାଇଛି। ଏହି ଗାଡ଼ି ପାଇଁ କେନ୍ଦ୍ର ସରକାର ‘ଅଥରାଇଜ୍ଡ ଭେଇକିଲ ସ୍କ୍ରାପିଂ ଫାସିଲିଟି’ ବ୍ୟବସ୍ଥାର ଡ୍ରାଫ୍ଟ ଗାଇଡ୍ ଲାଇନ୍ ପ୍ରସ୍ତୁତ କରିଛନ୍ତି। କିନ୍ତୁ ୨୦୧୬ ମସିହାରୁ ଆଜି ପର୍ଯ୍ୟନ୍ତ ଜରିମାନା ଦେଇ ଏହି ଗାଡ଼ିଗୁଡ଼ିକୁ ଆଉ ୫ ବର୍ଷ ଗଡ଼ିବା ପାଇଁ ବୈଧ କରାଯାଇ ପାରୁଥିବାରୁ ଲୋକମାନେ ଧାଡ଼ି ବାନ୍ଧି ଏହି ଗାଡ଼ିଗୁଡ଼ିକୁ ପୁନଃ ନବୀକରଣ କରିବାରେ ବ୍ୟସ୍ତ ରହିଛନ୍ତି। ନିକଟ ଅତୀତରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ଏହି ୧୫ ବର୍ଷିଆ ଗାଡ଼ି ଅବୈଧ ବୋଲି ଘୋଷଣା କରିବା ପରେ ଚାଳକ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ୧୫ ବର୍ଷରୁ ଅଧିକ ପୁରୁଣା ୨୨ ଲକ୍ଷ ୯ ହଜାର ୫୭୩ଟି ଗାଡ଼ି ରାଜ୍ୟରେ ରହିଥିବା ବେଳେ ସେଥିରୁ ୧୧ ଲକ୍ଷ ୪୩ ହଜାର ୨୬ଟି ଗାଡ଼ି ଚଳପ୍ରଚଳ କରୁଛି। ଏହି ଗାଡ଼ିଗୁଡ଼ିକ ମଧ୍ୟରୁ ପୁନଃ ପଞ୍ଜୀକରଣ (ରି-ରେଜିଷ୍ଟ୍ରେସନ) ବ୍ୟବସ୍ଥାରେ ରାଜ୍ୟରେ ପାଖାପାଖି ୩୦ ପ୍ରତିଶତ ଗାଡ଼ି ପୁନଃ ପଞ୍ଜୀକୃତ ହୋଇ ସାରିଲାଣି। ୧୫ ବର୍ଷ ପୂରଣ କରିଥିବା ଗାଡ଼ି ଗଡ଼ିବା ନିଷେଧ ବୋଲି ବିଧାନସଭାରେ ମନ୍ତ୍ରୀ ଏକ ଲିଖିତ ପ୍ରଶ୍ନର ଉତ୍ତର ରଖିବା ପରେ ଗାଡ଼ି ଚାଳକ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

ଅଡ଼ୁଆ ଛିଣ୍ଡୁନି: ରାଜ୍ୟ ସରକାରଙ୍କ କଣ୍ଟ ଯେତିକି ପୂରି ପୂରି ଆସୁଛି ଅଡ଼ୁଆ ସେତିକି ବଢ଼ୁଛି। ଆଜି ଆରଟିଓ-୧ କାର୍ଯ୍ୟାଳୟ ପରିସରରେ ନାହିଁନଥିବା ଭିଡ଼ ହୋଇଥିଲା। ଭୋର ୪ଟା ବେଳୁ ଲୋକମାନେ ଧାଡ଼ି ବାନ୍ଧିଥିଲେ। ଗେଟ୍ ଖୋଲା ହେଉ ହେଉ ସମସ୍ତେ ଏକାଠି ପଶିବା ପାଇଁ ଚାହିବାରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଆରଟିଓ ପୁଲିସ ଫୋର୍ସ ମଗାଇଥିଲେ। ଗୋଟିଏ ପ୍ଲାଟୁନ୍ ଫୋର୍ସ ସେଠାରେ ଜଗି ରହିବା ସହ ଶୃଙ୍ଖଳିତ ପରିଚାଳନାରେ ସହଯୋଗ କରିଥିଲେ। ସେହିଭଳି ଆରଟିଓ-୨ କାର୍ଯ୍ୟାଳୟରେ ମଧ୍ୟ ଉତ୍ତେଜନା ଦେଖାଯାଇଥିଲା। ଶହ ଶହ ଲୋକ ଗାଡ଼ି ଫିଟନେସ୍ ଓ ଲାଇସେନସ୍ ପାଇଁ ଧାଡ଼ି ବାନ୍ଧିଥିବା ବେଳେ ଲିଙ୍କ୍ ଫେଲ୍ ହୋଇ ଯାଇଥିଲା। ଏଣୁ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ପାଇ ଘଟଣାସ୍ଥଳରେ ପିସିଆର୍ ଭ୍ୟାନ୍ ପହଞ୍ଚିଥିଲେ ମଧ୍ୟ ଲୋକଙ୍କୁ ବୁଝାଇ ପାରିନଥିଲା। ଗହଳି ଦେଖି ମିହଳା ଓ ବରିଷ୍ଠ ନାଗରିକମାନେ ଫେରି ଯାଇଥିଲେ।

ଲିଙ୍କ୍ ଫେଲ୍: ଅନ୍ୟପଟେ ଭିସିଆର୍ ବାବଦକୁ ନିଆଯାଉଥିବା ଅର୍ଥ ଅନ୍ଲାଇନରେ ପ୍ରଦର୍ଶିତ ହେଉ ନାହିଁ ବୋଲି କେତେକ ଅଟୋ ଚାଳକ ଅଭିଯୋଗ ଆଣିଥିଲେ। ସେହିଭଳି ଗାଡ଼ିର ମାଲିକାନା ପରିବର୍ତ୍ତନ ହୋଇଥିଲେ ମଧ୍ୟ ଅନଲାଇନ୍ ତଥ୍ୟ ଠିକ୍ ଦେଖାଉନାହିଁ ବୋଲି ଅଭିଯୋଗ ହୋଇଛି।

୧୦ ଟଙ୍କିଆ ଦଲାଲ: ୧୫ ବର୍ଷର ଗାଡ଼ିକୁ ପୁନଃ ପଞ୍ଜୀକରଣ ପାଇଁ ଚେସିସ ନମ୍ବରର ପେନସିଲ୍ ସ୍କ୍ରାଚ୍ ଆବଶ୍ୟକ ପଡ଼ୁଛି। ଏଥିପାଇଁ ଚେସିସ୍ ନମ୍ବରକୁ ଚାଳକ ନିଜେ ଏକ ସାଦା କାଗଜରେ ପେନସିଲରେ ଘସି ଆରଟିଓରେ ଜମା କରିବାକୁ ପଡ଼ୁଛି। ଏ ନେଇ ଚାଳକଙ୍କ ପାଇଁ କୌଣସି ସୂଚନା ଦିଆଯାଇ ନାହିଁ। ଫଳରେ ଘଣ୍ଟା ଘଣ୍ଟା ଧାଡ଼ି ବାନ୍ଧିବା ପରେ ହଠାତ୍ ଅଧିକାରୀ ସ୍କ୍ରାଚ୍ ପେପର ମାଗିବାରୁ ଚାଳକ ଅଡ଼ୁଆରେ ପଡ଼ୁଛି। ଏହି କାମ ଟେଷ୍ଟିଂ ଟ୍ରାକରେ ହେଉଛି। ସେଠାରେ ଜଣେ ପେନସିଲ୍ ଓ ସାଦା କାଗଜ ଧରି ବସିଛି। ୧୦ ଟଙ୍କା ନେଇ ଲୋକଙ୍କୁ ସାହାଯ୍ୟ କରୁଛି। ଆରଟିଓରୁ ଦଲାଲ ହଟିଥିବା ବେଳେ ଏଡି ୧୦ ଟଙ୍କିଆ ଦଲାଲକୁ ନେଇ ଚର୍ଚ୍ଚା ଜୋର ଧରିଛି।



from Kanak News https://ift.tt/37Ey8JK https://ift.tt/2Dhkazz
ନୂଆ ମୋଟରଯାନ ଆଇନ: କଣ୍ଟ ପୂରିବାକୁ ଆଉ ୪ ଦିନ, ୧୫ ବର୍ଷର ଗାଡ଼ିକୁ ନେଇ ଚିନ୍ତାରେ ଚାଳକ Kanak News ନୂଆ ମୋଟରଯାନ ଆଇନ: କଣ୍ଟ ପୂରିବାକୁ ଆଉ ୪ ଦିନ, ୧୫ ବର୍ଷର ଗାଡ଼ିକୁ ନେଇ ଚିନ୍ତାରେ ଚାଳକ Kanak News Reviewed by SUBHENDU BARAL on November 25, 2019 Rating: 5

No comments:

Powered by Blogger.