ଉତ୍କଳ ବିଶ୍ବବିଦ୍ୟାଳୟ ଅଘଟଣ ପରେ, ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରିବେ ତ? ସାଂସଦଙ୍କୁ ଅଣଦେଖା କରାଯିବାରୁ ଅସନ୍ତୋଷ, କ୍ୟାମ୍ପସ ଜଗିବେ ୪ ପ୍ଲାଟୁନ୍ ଫୋର୍ସ Kanak News

କନକ ବ୍ୟୁରୋ: ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲିର ଉଦଯାପନୀ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ । ଆଜିଠାରୁ ୫ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ସମୟ ଧାର୍ଯ୍ୟ ହେବା ସହ ନିମନ୍ତ୍ରଣପତ୍ର ବି ବଣ୍ଟା ସରିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ୨୪ ଘଣ୍ଟା ପୂର୍ବରୁ ଗତକାଲି ଘଟିଥିବା ଏକ ଅପ୍ରୀତିକର ପରିସ୍ଥିତି, ବିଶ୍ବବିଦ୍ୟାଳୟ କ୍ୟାମ୍ପସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ୫ ଦିନ ମଧ୍ୟରେ ରାଜ୍ୟର ପ୍ରମୁଖ ବ୍ୟକ୍ତିବିଶେଷ ଏଠାରେ ଏକାଠି ହେଉଥିବାରୁ ସେମାନଙ୍କୁ ପୁଲିସ କିଭଳି ସୁରକ୍ଷା ଦେବ, ତାହାକୁ ନେଇ ଏବେ ଆଶଙ୍କା ଓ ସନ୍ଦେହ ସୃଷ୍ଟି ହୋଇଛି।
ବଡ଼ କଥା ହେଲା, କ୍ୟାମ୍ପସରେ ପ୍ରତିଦିନ ଦୁଇଟି ପିସିଆର୍ ପହରା ମାରୁଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ପ୍ରାୟ ୩୦ଜଣ ସ୍ବତନ୍ତ୍ର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିଛନ୍ତି। ଏହା ପରେ ବି ଜଣେ ବ୍ୟକ୍ତି କ୍ୟାମ୍ପସ୍ରେ ଥିବା ପରିଜା ପାଠାଗାର ଛାତ ଉପରକୁ ଯାଇ ଆତ୍ମହତ୍ୟା ଧମକ ଦେବା, ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାତିରେ ପରିଜା ପାଠାଗାର ବନ୍ଦ ରହୁଥିବା ବେଳେ ବ୍ୟକ୍ତିଜଣକ କିଭଳି ଛାତ ଉପରକୁ ଚଢ଼ିଲେ, ତାହା ପୁଣି ବିନା ବାଧାରେ? ବ୍ୟକ୍ତି ଜଣକ ବିଶ୍ବବିଦ୍ୟାଳୟ କର୍ମଚାରୀ କି ଛାତ୍ର ନ ଥିଲେ, ବାହାରୁ ଆସିଥିଲେ। ଯଦି ବାହାରର ଜଣେ ବ୍ୟକ୍ତି ବିନା ବାଧାରେ ୫ ମହଲା ଉଚ୍ଚତା ବିଶିଷ୍ଟ କୋଠା ଚଢ଼ି ପାରୁଛନ୍ତି, ତେବେ କ୍ୟାମ୍ପସ୍ କେତେ ସୁରକ୍ଷିତ? ଏଥିରୁ ସ୍ପଷ୍ଟ ଅନୁମେୟ ବୋଲି କିଛି ବୁଦ୍ଧିଜୀବୀ କହିଛନ୍ତି।
ଆଜିର ଉଦ୍ଘାଟନୀ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୂର୍ବାହ୍ନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ତାଙ୍କ ସହ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି। କ୍ୟାମ୍ପସର ସୌନ୍ଦର୍ଯ୍ୟ ବୃଦ୍ଧି କରାଯାଇଥିଲେ ମଧ୍ୟ ସୁରକ୍ଷା ନେଇ ସେତେଟା ପଦକ୍ଷେପ ନିଆଯାଇ ନାହିଁ। ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବ ସ୍ଥଳ ଏକପ୍ରକାର ମୁକୁଳା ପଡ଼ିଛି। ‘ଫନି’ ସମୟରେ ଭାଙ୍ଗି ପଡ଼ିଥିବା ଷ୍ଟାଡିୟମ୍ ପାଚେରି ମରାମତି କରାଯାଇ ନାହିଁ। କପଡ଼ା ବନ୍ଧା ଯାଇ ଦୋଷ ଲୁଚା ଯାଇଛି। ବାରମ୍ବାର ଦାବି ପରେ ବି କ୍ୟାମ୍ପସରେ ଭାଙ୍ଗି ପଡ଼ିଥିବା ପାଚେରି ମରାମତି ହୋଇପାରିନି। ଚାରିପାଖ ମୁକୁଳା ପଡ଼ିଛି। ଫଳରେ ଯେକୌଣସି ବ୍ୟକ୍ତି ଅବାଧରେ ଉତ୍ସବ ସ୍ଥଳକୁ ଯାଇପାରିବେ।
ଅତୀତରେ ବିଶ୍ବବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ବିଭିନ୍ନ ସମୟରେ ବିରୋଧ ହୋଇଛି। ରାସ୍ତାରେ ମୁଖ୍ୟମନ୍ତ୍ରୀ ଗାଡ଼ିକୁ ଅଣ୍ଡା ମାଡ଼ ବି କରାଯାଇଛି। ତେବେ ଏଥର ଉତ୍ସବ ଲାଗି କ୍ୟାମ୍ପସର ସବୁ ଛାତ୍ରଗୋଷ୍ଠୀ ଏକ ହୋଇଯାଇଥିବା କୁହାଯାଉଛି। କିନ୍ତୁ ଗତକାଲି ‘ତୁ ତୁ ମେ ମେ’ ଦେଖିବାକୁ ମିଳିଥିଲା। ଉଦ୍ଘାଟନୀ ଉତ୍ସବକୁ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତଙ୍କୁ ନିମନ୍ତ୍ରଣ କରାଯାଇଛି। ୫ଦିନିଆ ଏହି କାର୍ଯ୍ୟକ୍ରମର କୌଣସି ଦିନ ବି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ ଗୋଟିଏ ଛାତ୍ରଗୋଷ୍ଠୀ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ଘେରିଛନ୍ତି। ଯଦି ସ୍ଥାନୀୟ ସାଂସଦଙ୍କୁ ଅଣଦେଖା କରାଯିବ, ତେବେ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଉତ୍ସବର ସଫଳତା ନେଇ ସମସ୍ତେ ଆଶାବାଦୀ ରହିଥିବା ବେଳେ ଗତକାଲିର ଘଟଣା ଚିନ୍ତା ବଢ଼ାଇ ଦେଇଛି।
from Kanak News https://ift.tt/2reMakP https://ift.tt/2XDovGG
No comments: