ବିନା ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ଚାଲିଛି ବିଶ୍ୱବିଦ୍ୟାଳୟ ! ସାର୍ଟିଫିକେଟ୍ ନ ଥିଲେ ଦରମା ବନ୍ଦ, ପ୍ରତ୍ୟାହାର କରିଦିଆଯିବ ଘରୋଇ କଲେଜର ମାନ୍ୟତା Kanak News

କନକ ବ୍ୟୁରୋ: ରାଜ୍ୟରେ ୨୧୧ଟି ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ)। ୨୭୯ଟି ସେଲ୍ଫ ଫାଇନାନ୍ସିଂ କଲେଜ ସମେତ ସରକାରୀ, ବେସରକାରୀ ଅନୁଦାନପ୍ରାପ୍ତ ଏମିତି ମିଶାଇ ୩୦ଟି ଯାକ ଜିଲ୍ଲାରେ ରହିଛି ମୋଟ ୧୬୩୧ଟି ଯୁକ୍ତ୨ କଲେଜ । ତେବେ କୌଣସି ଗୋଟିଏ ବି ଯୁକ୍ତ୨ କଲେଜର ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଓ ବିଲଡିଂ ସୁରକ୍ଷା ସାର୍ଟିଫିକେଟ୍ ନାହିଁ। ଏ କଥା ଆମେ କହୁନୁ ବରଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ଏଭଳି ସୂଚନା ମିଳିଛି। ଯେଉଁଥିପାଇଁ ଏବେ କଡ଼ା ନିଷ୍ପତ୍ତି ନିଆଯାଇଛି। ଯଦି ଡିସେମ୍ବର ୩୧ ସୁଦ୍ଧା କଲେଜଗୁଡ଼ିକ ଉକ୍ତ ଦୁଇଟି ସାର୍ଟିଫିକେଟ୍ ଦାଖଲ ନ କରନ୍ତି ତେବେ ଉଭୟ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜର ଦରମା ବନ୍ଦ ହେବ। ଘରୋଇ କଲେଜଗୁଡ଼ିକର ମାନ୍ୟତା ପ୍ରତ୍ୟାହାର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଗ୍ନିଶମ ବ୍ୟବସ୍ଥା ଠିକ୍ କରିବାକୁ କୁହାଯାଇଥିଲା। ସେହି ଅନୁଯାୟୀ ଯୁକ୍ତ୨ କଲେଜର ବିଲଡିଂ ସୁରକ୍ଷା ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ କରିବାକୁ ଗତ ଜୁଲାଇ ୧୧ରେ ଚିଠି ଲେଖାଯାଇଥିଲା। ଅଗ୍ନି ନିରାପତ୍ତା ଗାଇଡ୍ଲାଇନକୁ କଡ଼ାକଡ଼ି ପାଳନ କରିବାକୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଥିଲା। ସୁରକ୍ଷା ସମ୍ପର୍କିତ ଉକ୍ତ ଦୁଇଟି ସାର୍ଟିଫିକେଟ୍ ନିର୍ଦେଶାଳୟ ନିକଟରେ ଦାଖଲ କରିବାକୁ ବି କୁହାଯାଇଥିଲା। ତେବେ ଏବେ ସୁଦ୍ଧା କୌଣସି ଗୋଟିଏ ବି ଶିକ୍ଷାନୁଷ୍ଠାନ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଦାଖଲ କରିନାହାନ୍ତି। ତେବେ ଅଳ୍ପ କିଛି କଲେଜ ସେମାନଙ୍କ ଅଗ୍ନିଶମ ଭିତ୍ତିଭୂମି ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ଅଗ୍ନିଶମ ଅଧିକାରୀ ଓ ଇଞ୍ଜିନିୟରିଂ ବିଭାଗର ଅଧିକାରୀଙ୍କ ନିକଟରେ ଆବେଦନ କରିଛନ୍ତି। ତେବେ ସେମାନେ ସାର୍ଟିଫିକେଟ୍ ପାଇ ନାହାନ୍ତି କି ନିର୍ଦେଶାଳୟରେ ଦାଖଲ କରିନାହାନ୍ତି।

ଏଥିରୁ ଅନୁମାନ କରାଯାଉଛି ଯେ ଅଧିକାଂଶ ଶିକ୍ଷାନୁଷ୍ଠାନରେ ଅଗ୍ନିଶମ ବ୍ୟବସ୍ଥା ଠିକ୍ ନାହିଁ। ତାହାକୁ ଦୃଷ୍ଟିରେ ରଖି କଠୋର ନିଷ୍ପତ୍ତି ନିଆଯାଇଛି। କୌଣସି ପ୍ରକାରେ ଆଉ ନିୟମରେ କୋହଳଭାବ ପୋଷଣ କରାଯିବ ନାହିଁ। ଏଣିକି ସିଧାସଳଖ କାର୍ଯ୍ୟାନୁଷ୍ଠାନ ନିଆଯିବ। ଡିସେମ୍ବର ୩୧ ସୁଦ୍ଧା ରାଜ୍ୟର ସମସ୍ତ ଯୁକ୍ତ୨ କଲେଜ ସ୍ଥାନୀୟ ଅଗ୍ନିଶମ ଅଧିକାରୀ, ଆର ଆଣ୍ଡ ବି ଓ ଆରଡି ବିଭାଗର ଇଞ୍ଜିନିୟରଙ୍କଠାରୁ ଅଗ୍ନିଶମ ନିରାପତ୍ତା ସମ୍ପର୍କରେ ସାର୍ଟିଫିକେଟ୍ ଆଣି ନିର୍ଦେଶାଳୟରେ ଦାଖଲ କରିବେ। ନ ହେଲେ ୨୦୨୦ ଜାନୁଆରି ପହିଲାରୁ ସରକାରୀ, ବେସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ଦରମା ସ୍ଥଗିତ ରଖାଯିବ। ଘରୋଇ ତଥା ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକ ବିରୋଧରେ ମଧ୍ୟ ଅନୁରୂପ ଭାବେ ପଦକ୍ଷେପ ନିଆଯିବ। ଗଣଶିକ୍ଷା ବିଭାଗ ପକ୍ଷରୁ ସେମାନଙ୍କ ମାନ୍ୟତା ପ୍ରତ୍ୟାହାର କରାଯିବ।



from Kanak News https://ift.tt/2nvnGlQ https://ift.tt/2mOki59
ବିନା ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ଚାଲିଛି ବିଶ୍ୱବିଦ୍ୟାଳୟ ! ସାର୍ଟିଫିକେଟ୍ ନ ଥିଲେ ଦରମା ବନ୍ଦ, ପ୍ରତ୍ୟାହାର କରିଦିଆଯିବ ଘରୋଇ କଲେଜର ମାନ୍ୟତା Kanak News ବିନା ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ଚାଲିଛି ବିଶ୍ୱବିଦ୍ୟାଳୟ ! ସାର୍ଟିଫିକେଟ୍ ନ ଥିଲେ ଦରମା ବନ୍ଦ, ପ୍ରତ୍ୟାହାର କରିଦିଆଯିବ ଘରୋଇ କଲେଜର ମାନ୍ୟତା Kanak News Reviewed by SUBHENDU BARAL on October 01, 2019 Rating: 5

No comments:

Powered by Blogger.