ଆଉ କେତେ ଦିନ !! ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର, ମେଡିକାଲ ଯିବା ଲାଗି ୪ ଦିନର ଶିଶୁକୁ ଧରି ଜଙ୍ଗଲ ରାସ୍ତାରେ ଚାଲିଲେ ୪ କିମି ବାଟ Kanak News

କନକ ବ୍ୟୁରୋ : ଗାଁକୁ ରାସ୍ତା ନାହିଁ। ୫ବର୍ଷ ହେଲା ରାସ୍ତା କରିବାକୁ ପ୍ରଶାସନ ବାରମ୍ବାର ସର୍ଭେ କରୁଛି। କିନ୍ତୁ ବନ ବିଭାଗର ଅନୁମତି ମିଳୁ ନ ଥିବାରୁ ରାସ୍ତା କାମ ବିଳମ୍ବିତ ହେଉଛି। ଆଉ ଏମିତି ସରକାରୀ ନିୟମ ଯୋଗୁଁ ଯନ୍ତ୍ରଣା ଭୋଗିଛନ୍ତି ଜଣେ ଜନନୀ। ୪ଦିନର ଶିଶୁକୁ ଧରି ଚାଲିଛନ୍ତି ୪କିଲୋମିଟର ରାସ୍ତା। ଜୟପୁର ବ୍ଲକ ଅନ୍ତର୍ଗତ ରଣ୍ଡାପାଲି ପଞ୍ଚାୟତର ପାହାଡ଼ ଉପର ଗାଁ ରାମଗଡ଼। ପ୍ରାୟ ୭୦ପରିବାର ବସବାସ କରୁଥିବା ଏହି ଗାଁକୁ ଏ ପର୍ଯ୍ୟନ୍ତ ହୋଇପାରିଲା ନାହିଁ ପକ୍କା ରାସ୍ତା। ଘାଟିକୁ କାଟି ଗାଁକୁ ରାସ୍ତା କରିବା ପାଇଁ ବନ ବିଭାଗର ଅନୁମତି ଆବଶ୍ୟକ ପଡ଼ୁଛି। ଯାହାଫଳରେ ବିଳମ୍ବ ହୋଇ ଚାଲିଛି ରାସ୍ତା କାମ। ଗତ ଶୁକ୍ରବାର ଦିନ ରାତିରେ ଏହି ଗାଁର ଦାଶ ଭାତବାଇଙ୍କ ପତ୍ନୀ ଡମାଇ ଭାତବାଇଙ୍କ ପ୍ରସବ ବେଦନା ହୋଇଥିଲା। ତେବେ ରାତିରେ ଘାଟି ତଳକୁ ଓହ୍ଲାଇ ମେଡିକାଲ ଯିବା ସମ୍ଭବ ହୋଇ ନଥିଲା।
ଗାଁର କିଛି ମହିଳା ହିଁ ଡମାଇଙ୍କ ପ୍ରସବ କରାଇଥିଲେ। ଜନ୍ମ ହେବାର କିଛି ଘଣ୍ଟା ପରେ ହିଁ ଶିଶୁଟି ଅସୁସ୍ଥ ହୋଇଯାଇଥିବା ବେଳେ ଶରୀର ସାରା ଫଟୋକା ହୋଇଯାଇଥିଲା। ପରଦିନ ସ୍ଥାନୀୟ ଆଶା କର୍ମୀ ଗାଁରେ ପହଞ୍ଚି ଉଭୟ ମା’ ଏବଂ ଶିଶକୁ ଦେଖି ଯାଇଥିଲେ କିନ୍ତୁ ମେଡିକାଲ ନେବାକୁ ପରାମର୍ଶ ଦେଇ ନଥିଲେ। ଶିଶୁଟିର ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହୋଇ କାନ୍ଦ ଆଦୌ ବନ୍ଦ ହୋଇ ନଥିଲା। ଯାହାଫଳରେ ବାଧ୍ୟ ହୋଇ ପ୍ରସୂତି ଜଣକ ଶିଶକୁ ନେଇ ମେଡିକାଲ ବାହାରିଥିଲେ। ଗାଁରୁ କିଛି ଲୋକ ବି ତାଙ୍କ ସହ ଆସିଥିଲେ। ପ୍ରାୟ ୪କିଲୋମିଟର ପାହାଡ଼ିଆ ରାସ୍ତା ଅତିକ୍ରମ କରିବା ପରେ ସେମାନେ ତଳକୁ ଓହ୍ଲାଇଥିଲେ। ଏହାପରେ ଗୋଟିଏ ଅଟୋ ଯୋଗେ ମେଡିକାଲ ନିଆଯାଇଥିଲା।
ଏ ନେଇ ଆଶା କର୍ମୀ କହିଛନ୍ତି ଯେ ଶୁକ୍ରବାର ବିଳମ୍ବିତ ରାତିରେ ପ୍ରସବ ଜନିତ ଯନ୍ତ୍ରଣା ହେଉଥିବା ଖବର ମିଳିଥିଲା। ତେବେ ରାତିରେ ପାହାଡ଼ ଉପର ଗାଁକୁ ଯିବା କିମ୍ବା ପାହାଡ଼ ତଳକୁ ଆଣିବା ସମ୍ଭବ ନଥିଲା। ତେଣୁ ପରଦିନ ଯାଇ ଶିଶୁ ଓ ମାର ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ । ଉଭୟ ସୁସ୍ଥ ଥିଲେ। ତେବେ କାହିଁକି ଶିଶୁଟିର ଦେହରେ ଫୋଟକା ହେଲା ଜଣାପଡ଼ୁନି। ସେଥିପାଇଁ ଡାକ୍ତରଙ୍କୁ ଦେଖାଇବାକୁ ଆଜି ନିଆଯାଉଛି ବୋଲି ସେ କହିଛନ୍ତି।
ଅନ୍ୟପଟେ ଗାଁର ବହୁ ଲୋକ ଜୟପୁର ଆସି ଉପଜିଲ୍ଲାପାଳ ଏବଂ ବିଡିଓଙ୍କୁ ଭେଟିଥିବାର ସୂଚନା ମିଳିଛି । ରାସ୍ତା ନ ଥିବାରୁ କିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଜଣାଇଥିଲେ। ବନ ବିଭାଗ ପକ୍ଷରୁ ଗଛ କାଟିବା ନିମନ୍ତେ ଅନୁମତି ମିଳିଯିବ। ଏହାପରେ ରାସ୍ତା କାମ ଆରମ୍ଭ ହେବ ବୋଲି ଉପଜିଲ୍ଲାପାଳ ଲୋକନାଥ ଦଳବେହେରା ଏବଂ ବିଡିଓ ସୂରଜ କୁମାର ପଟ୍ଟନାୟକ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଗାଁର ଇଛୁ ମୁଦୁଲି, ଗଙ୍ଗା ମୁଦୁଲି, ସାନୁ ମୁଦୁଲି, ମଧୁ ମୁଦୁଲି, ଗୁରୁବନ୍ଧୁ ମୁଦୁଲି, ଲୋକନାଥ ମୁଦୁଲି, ମଦନ ମୁଦୁଲି, ଜଗବନ୍ଧୁ ମୁଦୁଲି, ଶଙ୍କର ପରଜା, ଡମୁ ମୁଦୁଲି, ରାଗ ବିନ୍ଧାଣି, ଡମୁ ପରଜା, ଚନ୍ଦ୍ର ବାତବାଇ ଓ ଲଛମାନ ମୁଦୁଲି ପ୍ରମୁଖଙ୍କ କହିବା ହେଲା ବନ ବିଭାଗ ସହ ବିଡିଓ ଆଲୋଚନା କରି ସାରିଛନ୍ତି। ପୂଜା ଶେଷ ହେବାପରେ ଗଛ କାଟି ଗାଁକୁ ରାସ୍ତା ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି।
from Kanak News https://ift.tt/2o06ftu https://ift.tt/2movqFs
No comments: