ଶେଷରେ ଗିରଫ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ Rajalaxmi Sahoo

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ଲୁଚକାଳି ନାଟକରେ ଯବନିକା ପଡ଼ିଛି। ସିବିଆଇ ଏବଂ ଇଡିକୁ ଦୀର୍ଘ ୩୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପାଇଁ ଲୁଚିବାରେ ସକ୍ଷମ ହୋଇଥିବା ଚିଦାମ୍ବରମ୍‌ଙ୍କୁ ସିବିଆଇ ତାଙ୍କୁ ତାଙ୍କ ଘରୁ ହିଁ ଉଠାଇ ନେଇଛି। ଏହା ପରେ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ ମଧ୍ୟ କରାଯାଇଛି।

ପୂର୍ବରୁ ତାଙ୍କୁ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଥମେ ଦେଖିବାକୁ ମିଳିଥିଲା। ସେଠାରୁ ସେ ତାଙ୍କ ଘରେ ପହଞ୍ଚିଥିଲେ। ତାଙ୍କ ପଛେ ପଛେ ସିବିଆଇ ଟିମ୍‌ ମଧ୍ୟ ସେଠାରେ ପହଞ୍ଚି ଯାଇଥିଲା। ଫାଟକ ଖୋଲିବାକୁ ୨ ମିନିଟ୍‌ ଅପେକ୍ଷା କରିବା ପରେ ସିବିଆଇ ଟିମ୍‌ କାନ୍ଥ ଡେଇଁ ତାଙ୍କ ଘରେ ପଶିଥିଲେ। ଏହାପରେ ଇଡି ଟିମ୍ ଏବଂ ୨୦ ଜଣିଆ ଦିଲ୍ଲୀ ପୁଲିସ୍‌ ଟିମ୍‌ ମଧ୍ୟ ପହଞ୍ଚିଥିଲେ। ୩ଟି ସିବିଆଇ ଟିମ୍‌ ଘର ଭିତରେ ହିଁ ଚିଦାମ୍ବରମ୍‌ଙ୍କୁ ପଚରାଉଚରା କରିବା ପରେ ତାଙ୍କୁ ନିଜ ହେପାଜତକୁ ନେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ତାଙ୍କୁ ପ୍ରଥମେ ଆରଏମ୍‌ଏଲ୍‌ ହସ୍ପିଟାଲକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା। ଏହାପରେ ତାଙ୍କୁ ସିବିଆଇ ମୁଖ୍ୟାଳୟକୁ ନିଆଯାଇଛି। ଆଜି ତାଙ୍କୁ ସିବିଆଇ କୋର୍ଟରେ ହାଜର କରାଯିବ।

ତେବେ ନାଟକର ଶେଷ ପର୍ଯ୍ୟାୟରେ ତଦନ୍ତକାରୀ ଟିମ୍‌ଙ୍କୁ ବେଶ କସରତ କରିବାକୁ ପଡ଼ିଥିଲା। କାରଣ ଚିଦାମ୍ବରମ୍‌ଙ୍କ ବାସଭବନ ଆଗରେ ବେଶ୍‌ କିଛି କଂଗ୍ରେସ କର୍ମୀଙ୍କୁ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନାରାବାଜି କରିବାର ଦେଖିବାକୁ ମିଳିଥିଲା। ଫଳରେ ସେଠାରେ ବିଜେପି ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ହାତାହାତି ହୋଇଥିବାର ଚିତ୍ର ସାମ୍ନାକୁ ଆସିଥିଲା।

ଗତକାଲିଠାରୁ ଚିଦାମ୍ବରମ୍‌ଙ୍କୁ ଇଡି ଏବଂ ସିବିଆଇ ଖୋଜି ବୁଲୁଥିଲା। ଦୀର୍ଘ ୨୭ ଘଣ୍ଟା ପରେ ସେ କଂଗ୍ରେସ କାର୍ଯ୍ୟାଳୟଠାରେ ଉଭା ହୋଇଥିଲେ।

ଚିଦାମ୍ବରମ୍‌ ଦିଲ୍ଲୀ ହାଇକୋର୍ଟରୁ ଆଗୁଆ ଜାମିନ୍‌ ପାଇବାରୁ ନିରାଶ ହେବାପରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କୋର୍ଟ ଜରୁରୀକାଳୀନ ଭିତ୍ତିରେ ଏହାର ଶୁଣାଣି ପାଇଁ ସ୍ପଷ୍ଟ ମନା କରିବା ସହିତ ଶୁକ୍ରବାର ଏହି ପିଟିସନ୍‌ର ଶୁଣାଣି ହେବ ବୋଲି କହିଛନ୍ତି।

ଚିଦାମ୍ବରମ୍‌ଙ୍କୁ ଆଗୁଆ ଜାମିନ୍‌ ବିରୋଧରେ ଗତକାଲି ସିବିଆଇ ପକ୍ଷରୁ ସୁପ୍ରିମ୍‌କୋର୍ଟଙ୍କୁ କୁହାଯାଇଥିଲା, ଏହା ଏକ ବଡ଼ ଧରଣର ମନି ଲଣ୍ଡରିଂ ମାମଲା।

ମିଳିଥିବା ସୂଚନା ଅନୁଯାୟୀ, ତଦନ୍ତକାରୀ ସଂସ୍ଥା ବର୍ତ୍ତମାନ ଚିଦାମ୍ବରମ୍‌ଙ୍କ ବିରୋଧରେ ଚାଲିଥିବା ତଦନ୍ତ ପରିସରକୁ ଆହୁରି ବଢ଼ାଇ ଦେଇଛନ୍ତି। ଅର୍ଥାତ ଆଉ କିଛି ମନି ଲଣ୍ଡରିଂ ମାମଲା ମଧ୍ୟ ଚିଦାମ୍ବରମ୍‌ଙ୍କ ନାମରେ ଯୋଡ଼ା ସରିଛି। ଏହି ସବୁ ମାମଲାରେ ଅଭିଯୋଗ ଆସିଛି ଯେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ବରମ୍‌ ନିଜ କ୍ଷମତାର ଦୁରୁପଯୋଗ କରି ଆର୍ଥିକ ଫାଇଦା ହାସଲ କରିଥିଲେ।



from OTV Khabar. https://ift.tt/2Zas8I2
ଶେଷରେ ଗିରଫ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ Rajalaxmi Sahoo ଶେଷରେ ଗିରଫ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ Rajalaxmi Sahoo Reviewed by SUBHENDU BARAL on August 21, 2019 Rating: 5

No comments:

Powered by Blogger.