ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ୨ ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଏହାକୁ ନଜରରେ ରଖି ସମସ୍ତ ଜିଲ୍ଲାପାଳ ମାନଙ୍କୁ ବନ୍ୟା ଓ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ।
ସ୍ୱତନ୍ତ୍ର ରିଲିଫ୍ କମିଶନର ଏନେଇ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଏହି ସମୟରେ ଉତ୍ତର ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲା ସହ ମୟୂରଭଞ୍ଜ, ସୋନପୁର, କେନ୍ଦୁଝର, ବଲାଙ୍ଗିର, ବରଗଡ଼, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ସେହିପରି ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ତାସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲା ଯଥାକ୍ରମେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ସହ ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ଅନୁଗୁଳ ଓ ଢେଙ୍କନାଳ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ହେଲେ ଓ୍ୱାଟର ଲଗିଂ ସହ ବନ୍ୟା ପରିସ୍ଥିତି ଉପୁଜିବାର ସମ୍ଭାବନା ଥିବାରୁ ଏହାର ମୁକାବିଲା ଲାଗି ପ୍ରଶାସନିକ ସ୍ତରରେ ସମସ୍ତ ଅଧିକାରୀ ସତର୍କ ନଜର ରଖିବା ସହ କ୍ଷେତ୍ର କର୍ମଚାରୀଙ୍କୁ ଆବଶ୍ୟକ ସରଞ୍ଜାମ ସହ ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ କୁହାଯାଇଛି।
ଏଥିସହ ଶୁଖିଲା ଖାଦ୍ୟ, ପିଇବା ପାଣି, ଔଷଧ ଓ ପରିମଳ ସାମଗ୍ରୀ ମହଜୁଦ୍ କରି ରଖିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ସମୁଦ୍ର ଭିତରକୁ ନଯିବାକୁ ମତ୍ସଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।
from OTV Khabar. https://ift.tt/2P2NpyG
No comments: