୨ ମହିଳା ହକି ଖେଳାଳିଙ୍କୁ ହତ୍ୟା: ଅଭିଯୋଗ ଆଣିଲେ ପରିବାର ଲୋକେ Kanak News

କନକ ବ୍ୟୁରୋ: ଝାଡ଼ଖଣ୍ଡ ରାଜ୍ୟ ବୀରୁ ଆରାନୀ ଜଙ୍ଗଲରେ ଦୁଇ ମହିଳା ହକି ଖେଳାଳିଙ୍କ ମୃତ୍ୟୁ ସନ୍ଦେହ ଘେରରେ। ଯୋଜନାବଦ୍ଧ ଭାବେ ଉଭୟଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦେବା ପାଇଁ ଗଛରେ ଝୁଲାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ପାରିପାର୍ଶ୍ବିକ ସ୍ଥିତି ଓ ଦୁଇ ଖେଳାଳିଙ୍କ ମୃତ ଶରୀରକୁ ଅନୁଧ୍ୟାନ କଲେ ଏହା ପ୍ରମାଣିତ ହେଉଥିବା ସେମାନେ କହିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ସେଣ୍ଟମେରୀ କନଭେଣ୍ଟ ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଶ୍ରଦ୍ଧା ସାଲୋନୀ ସୋରେଙ୍ଗ (୧୪) ଏବଂ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଲଛଡା ଜିପିଟୋଲିର ସୁନନ୍ଦିନୀ ବାଗେ (୧୬ ) ଅଲଗା ସ୍କୁଲରେ ପାଠ ପଡୁଥିଲେ ବି ହକି ଖେଳାଳି ଭାବେ ପରସ୍ପରକୁ ଜାଣିଥିଲେ। ଶ୍ରଦ୍ଧା ଝାଡ଼ଖଣ୍ଡ ରାଜ୍ୟ ଭୁକୁମୁଣ୍ଡା ପତ୍ରାଟୋଲିରେ ରହି ନିୟମିତ ସ୍କୁଲକୁ ଯା’ ଆସ କରୁଥିଲେ। ସୁନନ୍ଦିନୀ ହମିରପୁରସ୍ଥିତ ଏକ ଘରୋଇ ମେସରେ ରହି ହକି ଖେଳ ଅଭ୍ୟାସ କରୁଥିଲେ। ଶନିବାର ଦିନ ସ୍କୁଲ୍ ଯିବାକୁ କହି ଶ୍ରଦ୍ଧା ଘରୁ ବାହାରି ଯାଇଥିଲେ। କିନ୍ତୁ ସ୍କୁଲ୍କୁ ନ ଯାଇ ସୁନନ୍ଦିନୀ ସହିତ ସିମ୍ଡେଗା ଯାଇଥିଲେ।

ତେବେ ଉଭୟ ଶ୍ରଦ୍ଧା ଓ ସୁନନ୍ଦିନୀ ନିଜେ ସିମଡେଗା ଯାଇଥିଲେ ନା ସେମାନଙ୍କୁ କିଏ ଡାକି ନେଇଥିଲା ତାହା ସ୍ପଷ୍ଟ ହୋଇନାହିଁ। ଶ୍ରଦ୍ଧାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଶ୍ରଦ୍ଧା କେବେ ବି ସିମଡେଗା ଯାଇନାହିଁ। ସେଠାରେ ତାଙ୍କର କେହି ସମ୍ପର୍କୀୟ ନାହାନ୍ତି। ଶ୍ରଦ୍ଧା ପାଖରେ ମୋବାଇଲ୍ ଫୋନ ନାହିଁ। ଆନନ୍ଦିନୀ ସହିତ ଯିବା ପାଇଁ ଯୋଗାଯୋଗ କରିବାକୁ କିମ୍ବା ଆନନ୍ଦିନୀ ତା’ ସହିତ ଯୋଗାଯୋଗ କରିବାକୁ କାହାରି ସହାୟତା ନେଇଥିବ। ଆନନ୍ଦିନୀ ଓ ଶ୍ରଦ୍ଧା ସିମଡେଗାର ଏକ ହୋଟେଲରେ ଜଳପାନ କରୁଥିବା କେତେକ ଦେଖିଥିଲେ। ସେମାନଙ୍କ ସହିତ ଅନ୍ୟ ଜଣେ ଥିବା କୁହାଯାଉଛି।

ଶବ ଝୁଲୁଥିବା ସ୍ଥାନର କିଛି ଦୃଶ୍ୟ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଦୁଇ ଛାତ୍ରୀଙ୍କ ମୁହଁ ଘୋଡ଼ା ଯାଇଥିବା ଅବସ୍ଥାରେ ରଶିରେ ଝୁଲୁଥିଲା। ଯେଉଁ ଦୁଇଟି ଗାମୁଛା ମୁହଁରେ ଥିଲା ତାହା ଉଭୟ ବ୍ୟବହାର କରୁ ନଥିଲେ। ଶ୍ରଦ୍ଧା ବ୍ୟବହାର କରୁଥିବା ଏକ ଗାମୁଛା ତାର ସ୍କୁଲ୍ ବ୍ୟାଗରେ ଅଛି। ଦୁଇ ଜଣଙ୍କ ପାଦ ମାଟିକୁ ଛୁଇଁଥିଲା। ଜଣଙ୍କ ପାଦରେ ଚପଲ ଲାଗିଥିଲା ଏବଂ ଅନ୍ୟ ଜଣଙ୍କ ଠିକ୍ ପାଦ ତଳେ ଚପଲ ଥିଲା। ଚପଲ ପିନ୍ଧି ଗଛରେ ଚଢିବା ସହଜ ନୁହେଁ। ଉଭୟଙ୍କ ସ୍କୁଲ୍ ବ୍ୟାଗ୍ ସେହି ଗଛରେ ଓହଲା ହୋଇଥିଲା। ଶ୍ରଦ୍ଧାର ସ୍କୁଲ୍ ବ୍ୟାଗରେ ବହି ନଥିଲା। ସେଥିରେ ପ୍ରାୟ ୧୦ ଫୁଟ୍ ଲମ୍ବର ଏକ ରସି ଥିଲା। ଶବ ନିକଟରେ ଗୋଟିଏ ପାଣି ବୋତଲ, ଏକ ବିସ୍କୁଟ୍ ଜରି, ଗୋଟିଏ ଶିବା ଛାପ ଖଇନି ଜରି ପଡିଥିଲା।

ଏଥିରୁ ଏହି ଦୁଇ ଛାତ୍ରୀଙ୍କ ସହ ସେଠାରେ ଅନ୍ୟ କେହି ଉପସ୍ଥିତ ଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଶନିବାର ରାତିରେ ଏହି ଗଛ ମୂଳ ପାଖକୁ ଏକ ଗାଡ଼ି ଆସିଥିଲା। ତେଣୁ ବାହାରେ ହତ୍ୟା କରାଯାଇ ଉଭୟଙ୍କୁ ଆଣି ଏଠାରେ ଟାଙ୍ଗି ଦିଆଯାଇଥିବା ଲୋକେ ସନ୍ଦେହ କରୁଛନ୍ତି। ଶନିବାର ସଂଧ୍ୟାରେ ଶ୍ରଦ୍ଧାର ମା’ ପାଖକୁ ବିଭିନ୍ନ ନମ୍ବରରେ ‘ଶ୍ରଦ୍ଧା ଘରେ ପହଞ୍ଚିଲା କି ନାହିଁ’ କହି କଲ୍ ଆସିଥିଲା। ଉଭୟଙ୍କ ମୃତ୍ୟୁଖବର ପରିବାର ଲୋକେ ପାଇ ନଥିବା ବେଳେ ସୁନନ୍ଦିତା ରହୁଥିବା ହଷ୍ଟେଲ୍ରୁ ତାର ଆସବାବପତ୍ରକୁ ଗୁରୁଣ୍ଡିଆ ପଠାଇ ଦିଆଯାଇଥିଲା। ଏଥିରୁ ଉଭୟଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଉଭୟଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ହେବ ବୋଲି ଆଲୋଚନା ହେଉଛି।



from Kanak News https://ift.tt/2Z4kz4M https://ift.tt/2ZUNvK0
୨ ମହିଳା ହକି ଖେଳାଳିଙ୍କୁ ହତ୍ୟା: ଅଭିଯୋଗ ଆଣିଲେ ପରିବାର ଲୋକେ Kanak News ୨ ମହିଳା ହକି ଖେଳାଳିଙ୍କୁ ହତ୍ୟା: ଅଭିଯୋଗ ଆଣିଲେ ପରିବାର ଲୋକେ Kanak News Reviewed by SUBHENDU BARAL on August 12, 2019 Rating: 5

No comments:

Powered by Blogger.