ଏବେବି ଅନ୍ଧବିଶ୍ୱାସର ଅର୍ଗଳିରୁ ବାହାରି ପାରୁନି ମଣିଷ । ଆଧୁନିକ ଯୁଗରେ ବି ଚାଲିଛି ଗୁଣିଆ ଚିକିତ୍ସା । ରୋଗ ଭଲ ପାଇଁ ରୋଗୀ ଖାଉଛନ୍ତି କାମୁଡା । Kanak News

ମାନବ ସମାଜ ଯାଇ ଚନ୍ଦ୍ରପୃଷ୍ଠରେ ପହଞ୍ଚିଲାଣି। କିନ୍ତୁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଲୋକେ ଏବେ ବି ଅନ୍ଧବିଶ୍ବାସର ଅର୍ଗଳିରୁ ବାହାରି ପାରିନାହାନ୍ତି। ଛୋଟମୋଟ ସମସ୍ୟା ହେଲେ ଗୁଣିଆ ତଥା ଦିଶାରୀ ନିକଟକୁ ଚାଲିଯାଉଛନ୍ତି। ରୋଗ ହେଲେ ଝଡ଼ାଫୁଙ୍କା ଉପରେ ଅତୁଟ ବିଶ୍ବାସ ରହିଥିବାବେଳେ ଏଥିପାଇଁ ଅସହ୍ୟ ଯନ୍ତ୍ରଣା ଭୋଗିବାକୁ ବି ପଛାଇ ନାଥାନ୍ତି। ଯାହାର ମାରାତ୍ମାକ ପ୍ରଭାବ ପଡ଼ିବା ସତ୍ତ୍ବେ ପରଂପରା ନାଁରେ ଚାଲିଥିବା ଅକଥନୀୟ ନିର୍ଯାତନା ଠାରୁ ଦୂରେଇ ପାରୁନାହାନ୍ତି। ଏମିତି କିଛି ଘଟଣା ଘଟିଛି ଜିଲ୍ଲାର କାଲିମେଳା ବ୍ଲକରେ। ଆଦିବାସୀ ସଂପ୍ରଦାୟର ଜଣେ ଗୁଣିଆ (ଆଦିବାସୀ ଭାଷାରେ ବାଡ଼େ) କିପରି ଜଣେ ଜ୍ୱରରେ ଆକ୍ରାନ୍ତ ହୋଇଥିବା ମହିଳାଙ୍କୁ କାମୁଡ଼ି କାମୁଡ଼ି ଚିକିତ୍ସା କରୁଛନ୍ତି ଦେଖିବାକୁ ମିଳିଛି। ଏହି ଦୃଶ୍ୟ ଦେଖିବାକୁ ଯେତିକି ଆଶ୍ଚର୍ଯ୍ୟ ଜନକ ସେତିକି ହୃଦୟ ବିଦାରକ।
କାଲିମେଳା ବ୍ଲକ ଅନ୍ତର୍ଗତ ତେଲରାଇ ପଂଚାୟତର ଉର୍ମାଗୁଡ଼ା ଗ୍ରାମର ଜଣେ ଗୁଣିଆ ଆଜି ଅଜବ ତଥା ଯନ୍ତ୍ରଣା ଦାୟକ ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲା। କଷା ବେଟୀ ନାମକ ଏହି ଗୁଣିଆ ଜଣଙ୍କ ଜଣେ ମହିଳା ରୋଗୀଙ୍କୁ ସୁସ୍ଥ କରିବାକୁ ଝଡ଼ାଫୁଙ୍କା କରୁଥିଲେ। ହାତରେ ଏକ ମୟୂରପୁଛ ଧରି ରୋଗୀର ଶରୀରରେ ଆପାଦ ମସ୍ତକ ଝାଡ଼ି ଦେଉଥିବା ବେଳେ ହାତରେ କିଛି ଅରୁଆ ଚାଉଳ ମଧ୍ୟ ଧରି ରହିଥିଲା। ଏମିତିରେ ଶେଷ ହୋଇ ନଥିଲା ଏହି ଚିକିତ୍ସା। ଗୁଣିଆ ଜଣଙ୍କ ମହିଳା ରୋଗୀଙ୍କ ଶରୀର ସାରା କାମୁଡ଼ି ଚାଲିଥିଲା। ରୋଗୀର ପିଠି, ବେକ, ଛାତି ଓ ପେଟକୁ କାମୁଡ଼ି ଗୁଣିଆ ଜଣଙ୍କ ସଂପୂର୍ଣ୍ଣ ଭଲ ହୋଇଯିବ ବୋଲି ବିଶ୍ବାସ ଜନ୍ମାଇ ଚାଲିଥିଲା। ଅନ୍ୟପଟେ ରୋଗୀର ଶରୀର ସାରା ଦାନ୍ତର ଚିହ୍ନ ବସି ଯାଇ ସାମାନ୍ୟ କ୍ଷତ ହୋଇଛି।
ସୂଚନା ଅନୁଯାୟୀ, ଉର୍ମାଗୁଡ଼ା ଗ୍ରାମର ଦେବା ବେଟୀଙ୍କ ପତ୍ନୀ ଦୁଲେ ବେଟୀ (୫୫) ଗତ ୩ଦିନ ହେଲା ଜ୍ୱରରେ ଆକ୍ରାନ୍ତ ହୋଇ ରହିଥିଲେ। ଭୀଷଣ ଜ୍ୱର ସାଙ୍ଗକୁ ହାତଗୋଡ଼ରେ ବ୍ୟଥା ହେଉଥିଲା। ଏମିତି ସ୍ଥିତିରେ ଦୁଲେ ମେଡିକାଲ ଯିବା ପରିବର୍ତେ ଗୁଣିଆଙ୍କ ନିକଟକୁ ଗଲେ ସଂପୂର୍ଣ୍ଣ ସୁସ୍ଥ ହୋଇଯିବାର ବିଶ୍ବାସ ନେଇ ଆସିଥିଲା। ଗୁଣିଆ କାମୁଡ଼ାରୁ ଯନ୍ତ୍ରଣା ହେଉଥିଲେ ବି ସେ ଏହାକୁ ସହ୍ୟ କରି ନେଇଥିଲେ। ଚିକିତ୍ସା ପାଇଁ ହସ୍ପିଟାଲ ନଯିବା ପଛର କାରଣ ପଚାରିବାରୁ ଦୁଲେ କୌଣସି ସ୍ପଷ୍ଟ ଉତ୍ତର ଦେଇପାରି ନଥିଲେ। ଗୁଣିଆ କଷା ବେଟୀଙ୍କୁ ଏ ସଂପର୍କରେ ପଚାରିବାରୁ ଜ୍ୱର କିମ୍ବା ଝଡ଼ା ହେଉଥିବା ରୋଗୀକୁ ସେ ଗୁଣି ଗାରେଡ଼ି ଦ୍ୱାରା ସଂପୂର୍ଣ୍ଣ ଭଲ କରି ଦେଉଥିବା ପ୍ରକାଶ କରିଥିଲା। ରୋଗୀକୁ ୩ଥର ଝଡ଼ାଫୁଙ୍କା କରିଦେଲେ ରୋଗୀ ଭଲ ହୋଇଯାଏ ବୋଲି ଅତି ଦୃଢ଼ତାର ସହ କହିଥିଲେ। ସେହିପରି ରୋଗୀଙ୍କୁ କାହିଁକି ମେଡିକାଲ ନିଆଯାଉ ନାହିଁ ବୋଲି ସ୍ଥାନୀୟ ଅଙ୍ଗନବାଡି କର୍ମୀ ନନ୍ଦେ ମାଢ଼ିକୁ ପଚାରିବାରୁ ଆଦିବାସୀମାନେ ଏବେ ବି ମେଡିକାଲ ଉପରେ ଭରସା କରିପାରୁ ନାହାନ୍ତି। ଫଳରେ ସେମାନଙ୍କୁ ଯେତେ ବୁଝାଇଲେ ମଧ୍ୟ ସେମାନେ ମେଡିକାଲ ନ ଯାଇ ଗୁଣି ଗାରେଡ଼ି ଉପରେ ନିର୍ଭର କରନ୍ତି ବୋଲି ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ, ଉକ୍ତ ଗ୍ରାମରେ ଏହିପରି ଅନେକ ରୋଗୀ ମେଡିକାଲ ନ ଯାଇ ଗୁଣି ଗାରେଡ଼ି ଉପରେ ନିର୍ଭର କରି ମୃତ୍ୟୁବରଣ କରିସାରିଲେଣି। ଗତ ସପ୍ତାହରେ ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କର ଅଜଣା ରୋଗରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଗମ ଅଞ୍ଚଳରେ ବଞ୍ଚି ରହିଥିବା ଅନ୍ଧବିଶ୍ବାସକୁ ମୂଳଉତ୍ପାଟନ ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ କରିବାକୁ ସାଧାରଣରେ ଦାବି ହୋଇଛି।



from Kanak News https://ift.tt/2ZWzcV3 https://ift.tt/2Z09Nwp
ଏବେବି ଅନ୍ଧବିଶ୍ୱାସର ଅର୍ଗଳିରୁ ବାହାରି ପାରୁନି ମଣିଷ । ଆଧୁନିକ ଯୁଗରେ ବି ଚାଲିଛି ଗୁଣିଆ ଚିକିତ୍ସା । ରୋଗ ଭଲ ପାଇଁ ରୋଗୀ ଖାଉଛନ୍ତି କାମୁଡା । Kanak News ଏବେବି ଅନ୍ଧବିଶ୍ୱାସର ଅର୍ଗଳିରୁ ବାହାରି ପାରୁନି ମଣିଷ । ଆଧୁନିକ ଯୁଗରେ ବି ଚାଲିଛି ଗୁଣିଆ ଚିକିତ୍ସା । ରୋଗ ଭଲ ପାଇଁ ରୋଗୀ ଖାଉଛନ୍ତି କାମୁଡା । Kanak News Reviewed by SUBHENDU BARAL on August 12, 2019 Rating: 5

No comments:

Powered by Blogger.