
କନକ ବ୍ୟୁରୋ : ମହାରାଷ୍ଟ୍ରରେ ବନ୍ୟା ଓ ପଶ୍ଚିମବଙ୍ଗରେ ଟ୍ରକ୍ ଧର୍ମଘଟ ଯୋଗୁଁ ଏବେ ଓଡ଼ିଶା ବଜାରରେ ଆଳୁ, ପିଆଜ ଦର ବୃଦ୍ଧି ଘଟିଛି। ପିଆଜ ଦର ଅଚାନକ ୩୦ଟଙ୍କା ଛୁଇଁଥିବା ବେଳେ ଆଳୁ ଦର ୧୫ଟଙ୍କାରେ ପହଞ୍ଚିଛି। ଆଗକୁ ଏହି ଦର ବୃଦ୍ଧି ସ୍ଥିତି ସଂଗିନ୍ ହେବ ବୋଲି ଜଳଜଳ ଦେଖାଗଲାଣି। ତେଣୁ ରାଜ୍ୟ ଖାଉଟି ବିଭାଗ ସତର୍କ ନ ରହିଲେ, ଏହି ଦରବୃଦ୍ଧି ଖାଉଟିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ଏଭଳି ସମୟରେ ଅସାଧୁ ବ୍ୟବସାୟୀମାନେ ବେଆଇନ ଭାବେ ଆଳୁ ଓ ପିଆଜ ମହଜୁଦ୍ କରି ରଖିବା ଭଳି ପନ୍ଥା ଅବଲମ୍ବନ କରିବା ଆଶଙ୍କା ଥିବାରୁ ଖାଉଟିମାନେ ଶୋଷଣର ଶିକାର ହେବା ନିଶ୍ଚିତ।


ସେହିଭଳି ପଶ୍ଚିମବଙ୍ଗରେ ଚାଲିଥିବା ଟ୍ରକ୍ ଧର୍ମଘଟ ପାଇଁ ଓଡ଼ିଶା ଆଳୁ ବଜାରରେ କିଛିଟା ଉଷ୍ମତା ପରିଲକ୍ଷିତ ହୋଇଛି। ଗତ ସପ୍ତାହରେ କିଲୋ ପିଛା ୧୨ଟଙ୍କା ଥିବା ଆଳୁ ଦର ଏବେ ୧୫ ଟଙ୍କାରେ ପହଞ୍ଚିଛି। ଟ୍ରକ୍ ଧର୍ମଘଟ ଆଳୁ ଆମଦାନୀକୁ ପ୍ରଭାବିତ କରିଥିବାରୁ ଏହି ସ୍ଥିତି ଉପୁଜିଛି। ନିକଟ ଭବିଷ୍ୟତରେ ଟ୍ରକ୍ ଧର୍ମଘଟ ବନ୍ଦ ହେବା ଆଶା ନଥିବାରୁ ଆଳୁ ଦର ପୁଣି ବଢ଼ିବ ବୋଲି ଆଶଙ୍କା କରାଯାଉଛି। କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ତଥା ଆଇନଜୀବୀ ଶକ୍ତିଶଙ୍କର ମିଶ୍ରଙ୍କ କହିବା କଥା, ଏବେ କୁବେରପୁରୀରେ ପିଆଜ ପାଇକାରୀ ଦର କିଲୋ ପିଛା ୨୪ରୁ ୨୫ଟଙ୍କା ରହିଛି। ତେଣୁ ଖୁଚୁରା ବଜାରରେ ଏହି ଦର କିଲୋ ପିଛା ୩୦ ଟଙ୍କା ହେବା ସ୍ବାଭାବିକ।
ସେହିଭଳି ଟ୍ରକ୍ ଧର୍ମଘଟ ସତ୍ତ୍ବେ ଆଳୁ ଆମଦାନୀ ଏବେ ବିଶେଷ ପ୍ରଭାବିତ ହୋଇନାହିଁ। ତେଣୁ ପାଇକାରୀ ଦର ହିସାବରେ ଆଳୁ କ୍ବିଣ୍ଟାଲ ପିଛା ଏକ ହଜାରରୁ ୧୨ଶହ ଟଙ୍କା ରହିଛି। ଫଳରେ ଖୁଚୁରା ବଜାରରେ କିଲୋ ପିଛା ୧୫ ଟଙ୍କାରେ ବିକ୍ରି ହେଉଛି। ତେବେ ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତିରେ ସୁଧାର ଆସିବା ପରେ ପିଆଜ ଦର ପୁଣି ହ୍ରାସ ପାଇବ। ମାତ୍ର ପଶ୍ଚିମବଙ୍ଗରେ ଟ୍ରକ୍ ଧର୍ମଘଟକୁ ନେଇ କିଛି ଆକଳନ କରିବା ସମ୍ଭବ ହେଉନାହିଁ। ଆଗକୁ ନିର୍ବାଚନ ଥିବାରୁ ଟ୍ରକ୍ ଧର୍ମଘଟ ଜୋରଦାର ହେବା କୁହାଯାଉଛି। ତେଣୁ ଯଦି ଏହି ସ୍ଥିତି ବଳବତ୍ତର ରୁହେ, ଆଳୁ ବଜାର ତାତି ଖାଉଟିମାନଙ୍କୁ ବେଶ୍ କନ୍ଦେଇବ।
from Kanak News https://ift.tt/2P90OFE https://ift.tt/31S6iGa
No comments: