ସାମୁଦ୍ରିକ ଥାନାରେ ନାହାନ୍ତି କର୍ମଚାରୀ ! ସମୁଦ୍ରକୁ ଯିବା ପାଇଁ ନାହିଁ ଅତ୍ୟାଧୁନିକ ବୋଟ୍, ନାହିଁ ନାହିଁରେ ଚାଲିଛି ଥାନା Kanak News

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ପଟୁ ଜଳପଥରେ ଆତଙ୍କବାଦୀମାନେ ପ୍ରବେଶ କରିବାର ଆଶଙ୍କା ସୃଷ୍ଟି ହୋଇଛି। ଏଥିପାଇଁ ଗୁଇନ୍ଦା ବିଭାଗ ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଥିବା ବେଳେ ଐତିହ୍ୟସ୍ଥଳୀଗୁଡ଼ିକୁ ସୁରକ୍ଷା ବଳୟରେ ରଖିବା ପାଇଁ ହାଇଆଲର୍ଟ ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସାମୁଦ୍ରିକ ଥାନାକୁ ଜଳପଥ ଉପରେ କଡ଼ା ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ କୋଣାର୍କ ଚନ୍ଦ୍ରଭାଗାରେ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ନାହିଁ ନାହିଁର ଭିତ୍ତିଭୂମିକୁ ନେଇ ସାମୁଦ୍ରିକ ଥାନା ପରିଚାଳିତ ହେଉଥିବାର ଦେଖିବାକୁ ମିଳିଛି। ଏବେ ରାଜ୍ୟରେ ଉପକୂଳ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ମାତ୍ର ଚନ୍ଦ୍ରଭାଗାର ବଙ୍ଗୋପସାଗର ଉପକୂଳରେ ଏହି ନିୟମ କାର୍ଯ୍ୟକାରୀ ହେଉନଥିବାର ଦେଖିବାକୁ ମିଳିଛି।
ଏଠାରେ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଆବଶ୍ୟକ ଭିତ୍ତିଭୂମି ନଥିବା ବେଳେ ସନ୍ଧ୍ୟା ପରେ ବେଳାମାର୍ଗରେ ପାଟ୍ରୋଲିଂ ଏକ ପ୍ରକାର ଠପ୍ ହୋଇଯାଇଛି। ଫଳରେ କୋଣାର୍କ-ପୁରୀ ବେଳାମାର୍ଗରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉପକୂଳ ସୁରକ୍ଷାକୁ ନଜରରେ ରଖି ଚନ୍ଦ୍ରଭାଗାରେ ଏକ ସାମୁଦ୍ରିକ ଥାନା ପ୍ରତିଷ୍ଠା କରାଯାଇଛି। କିଛିଦିନ ଏହା ରାମଚଣ୍ଡୀରେ ଅସ୍ଥାୟୀ ଭାବେ କାର୍ଯ୍ୟ କରିବା ପରେ ଏବେ ଚନ୍ଦ୍ରଭାଗାକୁ ସ୍ଥାନାନ୍ତର ହୋଇଛି। ବର୍ତ୍ତମାନ ଏଠାରେ ଆବଶ୍ୟକୀୟ ସଂଖ୍ୟକ କର୍ମଚାରୀ ନଥିବା ବେଳେ ସମୁଦ୍ରରେ ପାଟ୍ରୋଲିଂ ପାଇଁ ସେମାନଙ୍କ ପାଖରେ ଅତ୍ୟାଧୁନିକ ବୋଟ୍ କିମ୍ବା ଆନୁସଙ୍ଗିକ ଉପକରଣ ନାହିଁ।
ନବକଳେବର ସମୟରେ ଚନ୍ଦ୍ରଭାଗା ସାମୁଦ୍ରିକ ଥାନାକୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଦୁଇଟି ବୁଲେଟପ୍ରୁଫ୍ ବୋଟ୍ ଆସିଥିଲା। ମାତ୍ର କିଛିମାସ ଅନ୍ତରରେ ବୋଟ୍ ଓ ଏହା ସହ ଆସିଥିବା କର୍ମଚାରୀଙ୍କୁ ମଧ୍ୟ ଅପସାରଣ କରି ନିଆଯାଇଥିଲା। ଏଭଳି ପ୍ରତିକୁଳ ପରିସ୍ଥିତି ଦେଇ ଚନ୍ଦ୍ରଭାଗାରେ ଉପକୂଳ ସୁରକ୍ଷା ଚାଲିଥିବାର ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ପ୍ରକାଶ ପାଇଛି।
from Kanak News https://ift.tt/2Z20Qig https://ift.tt/2N3qNM5
ସାମୁଦ୍ରିକ ଥାନାରେ ନାହାନ୍ତି କର୍ମଚାରୀ ! ସମୁଦ୍ରକୁ ଯିବା ପାଇଁ ନାହିଁ ଅତ୍ୟାଧୁନିକ ବୋଟ୍, ନାହିଁ ନାହିଁରେ ଚାଲିଛି ଥାନା Kanak News
Reviewed by SUBHENDU BARAL
on
August 15, 2019
Rating:
No comments: