ବନ୍ଦ ହୋଇପାରେ ୨୦ରୁ କମ୍ ପିଲା ଥିବା ସ୍କୁଲ: ବିଧାନସଭାରେ ଇଙ୍ଗିତ ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ Kanak News

କନକ ବ୍ୟୁରୋ: ୨୦ରୁ କମ୍ ପିଲା ହେଉଥିବା ସ୍କୁଲ୍ ବି ବନ୍ଦ ହୋଇପାରେ। ଏ ନେଇ ସରକାର ଚିନ୍ତା କରୁଛନ୍ତି। ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏ ନେଇ ଇଙ୍ଗିତ ଦେଇଛନ୍ତି। ଯଦିଓ ବନ୍ଦ ହେବା ନେଇ ସିଧାସଳଖ କହି ନାହାନ୍ତି, ତେବେ ଏପରି ସ୍କୁଲ୍ ଗୁଡ଼ିକ କଥା କ’ଣ କରାଯିବ ତାହା ଏବେ ଚିନ୍ତା କରାଯାଉଛି ବୋଲି ଜଣାଇଛନ୍ତି। ୧୦ରୁ କମ୍ ପିଲା ଥିବା ସ୍କୁଲକୁ ବନ୍ଦ କରିବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ସେହି ଅନୁଯାୟୀ ପ୍ରକ୍ରିୟା ଚାଲିଛି। ଦଳ, ମତ ଊର୍ଧ୍ବକୁ ଯାଇ ଶିକ୍ଷାର ଗୁଣାତ୍ମକ ବିକାଶ ନିମନ୍ତେ ସମସ୍ତେ ଏହାକୁ ସମର୍ଥନ କରିବାକୁ ମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ତେବେ କମ୍ ପିଲା ଥିଲେ ବି ଭୌଗଳିକ ଦୃଷ୍ଟିକୋଣରୁ ଯଦି ସ୍କୁଲ୍ ଚଲାଇବାର ଆବଶ୍ୟକତା ରହିଛି, ସେ ସମ୍ପର୍କରେ ଜିଲ୍ଲାପାଳ ରିପୋର୍ଟ ଦେଲେ ତାହାକୁ ନିଶ୍ଚିତ ଭାବେ ବିଭାଗ ବିଚାର କରିବ।

ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ପ୍ରାଥମିକ ଶିକ୍ଷାକୁ ଅଧିକ କ୍ରିୟାଶୀଳ ଓ ଭରସାଯୋଗ୍ୟ କରିବା ପାଇଁ ସରକାର ସବୁପ୍ରକାର ଉଦ୍ୟମ କରୁଛନ୍ତି। ୨୦୦୧-୦୨ରେ ଶିକ୍ଷା ବଜେଟ୍ ୧୩୦୩ କୋଟି ଟଙ୍କା ଥିଲା ବେଳେ ଏବେ ତାହା ୧୬,୪୯୭ କୋଟି ଟଙ୍କାରେ ପହଞ୍ଚିଛି। ଏହା ମୋଟ୍ ବଜେଟର ୧୧.୨୭%। ଏଥିରୁ ସରକାରଙ୍କ ଶିକ୍ଷା ପ୍ରତି ପ୍ରତିବଦ୍ଧତାର ସୂଚନା ମିଳୁଛି। ପାସ୍/ଫେଲ୍ ବ୍ୟବସ୍ଥା ଉଠାଇ ଦିଆଯାଇଥିଲା। କିନ୍ତୁ ଏଥିରୁ ସୁଫଳ ମିଳି ନ ଥିଲା। ତାହା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପରୀକ୍ଷାର ବ୍ୟବସ୍ଥା କରାଯାଇଛି। ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ରାଜ୍ୟସ୍ତରୀୟ ପରୀକ୍ଷା କରାଯିବ। ଏବେ ରାଜ୍ୟର ୯୧ ପ୍ରତିଶତ ଛାତ୍ରଛାତ୍ରୀ ସରକାରୀ ସ୍କୁଲ୍କୁ ଯାଉଛନ୍ତି। ତେଣୁ ସରକାରୀ ସ୍କୁଲ୍ ଉପରୁ କଦାପି ଲୋକମାନଙ୍କ ଆସ୍ଥା ତୁଟି ନାହିଁ। ଶିକ୍ଷା ବ୍ୟବସ୍ଥାକୁ ଆହୁରି ଶାଣିତ ଓ ସୁଚିନ୍ତିତ କରିବା ପାଇଁ ଖୁବ୍ ଶୀଘ୍ର ସରକାର ରାଜ୍ୟ ପରାମର୍ଶଦାତା ପରିଷଦ ଗଠନ କରିବେ। ଏଥିରେ ଜଣାଶୁଣା ଶିକ୍ଷାବିତମାନଙ୍କୁ ସଦସ୍ୟ ରଖାଯିବ।

ସମସ୍ତ ଜନ ପ୍ରତିନିଧି ଓ ଅଧିକାରୀମାନେ ସେମାନଙ୍କ ପିଲାଙ୍କୁ ସରକାରୀ ସ୍କୁଲକୁ ପଠାଇବା ପାଇଁ ଦିଆଯାଇଥିବା ପ୍ରସ୍ତାବ ଉପରେ ମନ୍ତ୍ରୀ କହିଥିଲେ, ସରକାର ଏ ନେଇ ଆଇନ୍ କରିପାରିବେନି। କିନ୍ତୁ ମୁଁ ସମସ୍ତଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ କରୁଛି ସେମାନଙ୍କ ପିଲାଙ୍କୁ ସରକାରୀ ସ୍କୁଲରେ ପାଠ ପଢ଼ାଇବାକୁ । ମନ୍ତ୍ରୀ ଆହୁରି କହିଲେ, ସରକାରୀ ସ୍କୁଲରେ ଭଲ ଫଳାଫଳ ପାଇଁ ଆମେ ଯଥାସମ୍ଭବ ଉଦ୍ୟମ କରୁଛୁ। ଭିତ୍ତିଭୂମିରେ ବିକାଶ ଆଣିଛୁ। ଗୁଣାତ୍ମକ ଶିକ୍ଷା ପାଇଁ ଆବଶ୍ୟକ ପଦେକ୍ଷପ ନିଆଯାଇଛି। ମାଟ୍ରିକରେ ଶୂନ ଫଳାଫଳ କରିଥିବା ସ୍କୁଲ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଶିକ୍ଷକ ନିଯୁକ୍ତି ନେଇ ପ୍ରକ୍ରିୟା ଚାଲିଛି। ବର୍ତ୍ତମାନ ରାଜ୍ୟରେ ଡ୍ରପ୍ ଆଉଟ୍ ୮ ପ୍ରତିଶତକୁ ଖସି ଆସିଛି। କିନ୍ତୁ ସରକାର ଏଥିରେ ସନ୍ତୁଷ୍ଟ ନାହାନ୍ତି। ଏହାକୁ ଶୂନ କରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରହିଛି।

ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, ଭାରତ ସରକାରଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମକୁ ଲାଗୁ କରିବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଅଟେ। ଏହି ଅଧିନିୟମ ବ୍ୟବସ୍ଥା ଭିତ୍ତିରେ ସରକାର ସମସ୍ତ କାର୍ଯ୍ୟ କରୁଛନ୍ତି। ପିଲାମାନଙ୍କ ବୌଦ୍ଧିକ ବିକାଶ ନିମନ୍ତେ ଦ୍ବିତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ‘ଉଜ୍ଜ୍ବଳ’ ସାମଗ୍ରୀ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ‘ଉତଥାନ’ ସାମଗ୍ରୀ ଯୋଗାଇ ଦିଆଯାଉଛି।



from Kanak News https://ift.tt/2LW9zAt https://ift.tt/2TdBzk5
ବନ୍ଦ ହୋଇପାରେ ୨୦ରୁ କମ୍ ପିଲା ଥିବା ସ୍କୁଲ: ବିଧାନସଭାରେ ଇଙ୍ଗିତ ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ Kanak News ବନ୍ଦ ହୋଇପାରେ ୨୦ରୁ କମ୍ ପିଲା ଥିବା ସ୍କୁଲ: ବିଧାନସଭାରେ ଇଙ୍ଗିତ ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ Kanak News Reviewed by SUBHENDU BARAL on August 03, 2019 Rating: 5

No comments:

Powered by Blogger.