ଛୋଟ ‘ଟଙ୍କିକିଆ’ ମୁଦ୍ରା;ମନଇଚ୍ଛା ଅଚଳ! ଗୁଜବକୁ ବିଶ୍ୱାସ ନକରି ସମସ୍ତ କଏନକୁ ଗ୍ରହଣ କରିବାକୁ ଆରବିଆଇର ନିବେଦନ Kanak News

କନକ ବ୍ୟୁରୋ: ନା ପ୍ରାମାଣିକ ଭାବେ ଦର୍ଶାଯାଇଛି ନା ଘୋଷଣା କରାଯାଇଛି। ତଥାପି ଅଚଳ ହୋଇଯାଇଛି ଟିକି ‘ଟଙ୍କିକିଆ’ ମୁଦ୍ରା! ଗୁଜବ ଯୋଗୁଁ ସଚଳ ଥାଇ ବି ଅନେକ ମୁହଁରେ ଏହା ଅଚଳ ହୋଇଯାଇଛି। ଅଟୋ ଭଡ଼ା ବାବଦକୁ ଟଙ୍କା ବଢ଼େଇଲେ ଅଟୋଚାଳକ ଗ୍ରହଣ କରୁନାହାନ୍ତି। ମେଡିସିନ୍ ବ୍ୟବସାୟୀ ଖୁଚୁରା ମଧ୍ୟରେ ଛୋଟ ଟଙ୍କିକିଆ ଫେରାଇଲେ ତାହା ନେବାକୁ ମଧ୍ୟ ଗ୍ରାହକମାନେ ଅମଙ୍ଗ ହେଉଛନ୍ତି। ଟଙ୍କିକିଆ ମୁଦ୍ରାଟେ ବଢ଼େଇ ଦେଲେ ନେବା ଲୋକ କହୁଛି, ଜାଣିନ ନା କ’ଣ ଇଏ ଆଉ ଚଳୁନି। ଏପରି ଶୁଣିବା ପରେ ମଧ୍ୟ ଟଙ୍କିକିଆ ବୋଲି ହେୟଜ୍ଞାନ କରି ଅନେକ ବ୍ୟକ୍ତି ଯୁକ୍ତି ନକରି ଲେଉଟି ଆସୁଛନ୍ତି। ଯଦିବା କେବେ କେହି ଯୁକ୍ତି କରୁଛି, ତେବେ ସେଇ ଟଙ୍କିକିଆ ପାଇବା ଲୋକଟି କହୁଛି, ଏ ଟଙ୍କିକିଆଟି ତମେ ରଖିଦିଅ। ଏହା ଆମେ କହୁନୁ, କଥା ଛଳରେ ଏପରି ଅପମାନିତ ହୋଇଥିବା ସ୍ବୀକାର କରିଛନ୍ତି ନିଜେ ଏକ ଅଟୋରେ ଆସୁଥିବା ଶିକ୍ଷକ ରମାକାନ୍ତ ପ୍ରଧାନ।

ଏକଥା ନୁହେଁ ଯେ, ବିଲ୍କୁଲ ଚଳୁନାହିଁ। ମାତ୍ର ଅଧିକାଂଶ ବ୍ୟବସାୟୀ ଓ ଗ୍ରାହକ ମଧ୍ୟ ଏ ଛୋଟ ଟଙ୍କିକିଆ ଅଚଳ ବୋଲି ଧରି ନେଇଛନ୍ତି। ବିଶେଷକରି ପାନ ଦୋକାନ, ପରିବା ବ୍ୟବସାୟୀ, ମେଡିସିନ୍ ଷ୍ଟୋରରେ ଖୁଚୁରା କାରବାର ଅଧିକ ହେଉଥିଲେ ହେଁ ଛୋଟ ଟଙ୍କିକିଆ ଗ୍ରହଣ କରାଯାଉନାହିଁ। ଟଙ୍କାଟିଏ ହୋଇଥିବାରୁ କଥାକୁ ଗୁରୁତ୍ବର ସହ ନିଆଯାଉନାହିଁ। ମାତ୍ର ଗୁଜବ ଯୋଗୁଁ ବହୁ ବ୍ୟବସାୟୀ ଓ ଗ୍ରାହକମାନେ ସମସ୍ୟାରେ ପଡ଼ୁଛନ୍ତି। ଭିକାରୀମାନେ ଏ ଗୁଜବର ଏମିତି ଶିକାର ହେଇଛନ୍ତି ଯେ ସେମାନେ ଏ ଛୋଟ ଟଙ୍କିକିଆ ଦେଲା ମାତ୍ରେ ଫେରାଇ ଦେଉଛନ୍ତି।

ଏନେଇ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଅଧିକାରୀ କହିଛନ୍ତି, ବିଭିନ୍ନ ସମୟରେ ସେଇ ଏକା ମୂଲ୍ୟର ଭିନ୍ନ ଭିନ୍ନ ଡିଜାଇନ୍ର ମୁଦ୍ରା ପ୍ରଚଳିତ ହୋଇଥାଏ। ଏହା ଅଚଳ ବୋଲି ଘୋଷିତ ହୋଇନାହିଁ। ମାତ୍ର କିଛି ବ୍ୟକ୍ତିଙ୍କ ଗୁଜବ ଯୋଗୁଁ ଏପରି ସମସ୍ୟା ସୃଷ୍ଟି ହୁଏ। ଏହି ମୁଦ୍ରା ଯେକୌଣସି ବ୍ୟକ୍ତି ଦେଇ ପାରିବ ଓ ନେଇପାରିବ। ଯଦି ଅଚଳ ବୋଲି କହି କେହି ଏ ଟଙ୍କା ଫେରାଇବାକୁ ଚାହୁଁଥିବ ତେବେ ଏନେଇ ଆଇନର ଆଶ୍ରୟ ନେଇ ହେବ ବୋଲି ସେ କହିଛନ୍ତି। ଏପରିକି ଏ ବାବଦରେ ଜଣେ କଞ୍ଜୁମର କୋର୍ଟର ମଧ୍ୟ ଆଶ୍ରୟ ନେଇପାରିବ ବୋଲି ସେ କହିଛନ୍ତି।

1 ruppee coin

ଏଇ ଗୁଜବର ପ୍ରଭାବ ସାରା ଓଡିଶାର ଗ୍ରାମୀଣ ଓ ସହରାଞ୍ଚଳରେ ଏଇ ଟଙ୍କିକିଆ ଅଚଳ ଗୁଜବ ବ୍ୟାପିଛି। ଫଳରେ ଅନେକ ଧରିନେଲେଣି ଯେ ଏଇ ମୁଦ୍ରା ଅଚଳ ହୋଇଯାଇଛି। ମାତ୍ର ଅନେକ ଜାଣି ରଖିବା ଆବଶ୍ୟକ ଯେ ଏହା ଗ୍ରହଣ ନକରିବା ଭାରତୀୟ ମୁଦ୍ରାକୁ ଅପମାନ କରିବା ସଙ୍ଗେ ସମାନ। ଯଦି ଏହାକୁ କୌଣସି ବ୍ୟାଙ୍କ୍ ଗ୍ରହଣ ନକରେ ତେବେ ସମ୍ପୃକ୍ତ ବ୍ୟାଙ୍କର ପ୍ରବନ୍ଧକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। କେବଳ ଟଙ୍କିକିଆ ନୁହେଁ, ବେଳେବେଳେ ୧୦ ଟଙ୍କିଆ ଲେଖାଥିବା ସ୍ଥାନରେ ଅଶୋକ ସ୍ତମ୍ଭ ନଥିବା ୧୦ ଟଙ୍କିଆ ମୁଦ୍ରାକୁ ବି ଅନେକ ଅଚଳ କହି ଫେରାଇ ଦେଉଛନ୍ତି।



from Kanak News https://ift.tt/2Ma4FQC https://ift.tt/2XNTCPq
ଛୋଟ ‘ଟଙ୍କିକିଆ’ ମୁଦ୍ରା;ମନଇଚ୍ଛା ଅଚଳ! ଗୁଜବକୁ ବିଶ୍ୱାସ ନକରି ସମସ୍ତ କଏନକୁ ଗ୍ରହଣ କରିବାକୁ ଆରବିଆଇର ନିବେଦନ Kanak News ଛୋଟ ‘ଟଙ୍କିକିଆ’ ମୁଦ୍ରା;ମନଇଚ୍ଛା ଅଚଳ! ଗୁଜବକୁ ବିଶ୍ୱାସ ନକରି ସମସ୍ତ କଏନକୁ ଗ୍ରହଣ କରିବାକୁ ଆରବିଆଇର ନିବେଦନ Kanak News Reviewed by SUBHENDU BARAL on August 09, 2019 Rating: 5

No comments:

Powered by Blogger.