ସରକାରୀ ସ୍କୁଲରେ ଭିତ୍ତିଭୂମି ଅଭାବ : ୭୮ ପ୍ରତିଶତ ବିଦ୍ୟାଳୟରେ ନାହିଁ ସ୍ଥାୟୀ ଖେଳପଡ଼ିଆ,ସ୍କୁଲ ପରିସରରେ ଝୁଲିରହିଛି ବିଦ୍ୟୁତ୍‌ ତାର, Kanak News

କନକ ବ୍ୟୁରୋ : ଯୋଜନା ପରେ ଯୋଜନା ହେଉଛି । ତଥାପି ସରକାରୀ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ସଜଡ଼ା ହୋଇପାରୁନି । ‘ମୋ ସ୍କୁଲ’ ପରି ଯୋଜନା ମାଧ୍ୟମରେ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବିକାଶରେ ସାମିଲ କରାଗଲା । ସରକାର ବି ଅର୍ଥ ଯୋଗାଇଲେ । ତା’ ପରେ ବି ବିଶେଷ ସଫଳତା ମିଳିପାରୁନି । ଆଜି ବି ଭିତ୍ତିଭୂମି ଅଭାବ ପରିଲକ୍ଷିତ ହେଉଛି । କେ‌ଉଁଠି ଏପର୍ଯ୍ୟନ୍ତ ସ୍ବଚ୍ଛ ପାନୀୟ ଜଳ ସୁବିଧା ହୋଇପାରିନି ତ ଆଉ କେଉଁଠି ଛାତ୍ରୀଙ୍କ ଲାଗି ଶୌଚାଳୟ ସାତ ସପନ ପାଲଟିଛି । ବର୍ଷକୁ ବର୍ଷ ସରକାରୀ ବିଦ୍ୟାଳୟଗୁଡ଼ିକର ସ୍ଥିତି ଖରାପ ହେଉଥିବାରୁ ଘରୋଇ ବିଦ୍ୟାଳୟମୁହାଁ ହେଉଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ ।

ରାଜ୍ୟର ଅଧିକାଂଶ ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ଠିକ୍‌ ନ ଥିବା ସ୍କୁଲ ମନିଟରିଂ ଆପ୍ ଜରିଆରେ ସଂଗୃହୀତ ତଥ୍ୟରୁ ଜଣାପଡ଼ିଛି । ରାଜ୍ୟର ୫୨୬୫୭ଟି ସରକାରୀ ବିଦ୍ୟାଳୟକୁ ଏଥିରେ ସଂ‌ଯୋଗ କରାଯାଇଥିବା ବେଳେ ସେଥିମଧ୍ୟରୁ ୪୧,୮୯୪ଟି ବିଦ୍ୟାଳୟରୁ ତଥ୍ୟ ସଂଗ୍ରହ କରାଯାଇଥିଲା । ମିଳିଥିବା ତଥ୍ୟ ଅନୁଯାୟୀ, ୯ ପ୍ରତିଶତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସ୍ବଚ୍ଛ ପାନୀୟ ଜଳ ମିଳୁନାହିଁ ।

୨୨ ପ୍ରତିଶତ ସ୍କୁଲରେ ପୃଥକ୍‌ ପାଇଖାନା ନଥିବା ବେଳେ ୫ପ୍ରତିଶତ ସ୍କୁଲରେ ପାଇଖାନା ଥାଇ ବି ଅଚଳ । ସବୁ ସ୍କୁଲରେ ଏପର୍ଯ୍ୟନ୍ତ ପାଚେରି ହୋଇପାରିନି ।  ୨୭ପ୍ରତିଶତ ବିଦ୍ୟାଳୟରେ ବିଦ୍ୟାଳୟ ନିରାପତ୍ତା ଯୋଜନା(ଏସଏସପି) ପ୍ରସ୍ତୁତ ହୋଇନାହିଁ । ୬ ପ୍ରତିଶତ ସ୍କୁଲରେ ଖୋଲାରେ ବିଦ୍ୟୁତ୍ ତାର ଝୁଲି ରହିଛି । ପ୍ରାୟ ୬୮ ପ୍ରତିଶତ ଶ୍ରେଣୀକକ୍ଷରେ ବିଦ୍ୟୁତ୍ ସଂଯୋଗ ନାହିଁ ।  ୭୮ ପ୍ରତିଶତ ବିଦ୍ୟାଳୟରେ ସ୍ଥାୟୀ ଖେଳ ପଡ଼ିଆ ନାହିଁ । ୩୫ ଭାଗ ସ୍କୁଲ କାନ୍ଥରେ ଫାଟ ରହିଛି । ୩୦ ପ୍ରତିଶତ ସ୍କୁଲରେ ଥିବା ଜଳାଶୟ ପାଇଁ କୌଣସି ସୁରକ୍ଷା ପାଚେରି ନାହିଁ ।

ଗତ ଜୁନ୍‌ ମାସରେ ଏଭଳି ତଥ୍ୟ ପଦାକୁ ଆସିବା ପରେ ଭିତ୍ତିଭୂମି ସଜାଡ଼ିବା ଦିଗରେ ଧାର୍ଯ୍ୟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁୟର କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ଓସେପା ପକ୍ଷରୁ ରାଜ୍ୟର ସବୁ ଜିଲା ଶିକ୍ଷା ଅଧିକାରୀ, ଜିଲା ପ୍ରକଳ୍ପ ସଂଯୋଜକ, ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି । ବିଶେଷକରି ପାନୀୟ ଜଳ, ଶୌଚାଳୟ, ବିଦ୍ୟୁତ ସଂଯୋଗ ନଥିବା ଏବଂ ଅସୁରକ୍ଷିତ ଅବସ୍ଥାରେ ଥିବା ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ନିରାପତ୍ତା ନିମନ୍ତେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି । 
ବ୍ଲକ ଠାରୁ ଆରମ୍ଭ କରି ଜିଲାସ୍ତର ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ଭିତ୍ତିଭୂମି ସଜାଡ଼ିବା ଦିଗରେ ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଉଛି, ସେ ସମ୍ପର୍କ‌ରେ ପ୍ରତି ମାସରେ ସ୍କୁଲ ମନିଟରିଂ ଆପ ଜରିଆରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି । ବିଦ୍ୟାଳୟ ଶୌଚାଳୟ ପରିଚ୍ଛନ୍ନତା ସଂକ୍ରାନ୍ତରେ ଅଭି​‌ଯୋଗ ଆସିଲେ ଏହାର ତୁରନ୍ତ ସମାଧାନ, ବିଦ୍ୟାଳୟରେ ଖେଳପଡ଼ିଆ ନଥିଲେ ତୁରନ୍ତ ବ୍ୟବସ୍ଥା କରିବା, ସ୍କୁଲ ପରିସରରେ ସ୍ଥାୟୀ ଖେଳ ପଡ଼ିଆ ନ ମିଳିବା ପର୍ଯ୍ୟନ୍ତ ନିକଟସ୍ଥ ସରକାରୀ ଜାଗାକୁ ଖେଳ ପଡ଼ିଆ ଭାବେ ବ୍ୟବହାର କରିବାକୁ ନିର୍ଦେଶ ଦିଆଯାଇଛି ।

 

ଅନ୍ୟପକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ କହିଛନ୍ତି ଯେ ସରକାରୀ ସ୍କୁଲଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କୁ ସାମିଲ କରାଯିବ । ସରପଞ୍ଚଙ୍କଠାରୁ ଆରମ୍ଭ କରି ସମିତି ସଭ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବିଧାୟକ ଓ ସାଂସଦମାନଙ୍କୁ ବ୍ୟକ୍ତିଗତ ଭାବେ ଚିଠି ଲେଖି‌ବି । ସେମାନେ ନିଜ ଅଞ୍ଚଳ ସ୍କୁଲ ସମସ୍ୟା ସମ୍ପର୍କରେ ସିଧାସଳଖ ମୋତେ ଜଣାଇପାରି‌ବେ। ଏଥିପାଇଁ ଏକ ସ୍ବତନ୍ତ୍ର ନମ୍ବର ବି ଜାରି କରାଯିବ। ଫଳରେ ସମସ୍ୟା ସମ୍ପର୍କରେ ଜାଣିବା କ୍ଷଣି ହିଁ ତାହାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ।



from Kanak News https://ift.tt/2MdxZ8z https://ift.tt/2KCG9V4
ସରକାରୀ ସ୍କୁଲରେ ଭିତ୍ତିଭୂମି ଅଭାବ : ୭୮ ପ୍ରତିଶତ ବିଦ୍ୟାଳୟରେ ନାହିଁ ସ୍ଥାୟୀ ଖେଳପଡ଼ିଆ,ସ୍କୁଲ ପରିସରରେ ଝୁଲିରହିଛି ବିଦ୍ୟୁତ୍‌ ତାର, Kanak News ସରକାରୀ ସ୍କୁଲରେ ଭିତ୍ତିଭୂମି ଅଭାବ : ୭୮ ପ୍ରତିଶତ ବିଦ୍ୟାଳୟରେ ନାହିଁ ସ୍ଥାୟୀ ଖେଳପଡ଼ିଆ,ସ୍କୁଲ ପରିସରରେ ଝୁଲିରହିଛି ବିଦ୍ୟୁତ୍‌ ତାର, Kanak News Reviewed by SUBHENDU BARAL on August 09, 2019 Rating: 5

No comments:

Powered by Blogger.