ସଡ଼କ ନିର୍ମାଣରେ ଲାଗିବ ଲୋକଙ୍କ ଟଙ୍କା: ଏନଏଚଏଆଇ ଜାରି କରିବ ‘ବଣ୍ଡ’; କିଣିପାରିବେ ସାଧାରଣ ଲୋକ, ମିଳିବ ବ୍ୟାଙ୍କଠୁ ଅଧିକ ସୁଧ Kanak News

କନକ ବ୍ୟୁରୋ: ସଡ଼କ ଭିତ୍ତିଭୂମି ବିକଶିତ କରିବା ଲାଗି ସାଧାରଣ ଲୋକ ଓ ଛୋଟ ନିବେଶକମାନଙ୍କ ଠାରୁ ପାଣ୍ଠି ଯୋଗାଡ଼ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏଭଳି ଏକ ଯୋଜନା ଉପରେ କାର୍ଯ୍ୟ କରୁଛି। ‘ବଣ୍ଡ’ ଜାରି କରି ଲୋକଙ୍କଠାରୁ ଟଙ୍କା ଯୋଗାଡ଼ କରାଯିବ। ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଏଆଇ) ଏହି ବଣ୍ଡ ଜାରି କରିବ। ସାଧାରଣ ଲୋକ ଓ ଛୋଟ ନିବେଶକମାନଙ୍କ ପାଇଁ ଏହାକୁ ଆକର୍ଷଣୀୟ କରାଯିବ। ଏହା ଉପରେ ବ୍ୟାଙ୍କ ଠାରୁ ଅଧିକ ସୁଧ ପ୍ରଦାନ କରାଯିବ। ଲୋକସଭାରେ ନିଜ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା କରୁଥିବା ବେଳେ ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏହି ଯୋଜନା ବିଷୟରେ ଆଲୋଚନା କରିଥିଲେ।

ସଡ଼କ ପରିବହନ ମନ୍ତ୍ରୀ କହିଛନ୍ତି ଯେ, ଆମ ବିଭାଗ ୮ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଉପରେ କାମ କରୁଛି। ୨୦୧୯-୨୦ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୮୩ ହଜାର କୋଟି ଟଙ୍କା ଦେଇଛନ୍ତି। ଯାତାୟାତ ବାବଦରେ ଲୋକମାନଙ୍କ ଯେଉଁ ଖର୍ଚ ହେଉଛି ତାହାକୁ ସରକାର କମାଇବାକୁ ଚାହୁଛନ୍ତି। ସେଥିପାଇଁ ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ହେବ। ଭିତ୍ତିଭୂମି ବିକାଶ ଓ ଜମି ଅଧିଗ୍ରହଣ ଉଭୟ କାର୍ଯ୍ୟ ପାଇଁ ଟଙ୍କା ଦରକାର। ଏତେ ଟଙ୍କା ଯୋଗାଡ଼ କରିବା ପାଇଁ ଆମେ ଅଭିନବ ଯୋଜନା ଉପରେ କାର୍ଯ୍ୟ କରୁଛୁ। ଲୋକମାନଙ୍କ ଠାରୁ ଆକର୍ଷଣୀୟ ନିବେଶ ଯୋଜନା ଜରିଆରେ ଟଙ୍କା ଯୋଗାଡ଼ କରାଯିବ ବୋଲି ସେ କହିଛନ୍ତି।

ଏନଏଚଏଆଇ ପକ୍ଷରୁ ଜାରି କରାଯିବାକୁ ଥିବା ବଣ୍ଡ ଉପରେ ୮% ଭଳି ଉଚ୍ଚ ହାରର ସୁଧ ପ୍ରଦାନ କରାଯିବ। ଶିକ୍ଷକ, କର୍ମଚାରୀ, କୁଲି ଓ ସାମ୍ବାଦିକମାନଙ୍କୁ ଏହି ବଣ୍ଡ କିଣିବା ପାଇଁ ପ୍ରୋତ୍ସାହିତ କରାଯିବ। ସାଧାରଣ ଲୋକମାନେ ବ୍ୟାଙ୍କରେ ଟଙ୍କା ଜମା କରି ୫.୫-୬% ସୁଧ ପାଉଛନ୍ତି। ସଡ଼କ ଭିତ୍ତିଭୂମି ବଣ୍ଡରେ ସେମାନେ ଟଙ୍କା ଖଟାଇଲେ ୮%ର ସୁଧ ପାଇପାରିବେ। ନିବେଶକମାନଙ୍କୁ ସାପ୍ତାହିକ, ମାସିକ ଓ ବାର୍ଷିକ ଭିତ୍ତିରେ ସୁଧ ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ନିବେଶକମାନେ ସୁଧ ପାଇଁ ନିଜ ପସନ୍ଦର ଅବଧି ଚୟନ କରିପାରିବେ। ଏନଏଚଏଆଇ ସାଧାରଣତଃ ଏଲଆଇସି, ଇପିଏଫ୍ଓ ଏବଂ ସେହିଭଳି ବଡ଼ ଧରଣର ନିବେଶକଙ୍କ ପାଇଁ ବଣ୍ଡ ଜାରି କରି ସଡ଼କ ଭିତ୍ତିଭୂମି ପ୍ରକଳ୍ପ ନିମନ୍ତେ ଟଙ୍କା ଯୋଗାଡ଼ କରିଥାଏ। ପ୍ରଥମ ଥର ପାଇଁ ଏହା ସାଧାରଣ ଲୋକ ଓ କ୍ଷୁଦ୍ର ନିବେଶକଙ୍କ ଠାରୁ ଟଙ୍କା ଯୋଗାଡ଼ କରିବାକୁ ଯାଉଛି।

ବଣ୍ଡ କ’ଣ?

ବଣ୍ଡ ହେଉଛି ଏକ ପ୍ରକାର ଋଣ ନିବେଶ ପ୍ରମାଣପତ୍ର ଯାହାକୁ ସରକାର, ମୁନିସପାଲିଟି, କର୍ପୋରେଟ୍ ସଂସ୍ଥା ଆଦି ଜାରି କରନ୍ତି। ସରକାର କିମ୍ବା କଂପାନି ପୁଞ୍ଜି ଯୋଗାଡ଼ କରିବା ଉଦ୍ଦେଶ୍ୟ ରଖି ବଜାରରୁ ଟଙ୍କା ଧାର ସୂତ୍ରରୁ ଆଣିବା ପାଇଁ ବଣ୍ଡ ଜାରି କରନ୍ତି। ଯେଉଁ ସଂସ୍ଥା ବଣ୍ଡ ଜାରି କରେ ତାହା ନିବେଶକଙ୍କଠାରୁ ଧାର ନେଇଥିବା ଟଙ୍କା ବଦଳରେ ଏକ ପ୍ରମାଣପତ୍ର ଦେଇଥାଏ। ତାହାକୁ ବଣ୍ଡ କୁହାଯାଏ। ସେଥିରେ କେତେ ସମୟ ପାଇଁ ଟଙ୍କା ଧାର ନିଆଯାଇଛି ଓ କେତେ ପ୍ରତିଶତ ସୁଧ ମିଳିତ ତାହା ଜଣାଇଦିଆଯାଇଥାଏ। ବଣ୍ଡ ପରିପକ୍ବ ହୋଇଗଲେ ଧାର ନେଇଥିବା ସଂସ୍ଥା (ବଣ୍ଡ ଜାରି କରିଥିବା ସଂସ୍ଥା) ନିବେଶକଙ୍କୁ ସୁଧ ସମେତ ସବୁ ଟଙ୍କା ଫେରସ୍ତ କରନ୍ତି।



from Kanak News https://ift.tt/2Gogii8 https://ift.tt/2XReBoa
ସଡ଼କ ନିର୍ମାଣରେ ଲାଗିବ ଲୋକଙ୍କ ଟଙ୍କା: ଏନଏଚଏଆଇ ଜାରି କରିବ ‘ବଣ୍ଡ’; କିଣିପାରିବେ ସାଧାରଣ ଲୋକ, ମିଳିବ ବ୍ୟାଙ୍କଠୁ ଅଧିକ ସୁଧ Kanak News ସଡ଼କ ନିର୍ମାଣରେ ଲାଗିବ ଲୋକଙ୍କ ଟଙ୍କା: ଏନଏଚଏଆଇ ଜାରି କରିବ ‘ବଣ୍ଡ’; କିଣିପାରିବେ ସାଧାରଣ ଲୋକ, ମିଳିବ ବ୍ୟାଙ୍କଠୁ ଅଧିକ ସୁଧ Kanak News Reviewed by SUBHENDU BARAL on July 21, 2019 Rating: 5

No comments:

Powered by Blogger.