ପୁଣି ଥରେ ନୂଆ ରୂପରେ ଭୁବନେଶ୍ୱର: ରାତି ହେଲେ ରଙ୍ଗବେରଙ୍ଗ ଆଲୁଅରେ ଝଟକୁଛି ରାଜଧାନୀ, ବାତ୍ୟାର ୩ମାସ ମଧ୍ୟରେ ବଦଳିଯାଇଛି ସ୍ମାର୍ଟସିଟିର ରୂପରଙ୍ଗ Kanak News

କନକ ବ୍ୟୁରୋ: ପୁଣିଥରେ ଚଳଚଞ୍ଚଳ ହୋଇ ଉଠିଛି ରାଜଧାନୀ ଭୁବନେଶ୍ୱର। ରାତି ହେଲେ ରଙ୍ଗବେରଙ୍ଗ ଆଲୁଅରେ ଝଟକୁଛି ଭୁବନେଶ୍ୱର। ବାତ୍ୟା ଫନିର ତିନି ମାସ ମଧ୍ୟରେ ଭୁବନେଶ୍ୱରର ବଦଳିଯାଇଛି ରୂପରଙ୍ଗ। ଗତ କିଛି ଦିନ ପୂର୍ବେ ବାତ୍ୟା ଫନି ରାଜ୍ୟ ରାଜଧାନୀର ମେରୁଦଣ୍ଡକୁ ଭାଙ୍ଗିଦେଇଥିଲା। ପୂରା ଭୁବନେଶ୍ୱର ଶ୍ରୀହୀନ ହୋଇପଡିଥିଲା। ଚାରିଆଡେ ଖାଁ ଖାଁ ଦିଶୁଥିଲା। ବଡ ବଡ ଗଛ ଭାଙ୍ଗି ପଡିଥିଲା, ବିଦ୍ୟୁତ୍ ଖୁଣ୍ଟ ତଳେ ଶୋଇ ରହିଥିଲା। ପୂରା ରାଜଧାନୀକୁ ୧୦ରୁ ଅଧିକ ଦିନ ଧରି ଅନ୍ଧକାର ଗ୍ରାସ କରି ରହିଥିଲା। ଆଉ ଏଭଳି ସମୟରେ ରାଜଧାନୀକୁ ପର କରି ଗାଁ ମୁହାଁ ହୋଇଥିଲେ ଲୋକ। ଲାଗୁଥିଲା ସବୁଜସୁନ୍ଦର ଭୁବନେଶ୍ୱର ସବୁକିଛି ହରାଇଦେଇଛି।

ବାଣୀବିହାରରୁ ମାଷ୍ଟର କ୍ୟାଣ୍ଟିନ, ବିମାନବନ୍ଦରରୁ ଶିଶୁଭବନ। ଅନ୍ଧାର ହେବା ମାତ୍ରେ ଝଲସି ଉଠୁଛି ସ୍ମାର୍ଟସିଟି ଭୁବନେଶ୍ୱର। ପୁଣି ଥରେ ନୂଆ ବୋହୂ ରୂପରେ ସଜେଇ ହୋଇଛି ରାଜଧାନୀ । ଧଳା ଏଲଇଡି ଲାଇଟରେ ସ୍ପଷ୍ଟ ଭାବେ ବାରି ହୋଇ ଯାଉଛି ଭୁବନେଶ୍ୱରର ସୌନ୍ଦର୍ଯ୍ୟ । ବାତ୍ୟା ଫୋନିର ବୀଭିଷିକାରେ ଛାରଖାର ହୋଇଯାଇଥିବା ଭୁବନେଶ୍ୱର ଏବେ ପୁଣିଥରେ ରଙ୍ଗୀନ ଆଲୁଅରେ ରଙ୍ଗେଇ ହୋଇ ଉଠିଛି। ଦିନର ଟାଣ ଖରାର କଷ୍ଟ ରାତି ହେବା ମାତ୍ରେ ମିଳେଇ ଯାଉଛି। କାରଣ ପୁଣିଥରେ ମନୋରଞ୍ଜନର ହବ୍ ପାଲଟିଛି ଭୁବନେଶ୍ୱର।

ଏହାଭିତରେ ଫୋନି ବାତ୍ୟାକୁ ୩ ମାସ ପୁରିବାକୁ ବସିଲାଣି । ଗ୍ରୀଷ୍ମ ବିଦା ହୋଇଛି, ଶ୍ରାବଣ ଫେରିଛି । ଆଉ ମୌସୁମୀ ବର୍ଷାର ଛିଟାରେ ପୁଣିଥରେ ସବୁଜ ସବୁଜ ଦିଶିଲାଣି ଭୁବନେଶ୍ୱର । ପୁଣିଥରେ ସଜେଇ ହେଲାଣି ଭୁବନେଶ୍ୱର। ଆଉ ଭୁବନେଶ୍ୱରର ନବକଳେବର ଦେଖି ରାଜଧାନୀକୁ ବାହୁଡିଲେଣି ଲୋକେ। ଏସବୁ ଭିତରେ ରାଜଧାନୀର ଶିଶୁ ଭବନ ଛକ ସୌନ୍ଦର୍ଯ୍ୟ ଏବେ ସମସ୍ତଙ୍କୁ ନିଜ ଆଡକୁ ଆକୃଷ୍ଟ କରୁଛି। ଶିଶୁ ଭବନ ଛକକୁ ଏଭଳି ଭାବେ ସଜାଯାଇଛି ଯେ, ବାଟରେ ଯାଉଥିବା ଲୋକଙ୍କୁ ବିମୋହିତ କରୁଛି। ପିଲାଟି ବୁଢା, ଏପରିକି ଯୁବଗୋଷ୍ଠୀ ଏଠାକୁ ଆସିଲେ ଯେମିତି ଭୁଲି ଯାଆନ୍ତି ସବୁକିଛି। ଉଜ୍ଜଳ ଆଲୁଅରେ ସ୍ମାର୍ଟସିଟିର ସୁନ୍ଦରତାକୁ ବେଶ ଉପଭୋଗ କରିବାକୁ ଭୁଲନ୍ତି ନାହିଁ। ଏହାସହ ସ୍ମାର୍ଟସିଟିର ଏହି ସ୍ମୃତିକୁ ସାଉଁଟି ରଖିବା ପାଇଁ ସେଲଫି ନେବାକୁ ଯେମିତି ଲୋକଙ୍କ ଭିତରେ ଲାଗେ ପ୍ରତିଯୋଗିତା।

ଏକାମ୍ରକ୍ଷେତ୍ର ନାଁରେ ଏଭଳି ଏକ ହ୍ୟାଙ୍ଗ ଆଉଟ୍ ଜୋନ ଶିଶୁ ଭବନ ଛକରେ ନିର୍ମାଣ କରାଯାଇଛି। ଯାହା ଭୁବନେଶ୍ୱରର ସୌନ୍ଦର୍ଯ୍ୟକୁ ଆଉ ଟିକିଏ ବଢାଇଦେଇଛି। ସନ୍ଧ୍ୟା ହେବା ମାତ୍ରେ ସ୍ମାର୍ଟ ସିଟିବାସୀଙ୍କର ଭିଡ଼ ଜମୁଛି ଏହି ଛକରେ। ସନ୍ଧ୍ୟାରୁ ଆରମ୍ଭ ହେଉଥିବା ଭିଡ ବେଶ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି। ଆଉ ଏହାସହ ଏହି ଛକ ଏବେ ରାଜଧାନୀବାସୀଙ୍କ ନୂଆ ଏଣ୍ଟରଟେନମେଣ୍ଟ ହବ୍ ପାଲଟିଛି।



from Kanak News https://ift.tt/2OzTiUb https://ift.tt/2K3gcxr
ପୁଣି ଥରେ ନୂଆ ରୂପରେ ଭୁବନେଶ୍ୱର: ରାତି ହେଲେ ରଙ୍ଗବେରଙ୍ଗ ଆଲୁଅରେ ଝଟକୁଛି ରାଜଧାନୀ, ବାତ୍ୟାର ୩ମାସ ମଧ୍ୟରେ ବଦଳିଯାଇଛି ସ୍ମାର୍ଟସିଟିର ରୂପରଙ୍ଗ Kanak News ପୁଣି ଥରେ ନୂଆ ରୂପରେ ଭୁବନେଶ୍ୱର: ରାତି ହେଲେ ରଙ୍ଗବେରଙ୍ଗ ଆଲୁଅରେ ଝଟକୁଛି ରାଜଧାନୀ, ବାତ୍ୟାର ୩ମାସ ମଧ୍ୟରେ ବଦଳିଯାଇଛି ସ୍ମାର୍ଟସିଟିର ରୂପରଙ୍ଗ Kanak News Reviewed by SUBHENDU BARAL on July 25, 2019 Rating: 5

No comments:

Powered by Blogger.