ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ହୋଇଥିବା ସାମୁଦ୍ରିକ ଝଡ଼ ‘ବାୟୁ’ ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ବର୍ତ୍ତମାନ ଏହା ଗୁଜରାଟରୁ ୪୨୦ କି.ମି. ଦୂରରେ ଅଛି।
ଭୟଙ୍କର ବାତ୍ୟାର ରୂପ ନେଇ ଆସନ୍ତାକାଲି ସକାଳେ ଏହି ସାମୁଦ୍ରିକ ଝଡ଼ ଗୁଜରାଟ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବାତ୍ୟା ‘ବାୟୁ’ ଜୁନ୍ ୧୩ ତାରିଖ ସକାଳେ ପୋରବନ୍ଦର ଏବଂ ମହୁୱା ମଝିରେ କୌଣସି ଏକ ସ୍ଥାନରେ ସ୍ଥଳଭାଗ ଛୁଇଁବ ବା ଲ୍ୟାଣ୍ଡଫଲ୍ କରିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିମି ରହିବ। ସେହିପରି ବେଳେବେଳେ ପବନର ବେଗ ୧୩୫ କିମି ରହିପାରେ ବୋଲି ଆଶଙ୍କା କରାଯାଉଛି।
ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ବାୟୁସେନା, କୋଷ୍ଟଗାର୍ଡ, ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍କୁ ସଜାଗ ରଖାଯାଇଛି। ‘ବାୟୁ’ର ପ୍ରଭାବରେ ଗୁଜରାଟ ସହ ଲାକ୍ଷାଦ୍ୱୀପ, କେରଳ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ‘ବାୟୁ’ ବାତ୍ୟାର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ଏବଂ କେନ୍ଦ୍ର ଏଥିପାଇଁ କିଭଳି ଭାବରେ ପ୍ରସ୍ତୁତ ରହିବେ ସେନେଇ ଏଥିରେ ଆଲୋଚନା ହୋଇଛି।
ଏହି ଅବସରରେ ଲୋକମାନଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଶାହ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ବିଦ୍ୟୁତ, ଟେଲିକମ୍ୟୁନିକେସନ୍, ସ୍ୱାସ୍ଥ୍ୟ ଏବଂ ପିଇବା ପାଣି ଭଳି ମୌଳିକ ଆବଶ୍ୟକତା ପୂରଣ କରିବାରେ ଯେପରି କୌଣସି ଅସୁବିଧା ନହୁଏ, ତାହା ନିଶ୍ଚିତ କରିବା ଉପରେ ଶାହ ଗୁରୁତ୍ୱ ଦେଇଛନ୍ତି। ବାତ୍ୟା ସମୟରେ ଏସବୁ ସେବା କ୍ଷେତ୍ରରେ କ୍ଷୟକ୍ଷତି ହେଲେ ତୁରନ୍ତ ସଜାଡ଼ିବା ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ସେ କହିଛନ୍ତି।
ସରକାରୀ ସୂଚନା ଅନୁଯାୟୀ, ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ‘ବାୟୁ’ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି କିଛି ସ୍ଥାନରେ ୧ ମିଟରରୁ ୧.୫ ମିଟର ଉଚ୍ଚର ଜୁଆର ସ୍ଥଳଭାଗକୁ ମାଡ଼ିଆସିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ବିଶେଷ କରି ତଳିଆ ଅଞ୍ଚଳ ଯଥା କଚ୍ଛ, ଦେବଭୂମି, ଦ୍ୱାରକା, ପୋରବନ୍ଦର, ଜୁନାଗଡ଼, ଡିଉ, ଗିର ସୋମନାଥ, ଆମ୍ରେଲି, ଭାବନଗର ଆଦି ଅଞ୍ଚଳ ଏହାଦ୍ୱାରା ଗଭୀର ଭାବରେ ପ୍ରଭାବିତ ହେବାର ଆଶଙ୍କା ରହିଛି।
from OTV Khabar. http://bit.ly/2WtOMoR
No comments: