ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ, ଦରକାର ହେଲେ, ଆସନ୍ତା ଜୁଲାଇ ୫ତାରିଖରେ ନିର୍ବାଚନ ହେବ। ଏହାସହିତ ବିହାରର ଗୋଟିଏ ଓ ଗୁଜରାଟର ୨ଟି ଆସନ ପାଇଁ ମଧ୍ୟ ଏହି ଦିନ ନିର୍ବାଚନ ହେବ। ନିର୍ବାଚନ କମିଶନ ପକ୍ଷରୁ ଏନେଇ ବିଧିବଦ୍ଧ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ ଓ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଲୋକସଭା ସାଂସଦ ଅଚ୍ୟୁତ ସାମନ୍ତ ରାଜ୍ୟସଭା ଆସନରୁ ଇସ୍ତଫା ଦେଇଥିବାରୁ ଏସବୁ ଆସନ ଖାଲି ପଡ଼ିଥିଲା। ଅଚ୍ୟୁତ ଓ ସୌମ୍ୟଙ୍କ କାର୍ଯ୍ୟକାଳ ୨୦୨୪ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଥିବାବେଳେ ପ୍ରତାପ ଦେବଙ୍କ କାର୍ଯ୍ୟକାଳ ୨୦୨୨ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ରହିଥିଲା। ଏହି ୩ ନେତାଙ୍କ ରାଜ୍ୟସଭାରେ ବାକି ଥିବା ଅବଧି ପାଇଁ ୫ତାରିଖରେ ନିର୍ବାଚନ ହେବ।
ଏହି ନିର୍ବାଚନ ପାଇଁ ଜୁନ୍ ୧୮ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ। ଜୁନ୍ ୨୫ରେ ନାମାଙ୍କନ ପତ୍ର ଦାଖଲ , ଜୁନ୍ ୨୬ରେ ପ୍ରାର୍ଥିପତ୍ର ଯାଞ୍ଚ, ୨୮ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ। ଜୁଲାଇ ୫ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ଓ ସେହିଦିନ ଅପରାହ୍ନ ୫ଟାରେ ଫଳାଫଳ ଘୋଷଣା ହେବ ବୋଲି ଜଣାପଡ଼ିଛି।
ବିଧାନସଭାରେ ଏବେ ୧୪୬ଜଣ ବିଧାୟକ ଅଛନ୍ତି। ବିଜେଡିର ୧୧୧, ବିଜେପିର ୨୩, କଂଗ୍ରେସର ୯, ଜଣେ ସିପିଏମ୍ ଓ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି। ସଂଖ୍ୟାଦୃଷ୍ଟିରୁ ଦେଖିଲେ ନିର୍ବାଚନ ହେବାକୁ ଥିବା ୩ଟି ଯାକ ରାଜ୍ୟସଭା ଆସନକୁ ବିଜେଡି ସହଜରେ ଅକ୍ତିଆର କରିବ। ରାଜ୍ୟସଭା ନିର୍ବାଚନ ଗଣିତ ଅନୁସାରେ, ପ୍ରଥମ ପସନ୍ଦ ଭୋଟ ୪୯ ଥିବାବେଳେ ବିଜେଡି ଦ୍ୱିତୀୟ ପସନ୍ଦର ଭୋଟରେ ନିଜର ତୃତୀୟ ପ୍ରାର୍ଥୀଙ୍କୁ ସହଜରେ ଜିତାଇ ପାରିବ। ତୃତୀୟ ପ୍ରାର୍ଥୀ ପାଇଁ ବିଜେପି କିମ୍ବା କଂଗ୍ରେସ ପାଖରେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ନାହିଁ।
from OTV Khabar. http://bit.ly/2XSJxAs
No comments: