ବଣ୍ଡାଘାଟିରେ ଫିକା ପଡିବ ରଥଯାତ୍ରା : କାଠ ଅଭାବରୁ ନିର୍ମାଣ ହେବ ନାହିଁ ରଥ, ଭାରରେ ବୁହାହେବେ ୩ ଠାକୁର Kanak News

କନକ ବ୍ୟୁରୋ : ସମୁଦ୍ରପତ୍ତନଠାରୁ ୫ହଜାର ଫୁଟ ଉଚ୍ଚରେ ଥିବା ବଣ୍ଡାଘାଟିରେ ଚଳିତ ବର୍ଷ ରଥଯାତ୍ରା ପାଳନ ହେବ। କିନ୍ତୁ ଏଥର ଶ୍ରୀଜିଉଙ୍କ ପାଇଁ ନିର୍ମାଣ ହେବ ନାହିଁ ରଥ। ଭାରୁଆଙ୍କ କାନ୍ଧରେ ଭାଇ, ଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିର ଯିବେ କଳା ଠାକୁର। କାଠ ଅଭାବରୁ ପ୍ରଥମ ଥର ପାଇଁ ଅନ୍ଧାରୀ ମୂଲକ ଭାବେ ପରିଚିତ ବଣ୍ଡାଘାଟିରେ ଗଡ଼ିବନି ରଥ।

ଶବରଙ୍କ ଠାକୁର ଭାବେ ଶବର ଶ୍ରୀକ୍ଷେତ୍ର (କୋରାପୁଟ)ରେ ପୂଜା ପାଉଛନ୍ତି ଶ୍ରୀଜିଉ। ତେଣୁ ଆଦିବାସୀ ପରଂପରା ମଧ୍ୟରେ ବି କଳା ଠାକୁରଙ୍କ ସ୍ବତନ୍ତ୍ର ସ୍ଥାନ ରହି ଆସିଛି। ଚୈତ୍ର ପର୍ବ ପରେ ଆଷାଢ଼ ମାସରେ ଆଦିବାସୀଙ୍କ ବଡ଼ ପର୍ବ ଭାବେ ବି ରଥଯାତ୍ରାକୁ ପାଳନ କରାଯାଉଛି ଦୁର୍ଗମ ଅଞ୍ଚଳରେ। ଏମିତିରେ ଜଗନ୍ନାଥ ସଂସ୍କୃତିର ଝଲକ ମଧ୍ୟ ମାଲକାନଗିରି ଜିଲ୍ଲାର ସୁଦୂର ବଣ୍ଡାଘାଟିରେ ଦେଖିବାକୁ ମିଳେ। ଦୀର୍ଘ ବର୍ଷ ତଳେ ସ୍ଥାନୀୟ ମୁଦୁଲିପଡ଼ାଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଥିଲା। ପୁରୀ କିମ୍ବା ଶାବର ଶ୍ରୀକ୍ଷେତ୍ର ଭଳି ପୂଜାର୍ଚ୍ଚନା ହେଉ ନଥିଲେ ମଧ୍ୟ ଆଦିବାସୀ ପରଂପରା ଅନୁଯାୟୀ ଯଥାସାଧ୍ୟ ପୂଜା ପାଉଛନ୍ତି ଶ୍ରୀଜିଉ। ୫୬ଭୋଗ ବଦଳରେ ଜଙ୍ଗଲଜାତ ଫଳମୂଳକୁ ଏଠାରେ ଅଗ୍ରାଧିକାର ଦିଆଯାଏ। ସେହିପରି ୩୦ବର୍ଷରୁ ଅଧିକ ସମୟ ହେଲା ଏଠାରେ ରଥଯାତ୍ରାର ଆୟୋଜନ ହୋଇ ଆସୁଛି। ଅଣ୍ଡ୍ରାହାଲ ଏବଂ ମୁଦୁଲିପଡ଼ାର ୩୨ଟି ଗାଁର ଶହ ଶହ ଲୋକ ଏଥିରେ ସାମିଲ ହେଉଛନ୍ତି। ପରଂପରା ଅନୁଯାୟୀ ଏଥିପାଇଁ ପ୍ରତ୍ୟେକ ବର୍ଷ ରଥ ନିର୍ମାଣ ହେଉଥିଲା। ବଣ୍ଡା ସଂପ୍ରଦାୟର ବିଭିନ୍ନ ପର୍ବପର୍ବାଣୀ ରହିଥିଲେ ସୁଦ୍ଧା ରଥଯାତ୍ରାରେ ଗୋଟିଏ ସ୍ଥାନରେ ଏକାଠି ହୋଇ ପରସ୍ପର ସହ ଭାବର ଆଦାନ ପାଇଁ ପର୍ଯ୍ୟାପ୍ତ ସମୟ ମିଳୁଥିବାରୁ ଏହି ଦିନକୁ ସେମାନେ ଅପେକ୍ଷା କରି ରହିଥାନ୍ତି। ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ରଥଯାତ୍ରାରେ ସାମାନ୍ୟ ବ୍ୟତିକ୍ରମ ହେବାକୁ ଯାଉଛି। କାଠ ଅଭାବରୁ ଏଥର ରଥ ନିର୍ମାଣ ନକରିବାକୁ ନିଷ୍ପତ୍ତି ନିଆଯାଇଛି।ଖଟୁଲି କିମ୍ବା ଭାରରେ ଯାତ୍ରା ସଂପନ୍ନ କରାଯିବ ବୋଲି ସୂଚନା ମିଳିଛି। ଏପରିକି ଛୋଟିଆ ରଥ ନିର୍ମାଣ କରାଯିବ ତାହାକୁ ଭକ୍ତ ଟାଣିବା ବଦଳରେ ଭାରୁଆ କାନ୍ଧରେ ନେବେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ଯାହାକି ପୂରା ଯାତ୍ରାକୁ ଫିକା କରିବ ବୋଲି ଅନୁମାନ କରି ବଣ୍ଡାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

ପୂର୍ବରୁ ଅଳ୍ପ କିଛି ନୂଆ କାଠ ସହ ପୁରୁଣା କାଠରେ ପ୍ରତି ବର୍ଷ ରଥ ନିର୍ମାଣ ହେଉଥିଲା। ଗତବର୍ଷ ରଥଯାତ୍ରାରେ ପରେ ସେହି କାଠକୁ ପୁଣି ବ୍ୟବହାର ପାଇଁ ରଖାଯାଇଥିଲା। କିନ୍ତୁ ସେଥିରୁ ଅଧିକାଂଶ କାଠ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଜଗନ୍ନାଥ ମନ୍ଦିରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ବି ସେତେଟା ଭଲ ନାହିଁ। ବଣ୍ଡାଘାଟିରେ ରଥଯାତ୍ରା ପାଳନ କରିବାର ଅନ୍ୟ ଗୋଟିଏ ବିଶେଷତ୍ବ ବି ରହିଛି। ଅନ୍ୟ ପାରଂପାରିକ ଯାତ୍ରା ଭଳି ରଥଯାତ୍ରାରେ ମଧ୍ୟ ବଣ୍ଡା ଯୁବକ, ଯୁବତୀ ପରସ୍ପରକୁ ଜୀବନସାଥୀ ଭାବେ ବାଛିଥାନ୍ତି। ଯାତ୍ରାରେ ସମସ୍ତେ ଏକତ୍ରିତ ହୋଇ ଯାତ୍ରାର ମଜା ଉଠାଇବା ସହ ନିଜ ଜୀବନସାଥୀକୁ ବାଛିବାର ଏକ ସୁଯୋଗ ପାଇଥାନ୍ତି। ତେବେ ସେ ଯାହା ହେଉନା କାହିଁକି ବିନା ରଥରେ ମଧ୍ୟ ଲୋକେ କିଛି ଭିନ୍ନ କରି ଯାତ୍ରାର ମଜା ଉଠାଇବେ ବୋଲି ଆଶା ପ୍ରକଟ କରାଯାଉଛି। ବିନା ରଥରେ କିଭଳି ରଥଯାତ୍ରା ହେବ ତାହା ମଧ୍ୟ ଭକ୍ତ ମହଲରେ ଉତ୍କଣ୍ଠାକୁ ବଢ଼ାଇ ଦେଇଛି।



from Kanak News http://bit.ly/31AxQ3J http://bit.ly/2RiHinm
ବଣ୍ଡାଘାଟିରେ ଫିକା ପଡିବ ରଥଯାତ୍ରା : କାଠ ଅଭାବରୁ ନିର୍ମାଣ ହେବ ନାହିଁ ରଥ, ଭାରରେ ବୁହାହେବେ ୩ ଠାକୁର Kanak News ବଣ୍ଡାଘାଟିରେ ଫିକା ପଡିବ ରଥଯାତ୍ରା : କାଠ ଅଭାବରୁ ନିର୍ମାଣ ହେବ ନାହିଁ ରଥ, ଭାରରେ ବୁହାହେବେ ୩ ଠାକୁର Kanak News Reviewed by SUBHENDU BARAL on June 15, 2019 Rating: 5

No comments:

Powered by Blogger.