
କନକ ବ୍ୟୁରୋ : ସୁରଟରେ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ପରେ ଓଡ଼ିଶା ଅଗ୍ନିଶମ ବିଭାଗ ଚେତିଥିଲା । ଅଗ୍ନିକାଣ୍ଡ ଘଟଣାର ୩ଦିନ ପରେ ରାଜଧାନୀର ବିଭିନ୍ନ କୋଚିଂ ସେଣ୍ଟର୍ ଓ ପରେ ସାରା ରାଜ୍ୟରେ ଥିବା କୋଚିଂ ସେଣ୍ଟର ଉପରେ ଅଚାନକ ଚଢ଼ଉ କରିଥିଲା । ୧୫ ଦିନ ମଧ୍ୟରେ ଅଗ୍ନି ନିରାପତ୍ତା ନେଇ ସମସ୍ତ ବ୍ୟବସ୍ଥା କରିବା ପାଇଁ ବିଭାଗ ପକ୍ଷରୁ କୋଚିଂ ସେଣ୍ଟରଗୁଡ଼ିକୁ ନୋଟିସ ଜାରି କରାଯାଇଥିଲା । ଇତି ମଧ୍ୟରେ ୧୫ ଦିନ ବିତି ଯାଇଛି । ମାତ୍ର ଅଗ୍ନିଶମ ବିଭାଗ ନୋଟିସ ଜାରି କରିଥିବା କଥା ଭୁଲିଯାଇଛି । ଏନେଇ ବିଭାଗ ପାଖରେ ଖବର ନାହିଁ। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକୁ ଅଗ୍ନିଶମ ବିଭାଗ ଅତି ହାଲୁକା ଭାବେ ନେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଗତ ମେ ୨୭ ତାରିଖରେ ଅଗ୍ନି ନିରପତ୍ତା ସମୀକ୍ଷା ନେଇ ଅଗ୍ନିଶମ ବିଭାଗର ପକ୍ଷରୁ ୧୪ଟି ଟିମ୍ ରାଜଧାନୀର ଚନ୍ଦ୍ରଶେଖରପୁର, ମଧୁସୂଦନ ନଗର, ସହିଦନଗର, ନୂଆପଲ୍ଲୀ, ଆଚାର୍ଯ୍ୟବିହାର, ନୀଳକଣ୍ଠନଗର, ଫରେଷ୍ଟ ପାର୍କ, ସୈନିକ ସ୍କୁଲ୍ ଆଦି ବିଭିନ୍ନ ସ୍ଥାନରେ ଥିବା ୧୫ଟି କୋଚିଂ ସେଣ୍ଟର ଉପରେ ଚଢ଼ଉ କରିଥିଲା । ଗୋଟିଏ ଟିମ୍ରେ ଜଣେ ଫାୟାର ଅଫିସରଙ୍କ ସମେତ ୫ଜଣ ଆଗ୍ନିକ ଉପସ୍ଥିତ ରହି ଅନୁଷ୍ଠାନ ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିଥିଲେ । ତେବେ ଯାଞ୍ଚ ବେଳେ ଯେଉଁ ତଥ୍ୟ ସମ୍ନାକୁ ଆସିଥିଲା ତାହା ସମସ୍ତଙ୍କୁ ଚକିତ କରିଥିଲା । ଯଦି ଅଗ୍ନିକାଣ୍ଡ ଘଟେ ତେବେ କୌଣିସ ଏକ ଅନୁଷ୍ଠାନର ଏହାକୁ ସାମ୍ନା କରିବାକୁ ସକ୍ଷମ ନୁହେଁ ।
ଅର୍ଥାତ୍ ଜରୁରିକାଳୀନ ପରିସ୍ଥିତିର ସମ୍ମୁଖୀନ ପାଇଁ ଅନୁଷ୍ଠାନଗୁଡ଼ିକରେ ଆବଶ୍ୟକୀୟ ଭିତ୍ତିଭୂମି ନାହିଁ । ଅନୁଷ୍ଠାନ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଅଗ୍ନି ନିର୍ବାପକ ଯନ୍ତ୍ର ନାହିଁ । ଯେଉଁଠି ଅଗ୍ନି ନିର୍ବାପକ ଯନ୍ତ୍ର ରହିଛି ତାହା ଥାଇ ନଥିବା ଭଳି । ଯେଉଁ ସବୁ ଅଗ୍ନି ନିରାପତ୍ତା ଯନ୍ତ୍ରଗୁଡ଼ିକୁ ବ୍ୟବହାର କରାଯାଉଛି, ତାହା ଅତି ନିମ୍ନମାନର । ଖାଲି ଏତିକି ନୁହେଁ ଜରୁରିକାଳୀନ ସିଡ଼ିଗୁଡ଼ିକ ଅଚଳ ହୋଇ ପଡ଼ିଛି । କେତେକ ସ୍ଥାନରେ ଜରୁରିକାଳୀନ ପ୍ରସ୍ଥାନ ଦ୍ବାର ନାହିଁ । ଘର, ସିଡି ଓ ଅଗଣାରେ ଦହନଶୀଳ ପଦାର୍ଥ ଯଥା ଟାୟାର, କାର୍ଟୁନ୍, କାଠ, କାଗଜ, କପଡ଼ା ଆଦି ବର୍ଜ୍ୟ ଉପକରଣମାନ ରଖାଯାଇଛି ।
ଛାତ୍ରଛାତ୍ରୀଙ୍କ ପାଇଁ ସତର୍କ ସୂଚନା ଫଳକ ଲଗାଯାଇ ନାହିଁ । ତେଣୁ୧୫ ଦିନ ମଧ୍ୟରେ କୋଚିଂ ସେଣ୍ଟର ଗୁଡ଼ିକ ଅଗ୍ନି ନିରାପତ୍ତା ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା । ଯଦି ନିର୍ଦିଷ୍ଟ ସମୟ ମଧ୍ୟରେ ଅନୁଷ୍ଠାନ ତାହା ନ କରେ । ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାବା ସହ ଦରକାର ପଡ଼ିଲେ କୋଚିଂ ସେଣ୍ଟରେ ତାଲା ଝୁଲିପାରେ ବୋଲି ବିଭାଗ ପକ୍ଷରୁ ସର୍ତକ କରାଇ ଦିଆଯାଇଥିଲା । ତେବେ ବର୍ଷ ବର୍ଷ ଧରି ରାଜଧାନୀର କୋଚିଂ ସେଣ୍ଟରଗୁଡ଼ିକ ଏଭଳି ବିପଦସଙ୍କୁଳ ଅବସ୍ଥାରେ ଗତି କରି ଆସୁଥିଲେ ସୁଦ୍ଧା ଅଗ୍ନିଶମ ବିଭାଗ ଚୁପ୍ ରହିବା ସନ୍ଦେହ ସୃଷ୍ଟି କରିଛି ।
from Kanak News http://bit.ly/2XeqROp http://bit.ly/31CBvy3
No comments: