ଆଜି ସ୍ନାନ ପୂର୍ଣ୍ଣିମା ! ଧାଡି ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀଜୀଉ Kanak News

କନକ ବ୍ୟୁରୋ :  ଆଜି ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀମନ୍ଦିରରୁ ବାହାରି ସ୍ନାନ ବେଦୀରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତି। ଏହି ଉପଲକ୍ଷେ ଗତକାଲି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସେନାପଟା ଲାଗି ସହ ଅନ୍ୟାନ୍ୟ ନୀତି ଶେଷ ହୋଇଛି। ସ୍ନାନ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ସ୍ନାନମଣ୍ଡପ ସଜେଇ ହୋଇଛି। ସ୍ନାନମଣ୍ଡପକୁ ରଙ୍ଗ ଦେଇ ସୁସଜ୍ଜିତ କରାଯିବା ସହ ଲୁହାବାଡ଼ରେ ଆଚ୍ଛାଦିତ କରାଯାଇଛି। ମହାପ୍ରଭୁ ଶ୍ରୀମନ୍ଦିର ପରିସର ସୁନାକୂଅରୁ ୧୦୮ ଗରା ଜଳରେ ସ୍ନାନ କରିବାର ପରମ୍ପରା ରହିଥିବାରୁ  ଏହାର ଶୋଧ ହୋଇଛି।

ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ସକାଳ ସାଢ଼େ ୪ଟାରୁ ପହଣ୍ଡି ଆରମ୍ଭ ହୋଇଥିଲା । ରାତି ସାଢ଼େ ୭ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କୁ ସାହାଣମେଲା ଦର୍ଶନ କରିପାରିବେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ଆଗରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ୩୦୦ ପୁଲିସ ଅଫିସର ଓ ୧୨୪ ସେକ୍ସନ୍ ଫୋର୍ସ ମୁତୟନ କରାଯାଇଛି। ଦର୍ଶନ ବେଳେ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ ଓ ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ସାହାଣମେଲା ବାଦ୍ ପହଣ୍ଡି ଦର୍ଶନ ପାଇଁ ଟିକେଟ୍ ବ୍ୟବସ୍ଥା କରାଯାଇଛି। ପହଣ୍ଡି ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଟିକେଟ୍ କରିଥିବା ଭକ୍ତମାନଙ୍କ ଦର୍ଶନ ପାଇଁ ଦକ୍ଷିଣଦ୍ବାର ଦେଇ ପ୍ରବେଶ ବ୍ୟବସ୍ଥା କରାଯାଇଛି।

ସେପଟେ ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ଉଠିଛି। ବାତ୍ୟା ଯୋଗୁ ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ଭକ୍ତଙ୍କ ଆଗମନ ସଂଖ୍ୟା କମିଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ଭୋର ୪ଟାରେ ମଙ୍ଗଳାର୍ପଣ ନୀତି ପରେ ଡୋର ଲାଗି ଓ ପୁଷ୍ପାଞ୍ଜଳି ହୋଇ ସାଢ଼େ ୪ଟାରୁ ସ୍ନାନବେଦୀକୁ ଚତୁର୍ଦ୍ଧା ମୂର୍ତିଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ସକାଳ ୮ଟାରେ ତଡ଼ପଲାଗି, ସାଢ଼େ ୮ଟାରେ ଅଧରପୋଛା, ପୂର୍ବାହ୍ଣ ୯ଟାରେ ଅବକାଶ ନୀତି ଅନୁଷ୍ଠିତ ହେବ। ସାଢ଼େ ୯ଟାରେ ବେଶ ଶେଷ ପରେ ୯ଟା ୪୦ରେ ରୋଷହୋମ ଓ ୧୦ଟାରେ ସୂର୍ଯ୍ୟପୂଜା ନୀତି ସଂପନ୍ନ ହେବ। ପୂର୍ବାହ୍ଣ ୧୦ଟା ୨୦ରେ ଦ୍ୱାରପାଳ ପୂଜା ପରେ ୧୧ଟାରୁ ସ୍ନାନକାର୍ଯ୍ୟ ଆରମ୍ଭ ହେବ। ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଜଳବିଜେ, ପୂଜା ଓ ସ୍ନାନ ନୀତି ପରେ ଅପରାହ୍ଣ ସାଢ଼େ ୨ଟାରେ ମଇଲମ ଓ ମେକାପ ସର୍ବାଙ୍ଗ, ନୂଆ ଲୁଗା ଲାଗି ବେଶ ଅନୁଷ୍ଠିତ ହେବ।

ସାଢ଼େ ୩ଟାରେ ଗଜପତି ମହାରାଜଙ୍କ ଛେରା ପହଁରା ପରେ ଅପରାହ୍ଣ ୪ଟାରୁ ମହାପ୍ରଭୁ ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ। ସଂଧ୍ୟା ୫ଟାରେ ମହନ୍ତ ଶାଢ଼ୀବନ୍ଧା ନୀତି ଅନୁଷ୍ଠିତ ହେବ। ସଂଧ୍ୟା ସାଢ଼େ ୫ଟାରୁ ରାତି ସାଢ଼େ ୭ଟା ପର୍ଯ୍ୟନ୍ତ ଘଣ୍ଟଛତା ସକାଳ ଧୂପ ନୀତି ଅନୁଷ୍ଠିତ ହେବ। ରାତି ସାଢ଼େ ୭ଟାରୁ ସାଢ଼େ ୯ଟା ସାହାଣମେଲା ଦର୍ଶନ ହେବ। ରାତି ୧୦ଟାରେ ପୁଷ୍ପାଞ୍ଜଳି ଓ ଡୋରଲାଗି ପରେ ସାଢ଼େ ୧୦ଟାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ସାଢ଼େ ଗୋଟାଏ ସୁଦ୍ଧା ବାହୁଡ଼ା ପହଣ୍ଡି ଶେଷ ପରେ ରାତି ୨ଟାରେ ସୁନାଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ।



from Kanak News http://bit.ly/2Zzu7Sh http://bit.ly/2wZZnNX
ଆଜି ସ୍ନାନ ପୂର୍ଣ୍ଣିମା ! ଧାଡି ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀଜୀଉ Kanak News ଆଜି ସ୍ନାନ ପୂର୍ଣ୍ଣିମା ! ଧାଡି ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀଜୀଉ Kanak News Reviewed by SUBHENDU BARAL on June 16, 2019 Rating: 5

No comments:

Powered by Blogger.