କଚ୍ଛପ ଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ: ସ୍ନାନଯାତ୍ରା ପୂର୍ବରୁ ୪ ନାହାକା ସରିବା ନେଇ ଆଶଙ୍କା, ଓଭର ଟାଇମ୍ ଅନୁମତି ପାଇଁ ନୀତି ଅଧିକାରୀଙ୍କୁ ଭେଟିଲେ ମହାରଣା Kanak News

କନକ ବ୍ୟୁରୋ: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ପଛେଇ ଚାଲିଛି। ସ୍ନାନଯାତ୍ରାକୁ ଆଉ ରହିଲା ୯ଦିନ। ସ୍ନାନଯାତ୍ରା ଦିନ ତିନିରଥର ନାହାକା ଉଠିବାର ବିଧି ରହିଛି। ଏହା ପୂର୍ବରୁ ଦଣ୍ଡା, ଗରଗରା, ନାହାକା, ଗୟଳ ପ୍ରସ୍ତୁତ ହୋଇ ଯିବା କଥା। ମାତ୍ର ଏପର୍ଯ୍ୟନ୍ତ ଏହା ପ୍ରସ୍ତୁତ ହୋଇନାହିଁ। ସବୁ କାମ ଚାଲିଛି। ସ୍ନାନଯାତ୍ରା ମଧ୍ୟରେ ଏସବୁ କାମ ସରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ମହାରଣାମାନେ ଓଭର ଟାଇମ୍ କାମ କଲେ ହିଁ ସରିବ। ନହେଲେ ବିଧି ରକ୍ଷା ବି କଷ୍ଟକର ହେବ ବୋଲି ସନ୍ଦେହ ସୃଷ୍ଟି ହୋଇଛି।

 

ରଥଖଳାରେ ଆଗେଇ ଚାଲିଛି ରଥ କାମ। ବିଶ୍ବକର୍ମାମାନେ ସହଯୋଗୀ ମହାରଣାମାନଙ୍କୁ ନେଇ କାମ ଚଳାଇଛନ୍ତି। ହେଲେ ଯେଉଁ ଅନୁପାତରେ କାମ ଆଗେଇବା କଥା ତାହା ହୋଇନାହିଁ। କାମ ପଛେଇ ଚାଲିଛି। ଏପର୍ଯ୍ୟନ୍ତ ସବୁ ଚକର କାମ ସରିନାହିଁ। ପଇ ପ୍ରସ୍ତୁତ ହେଉଛି। ଆହୁରି ଚକ କାମ ବାକି ରହିଛି। ପରମ୍ପରା ଅନୁଯାୟୀ ଶୀତଳଷଷ୍ଠୀ ପରଦିନ ଅର୍ଥାତ୍ ଗୁଆଲି ଦିନ ତିନିରଥର ସବୁ ଚକ ପ୍ରସ୍ତୁତ ହୋଇଯିବା କଥା। ଗୁଆଲି ଦିଅଁ ରଥ ଚକ ଉପରେ ବିଜେ କରି ପନ୍ତି ପାଇବେ। ଦିନଟିଏ ପରେ ଗୁଆଲି ଯାତ୍ରା। ହେଲେ ସବୁ ଚକ ନିର୍ମାଣ ସରି ନାହିଁ। ଚକ ନିର୍ମାଣ ସରୁ ସରୁ ରବିବାର ହୋଇଯିବ ବୋଲି କେତେକ ମହାରଣା କହିଛନ୍ତି।

କେବଳ ସେତିକି ନୁହେଁ, ଏପର୍ଯ୍ୟନ୍ତ ଦଣ୍ଡା ପ୍ରସ୍ତୁତ ହୋଇନାହିଁ। ରଥ ସଂହିତା ଅନୁଯାୟୀ ଶ୍ରୀଜଗନ୍ନାଥଙ୍କ ରଥରେ ୯ଟି ଦଣ୍ଡା, ଦେବୀ ସୁଭଦ୍ରାଙ୍କ ରଥରେ ୭ଟି ଓ ବଡ଼ ଠାକୁରଙ୍କ ରଥରେ ୯ଟି ଦଣ୍ଡା ଲାଗିଥାଏ। ସେହିପରି ପ୍ରତି ରଥରେ ୨ଟି କରି ମୋଟ ୬ଟି ଗରଗରା ଓ ଗୟଳ ଲାଗିଥାଏ। ଏହା ଉପରେ ପ୍ରତି ରଥରେ ୪ଟି ନାହାକା ଉଠିଥାଏ। ଏହି ନାହାକା ସ୍ନାନଯାତ୍ରା ଦିନ ଉଠିବାର ବିଧି ରହିଛି। ଆଜି ପର୍ଯ୍ୟନ୍ତ କୌଣସି ଗୋଟିଏ ରଥର ଦଣ୍ଡା ପ୍ରସ୍ତୁତ ହୋଇ ପାରିନାହିଁ। ଗରଗରା, ଗୟଳ ଓ ନାହାକା କାମ ଆରମ୍ଭ ହୋଇନାହିଁ। ତେଣୁ ସ୍ନାନଯାତ୍ରା ମଧ୍ୟରେ ଏତେ ସବୁ କାମ ସାରିବା ସମ୍ଭବ ନୁହେଁ ବୋଲି ମହାରଣାମାନେ କହିଛନ୍ତି। ଏଥିପାଇଁ ଅଧିକ ସମୟ କାମ କରିବା ଆବଶ୍ୟକ। ହେଲେ ପ୍ରଶାସନ ଓଭର ଟାଇମ୍କୁ ଏ ପର‌୍ୟ୍ୟନ୍ତ ଅନୁମୋଦନ କରିନଥିବା ଜଣାପଡ଼ିଛି। ଇତିମଧ୍ୟରେ ମହାରଣାମାନେ ନୀତି ଅଧିକାରୀଙ୍କୁ ଭେଟିଛନ୍ତି। ରଥ କାମକୁ ତ୍ବରାନ୍ବିତ କରିବା ପାଇଁ ଏବେ ଠାରୁ ଓଭରଟାଇମ୍ କାମ ଆରମ୍ଭ କରିବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି। ହେଲେ ଏଦିଗରେ ପ୍ରଶାସନ ପକ୍ଷରୁ କୌଣସି ନିଷ୍ପତ୍ତି ହୋଇ ନ ଥିବାରୁ କାମ ପଛେଇ ଚାଲିଛି।



from Kanak News http://bit.ly/2Ismvd8 http://bit.ly/2I1TxBP
କଚ୍ଛପ ଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ: ସ୍ନାନଯାତ୍ରା ପୂର୍ବରୁ ୪ ନାହାକା ସରିବା ନେଇ ଆଶଙ୍କା, ଓଭର ଟାଇମ୍ ଅନୁମତି ପାଇଁ ନୀତି ଅଧିକାରୀଙ୍କୁ ଭେଟିଲେ ମହାରଣା Kanak News କଚ୍ଛପ ଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ: ସ୍ନାନଯାତ୍ରା ପୂର୍ବରୁ ୪ ନାହାକା ସରିବା ନେଇ ଆଶଙ୍କା, ଓଭର ଟାଇମ୍ ଅନୁମତି ପାଇଁ ନୀତି ଅଧିକାରୀଙ୍କୁ ଭେଟିଲେ ମହାରଣା Kanak News Reviewed by SUBHENDU BARAL on June 07, 2019 Rating: 5

No comments:

Powered by Blogger.