୧୪ର ପୁନରାବୃତ୍ତି ୧୯ରେ । ସଂଖ୍ୟା ସମାନ ରହିଲା, ଚେହେରା ବଦଳିଲା । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ ୨ ଓଡିଆ Kanak News

କନକ ବ୍ୟୁରୋ : ୧୪ର ପୁନରାବୃତ୍ତି ୧୯ରେ । ୨୦୧୪ ଭଳି ୨୦୧୯ରେ ମଧ୍ୟ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ୨ ଓଡିଆ । ସଂଖ୍ୟା ସମାନ ରହିଥିଲେ ମଧ୍ୟ ବଦଳିଛି ଚେହେରା । ଜଣେ ଲୋକସଭା ସାଂସଦ ଓ ଅନ୍ୟ ଜଣେ ରାଜ୍ୟସଭା ସାଂସଦ । ଆଜି ନୂଆ ମନ୍ତ୍ରିମଣ୍ଡଳ ସହ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମୋଦି । ଆଉ ମୋଦିଙ୍କ ଏହି ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଦୁଇ ଓଡିଆ । ପ୍ରଥମ ଥର ବାଲେଶ୍ୱର ଲୋକସଭା ଆସନରୁ ସାଂସଦ ହୋଇଥିବା ପ୍ରତାପ ଷଡଙ୍ଗୀ ଓ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ମୋଦି ।
ମୋଦିଙ୍କ ପ୍ରଥମ ପାଳିରେ ମନ୍ତ୍ରୀ ଥିବା ଧର୍ମେନ୍ଦ୍ରଙ୍କୁ ପୁଣିଥରେ ମନ୍ତ୍ରିମଣ୍ଡଳରେ ରିପିଟ୍ କରାଯାଇଥିବା ବେଳେ ନୂଆ ଚେହେରା ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ ସାମିଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ନମୋ । ତେବେ ଗତ ଥର ଭଳି ଚଳିତ ଥର ମଧ୍ୟ ଓଡିଶା କୋଟାରେ ପଡିଛି ମାତ୍ର ଗୋଟିଏ ମନ୍ତ୍ରୀ ଆସନ । ଗତ ଥର ଅପେକ୍ଷା ଚଳିତ ଥର ରାଜ୍ୟରେ ବିଜେପି ଅତି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ରାଜ୍ୟକୁ ଗୋଟିଏ ମନ୍ତ୍ରୀପଦରେ ସନ୍ତୁଷ୍ଟ ହେବାକୁ ପଡିଛି । ଯାହା ରାଜ୍ୟ ବିଜେପି ଶିବିରରେ ଟିକିଏ ନିରାଶା ଖେଳାଇ ଦେଇଛି ।

ମାତ୍ର ଗୋଟିଏ ଆସନ ଦେଇଥିବା ଓଡିଶାକୁ କ୍ୟାବିନେଟ ମନ୍ତ୍ରୀ ପଦ ଦେଇ ରାଜ୍ୟବାସୀଙ୍କୁ ଖୁସ୍ କରି ଦେଇଥିଲେ ମୋଦି । କିନ୍ତୁ ଏହି ଖୁସିର ସୀମା ସେତେବେଳେ ଡବଲ ହୋଇଯାଇଥିଲା ଯେତେବେଳେ ବିହାରରୁ ସାଂସଦ ଥିବା ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ ନମୋ । ଏପରିକି ଧର୍ମେନ୍ଦ୍ରଙ୍କ ହାତରେ ଓଜନିଆ ବିଭାଗର ଦାୟିତ୍ୱ ଦେଇ ଓଡିଶାବାସୀଙ୍କୁ ଭିନ୍ନ ସଂକେତ ଦେଇଥିଲେ ମୋଦି ।

କିନ୍ତୁ ସବୁ ଚର୍ଚ୍ଚା ଓ ଆଲୋଚନାକୁ ପଛରେ ପକାଇ ମୋଦିଙ୍କ ମନ୍ତ୍ରିମଣ୍ଡଳର ଯେଉଁ ତାଲିକା ଆସିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କାରଣ ପ୍ରଥମ ଥର ସାଂସଦ ହୋଇଥିବା ପ୍ରତାପ ଷଡଙ୍ଗୀଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇଥିଲା । ଆଉ ୮ଟି ସାଂସଦ ଦେଇଥିବା ଓଡିଶାକୁ ମାତ୍ର ଗୋଟିଏ ମନ୍ତ୍ରୀ ପଦରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଆଉ ଏହାସହ ପୂର୍ବ ପାଳିରେ କ୍ୟାବିନେଟ ପାହ୍ୟା ପାଇଥିବା ଜୁଏଲ ଓରାମଙ୍କୁ ନିରାଶ ହେବାକୁ ପଡିଛି । ତେବେ ଗତ ଥର ଭଳି ପୁଣିଥରେ ଓଡିଆ ପୁଅ ତଥା ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରି ଓଡିଶାବାସୀଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି ମୋଦି ।
from Kanak News http://bit.ly/2Wwkvtj http://bit.ly/2MfDmoI
No comments: