
ଭୁବନେଶ୍ୱର: ଜନ୍ମରୁ ମୃତ୍ୟୁ ଯାଏ ଲୋକଙ୍କ ଲାଗି ସରକାର ଅନେକ ଯୋଜନା କରୁଛନ୍ତି। ହେଲେ ବାସ୍ତବରେ ଏହାଦ୍ୱାରା ଲୋକେ କେତେ ଉପକୃତ ହେଉଛନ୍ତି ତାହାର କିଛି ଠିକ୍ ଠିକଣା ନାହିଁ। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହେଉ କି ପ୍ରଶାସନିକ ଅବହେଳା ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚୁ ନଥିବା ଅଭିଯୋଗ ହେଉଛି। ଏପରି ଅଭିଯୋଗ ଆସିଛି, ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରୁ। ଏଠାରେ ଗରିବ ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ଠିକ୍ରେ ମିଳୁ ନଥିବା ଅଭିଯୋଗ ଆସିଛି। ଏପରିକି ଅର୍ଥ ନ ମିଳିବାରୁ ଗରିବ ପରିବାର ମୃତଦେହକୁ ପୋତି ଦେଇଥିବା କହିଛନ୍ତି।
ଖାଲି ସେତିକି ନୁହେଁ, ବ୍ଲକର ବିଭିନ୍ନ ପଞ୍ଚାୟତରେ ମୃତକଙ୍କ ତାଲିକା ଲମ୍ବି ଚାଲିଥିବା ବେଳେ ଟଙ୍କା କେବେ ମିଳିବ ତାହାର ଉତ୍ତର କାହା ପାଖରେ ନାହିଁ।
ସଜନାଗଡ଼ ପଞ୍ଚାୟତର ସଜାଗଡ଼ ଗାଁରେ ଗତ ଜାନୁଆରୀ ୪ ତାରିଖରେ ବୃଦ୍ଧ ମକରା ବନ୍ଧାପିଙ୍କ ପକ୍ଷାଘାତ ରୋଗରେ ମୃତ୍ୟୁ ଘଟିଥିଲା। ୪ତାରିଖରୁ ୬ ତାରିଖ ଯାଏ ଘରେ ମୃତଦେହ ପଡ଼ି ରହିଥିଲା। ଶବ ସତ୍କାର ପାଇଁ ସମ୍ପର୍କୀୟ ସ୍ଥାନୀୟ ସରପଞ୍ଚଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ କହିଥିଲେ। ହେଲେ କେହି ବି ଜଣେ ମୃତ ମକରାଙ୍କ ଘରେ ପହଞ୍ଚି ନଥିଲେ କି ଆର୍ଥିକ ସହାୟତା ଦେଇ ନଥିଲେ ବୋଲି ଅଭିଯୋଗ କରିଛନ୍ତି। ଶେଷରେ ସମ୍ପର୍କୀୟମାନେ ୬ ତାରିଖରେ ମକରାଙ୍କ ମୃତଦେହ ନେଇ ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିଲେ।
ଏନେଇ ଖବର ପ୍ରସାରଣ ହେବା ପରେ ପ୍ରଶାସନର ନିଦ ଭାଙ୍ଗିଥିଲା। ଶବ ପଡ଼ିଥିବା ବେଳେ ପ୍ରଶାସନ ତ ଆସିଲା ନାହିଁ, ଖବର ପାଇବା ପରେ ପ୍ରଶାସନ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ଦେଇଥିଲେ। ଖୋଦ୍ ବିଡିଓ ମୃତ ମକରାଙ୍କ ପରିବାରକୁ ଏହି ସହାୟତା ରାଶି ଦେଇଥିଲେ।
କେବଳ ଏହି ଗୋଟିଏ ଅଭିଯୋଗ ନୁହେଁ। ଗିରଡିହି ପଞ୍ଚାୟତର ମୁକ୍ତିକାନ୍ତ ଘଡ଼େଇଙ୍କ ମାଆ ୨୦୧୬ ଏପ୍ରିଲ ୧୨ ତାରିଖରେ ମୃତ୍ୟୁବରଣ ବରଣ କରିଥିଲେ। ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଲାଗି ମୁକ୍ତିକାନ୍ତ ବ୍ଲକରେ ଆବେଦନ ବି କରିଥିଲେ। ଏହା ମଧ୍ୟରେ ତିନିବର୍ଷ ବିତି ଯାଇଛି, ହେଲେ ଆଜି ଯାଏ ସହାୟତା ମିଳିନି।
ଆଶ୍ଚର୍ଯ୍ୟର କଥା ହେଲା, ଏହି ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ଆବେଦନକାରୀଙ୍କ ତାଲିକା ଲମ୍ବି ଚାଲିଛି। ହେଲେ ସବୁ ଆବେଦନ ନାଲି ଫିତା ତଳେ ପଡ଼ି ରହିଛି।
ଏହାକୁ ନେଇ ପ୍ରଶ୍ନ କଲେ ପ୍ରଶାସନ ପକ୍ଷରୁ ଚିରାଚରିତ ଉତ୍ତର ମିଳୁଛି। ବିଡିଓ ରାମଦାସ ଟୁଡୁ କହିଛନ୍ତି, “ଘଟଣାର ତଦନ୍ତ କରି ପଞ୍ଚାୟତ ଫଣ୍ଡରୁ ସହାୟତା ଯୋଗାଇ ଦିଆଯିବ।”
ହେଲେ କାହିଁକି ବର୍ଷ ବର୍ଷ ଧରି ମୃତକଙ୍କ ପରିବାରକୁ ଏହି ଯୋଜନାର ସୁଫଳ ଦିଆଯାଉନାହିଁ ତାହା କେହି କହୁନାହାନ୍ତି।
from OTV Khabar http://bit.ly/2RoXDFL
No comments: