ସାମ୍ବାଦିକ ସମ୍ମିଳନୀରୁ ବଡ ସଂକେତ, ଶକ୍ତି ବଢାଉଛନ୍ତି ଅପରାଜିତା! Kanak News

କନକ ବ୍ୟୁରୋ : ପୋଷ୍ଟର ବୟ ନୁହେଁ ପୋଷ୍ଟର ଲେଡି ସାଜିପାରନ୍ତି ବିଜେପି ଚେହେରା । ଆଉ ଏଥିପାଇଁ ଶକ୍ତି ସଂଗ୍ରହରେ ଲାଗି ପଡିଛନ୍ତି ପ୍ରଶାସିକାରୁ ପଲିଟିସିଆନ ପାଲଟିଥିବା ଅପରାଜିତା ଷଡଙ୍ଗୀ । ଏକଥା ଆମେ କହୁନୁ ବରଂ ଚା’ ଖଟିରେ ଏବେ ଏହା ହଟ ଟପିକ ପାଲଟିଛି । ଖାସକରି ମହାରଥୀଙ୍କ ବୟାନକୁ ନେଇ ଅପରାଜିତାଙ୍କ ପ୍ରେସମିଟ୍ ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ପ୍ରେସମିଟ୍ ଅନ୍ୟ ପ୍ରେସମିଟ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । କାରଣ ଏହି ପ୍ରେସମିଟ ହିଁ ସୂଚାଉଛି ରାଜ୍ୟ ବିଜେପିରେ ଆଉ ଏକ କ୍ଷମତାକେନ୍ଦ୍ର ସୃଷ୍ଟି ହେବାକୁ ଯାଉଛି ।

ଅଧିକାଂଶ ସମୟ ଜନସର୍ମ୍ପକ ପଦଯାତ୍ରା କରୁଥିବା ଅପରାଜିତା ବିଜେପି କାର୍ଯ୍ୟାଳୟରେ ପ୍ରେସମିଟ୍ କରିବା ପରେ ରାଜନୈତିକ ବିଶ୍ଲେଷକ ମାନେ ଶଙ୍କାରେ ପଡିଛନ୍ତି । କାରଣ ବିଜେପିର ପ୍ରେସମିଟରେ ଅଧିକାଂଶ ସମୟ ବରିଷ୍ଠ ତଥା ଛାମୁଆ ନେତା ଏବଂ ସଙ୍ଗଠନ ଦାୟିତ୍ୱରେ ଥିବା ନେତା ମାନଙ୍କୁ ଦେଖିବାକୁ ମିଳିଥାଏ । କିନ୍ତୁ ଅପରାଜିତାଙ୍କୁ ଏବେ ସେହି ସିଟରେ ଦେଖି ଅଧିକାଂଶ ଲୋକ ତାଜୁବ । କାରଣ ନିଜକୁ ସାଧାରଣ କର୍ମୀ ବୋଲି କହି ଆସୁଥିବା ଅପରାଜିତାଙ୍କୁ ଦଳ ଏଯାଏଁ କୌଣସି ପଦପଦବୀରେ ବସାଇ ନାହିଁ । ଆଉ ଏଭଳି ସ୍ଥଳେ ଅପରାଜିତାଙ୍କ ପ୍ରେସମିଟକୁ ରାଜନୈତିକ ବିଶାରଦ ମାନେ ଏତେ ହାଲକାରେ ନେଇନାହାନ୍ତି ।

ଅତୀତରେ ପ୍ରାୟ ଯେତେ ସାମ୍ବାଦିକ ସମ୍ମିଳନୀ ସବୁ ହୋଇଛି, ସେଥିରେ ସାଂଗଠନିକ ସ୍ତରର ଛାମୁଆ ନେତା, ଦଳୀୟ ପଦବୀରେ ଥିବା ବ୍ୟକ୍ତି, କେନ୍ଦ୍ରରୁ ଆସୁଥିବା ନେତା ଅଥବା କିଛି ସ୍ୱତନ୍ତ୍ର ପରିସ୍ଥିତିରେ ଯେଉଁ ବ୍ୟକ୍ତିଙ୍କୁ ନେଇ ଖବର ହୋଇଥାଏ, ସେହି ବ୍ୟକ୍ତି ବସି ସାମ୍ବାଦିକ ସମ୍ମିଳନୀ କରିଥାନ୍ତି । ହେଲେ ଏବେ ରାଜ୍ୟ କାର୍ଯ୍ୟାଳୟରେ ଅପରାଜିତାଙ୍କ ନୂଆ ଭୂମିକା ଖଟିରେ ବଡ ଖବର ପାଲିଟିଯାଇଛି ।

ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ, ମହିଳା ସଭାନେତ୍ରୀ ପ୍ରଭାତୀ ପରିଡା ଓ ଦଳରେ ନିକଟରେ ସାମିଲ ହୋଇଥିବା ଅପରାଜିତା ଷଡଙ୍ଗୀ ଉପସ୍ଥିତି ଥିଲେ । ମଝିରେ ଅପରାଜିତା ବସିଥିବା ବେଳେ ଦୁଇ ପାଖରେ ଥିଲେ ଦୁଇ ନେତା । ଯାହାକୁ ନେଇ ହିଁ ଚର୍ଚ୍ଚା ଆରମ୍ଭ ହୋଇଛି।

ଅପରାଜିତା ବକ୍ତବ୍ୟ ଆରମ୍ଭ କରି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦାବି କରିଥିଲେ । ମହିଳା ସଶକ୍ତୀକରଣ, ମିଶନ ଶକ୍ତି, ମହିଳା ସଂରକ୍ଷଣ କଥା କହି ନିଜ ପ୍ରଶଂସାରେ ସରକାର ଲାଗିଥିବା ବେଳେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କର ବିବାଦୀୟ ମନ୍ତବ୍ୟକୁ ସାଢେ ୪ କୋଟି ଓଡିଶାବାସୀ ବିରୋଧ କରିବାର ଆବଶ୍ୟକତା ରହିଛି ।

ପୂର୍ବତନ ପ୍ରଶାସିକା ଅପରାଜିତା, ଯେତିକି ଆବଶ୍ୟକ ସେତିକି କହିଛନ୍ତି । ଆଉ ଏହାପରେ ପୀତାମ୍ବର ଓ ପ୍ରଭାତୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଅନେକ ଦିଗକୁ ସାମ୍ନାକୁ ଆଣିଥିଲେ । ହେଲେ ଅପରାଜିତା ଯେଉଁ ପ୍ରଭାବୀ ଢଙ୍ଗରେ ଆଜି ସାମ୍ବାଦିକ ସମ୍ମିଳନୀରେ ନିଜ ଉକ୍ତି ରଖିଥିଲେ ସେଥିରୁ ଗୋଟିଏ ଦିଗ ସାମ୍ନାକୁ ଆସୁଛି, ଜଣେ ସ୍ପଷ୍ଟବାଦୀ ଆଉ ନିର୍ବିବାଦୀୟ ମହିଳା ଚେହେରା ଭାବେ ଅପରାଜିତାଙ୍କୁ ଆଗାମୀ ଦିନରେ ବିଜେପି ସାମ୍ନାରେ ରଖିବାକୁ ଯାଉଛି ।

ଖୋର୍ଦ୍ଧା ସଭାରେ ମଞ୍ଚ ଉପରେ ଚୌକି ନ ପାଇବା ପରେ ଅପରାଜିତାଙ୍କୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଆଲୋଚନା ହୋଇଥିଲା । ଏହି ସଭା ପରେ ଧର୍ମେନ୍ଦ୍ର ହିଁ ଓଡିଶା ବିଜେପିର ଏକମାତ୍ର ଚେହେରା ତାହା ଦଳୀୟ ଅନ୍ଦରମହଲରେ ଚର୍ଚ୍ଚା ହୋଇଥିଲା । କିନ୍ତୁ ଅପରାଜିତାଙ୍କ ପ୍ରେସମିଟ୍ ପରେ ଏଭଳି ଧାରଣା ବଦଳିବା ଆରମ୍ଭ ହୋଇଛି । କାରଣ ଅପରାଜିତାଙ୍କୁ ଖୋର୍ଦ୍ଧା ସଭାରେ ମୋଦିଙ୍କ ସହ ମଞ୍ଚ ସେୟାର କରିବାକୁ ସିଟ୍ ମିଳିନଥିବା ବେଳେ କିନ୍ତୁ ଆଜି ବିଜେପିର ଦଳୀୟ ଅଫିସରେ ହୋଇଥିବା ପ୍ରେସମିଟର ମୁଖ୍ୟ କାର୍ପଟଦାର ସାଜି ଉଭା ହୋଇଛନ୍ତି ଅପରାଜିତା ।

ଖାଲି ଏତିକି ନୁହେଁ ପିପିଲି ଯାଇଥିବା ବିଜେପିର ଟିମରେ ମଧ୍ୟ ଅପରାଜିତାଙ୍କୁ ସାମିଲ କରାଯାଇଛି । ଆଉ ଏସବୁ ଦେଖିବା ପରେ ଅପରାଜିତା ଭିତରେ ଭିତରେ ଶକ୍ତି ସଂଗ୍ରହ କରୁଥିବା ଚର୍ଚ୍ଚା ହେଉଛି । ଏପରିକି ଦିଲ୍ଲୀ ଦରବାରରୁ ତାଙ୍କୁ ଅଭୟବାଣୀ ମିଳିଥିବା ଶୁଣିବାକୁ ମିଳୁଛି । ଆଉ ଏହା ମଧ୍ୟରେ ଅପରାଜିତାଙ୍କ ପ୍ରେସମିଟ ସୂଚାଉଛି ଯେ, ଦଳ ଭିତରେ ତାଙ୍କର କାଟତି କେତେ?

ମୋଦି ଓଡିଶା ଗସ୍ତରେ ଆସିଥିବା ବେଳେ କୁଆଡେ ଅପରାଜିତାଙ୍କୁ ପଚାରିଥିଲେ, ଆପଣଙ୍କୁ ସବୁକିଛି ଠିକ୍ ଲାଗୁଛି ତ? ଅର୍ଥାତ୍ ଦଳ ଭିତରେ ଅପରାଜିତାଙ୍କ ଗ୍ରହଣୀୟତା କେତେ ତାକୁ ପରଖିଥିଲେ ମୋଦି । ଏପରିକି ଅପରାଜିତାଙ୍କ ପାଖ ଲୋକ କହୁଛନ୍ତି, ତାଙ୍କୁ କୁଆଡେ ପିଏମଓରୁ ମିଳିଛି ହେଭି ଟାସ୍କ । ଆଉ ଯାହାକୁ କାର୍ଯ୍ୟକାରୀ କରିବାକୁ ସେ ଦିନରାତି ଏକ କରିଦେଇଛନ୍ତି । ଆଉ ଏହାରି ଭିତରେ ଅପରାଜିତାଙ୍କୁ ସାମ୍ବାଦିକ ସମ୍ମିଳନୀରେ ସେଂଟର ଷ୍ଟେଜରେ ଦେଖି ଲାଗୁଛି, ଦଳର ମହିଳା ଚେହେରା ଭିତରେ ଅପରାଜିତା ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି ।



from Kanak News http://bit.ly/2AeiBBm http://bit.ly/2SiDpPb
ସାମ୍ବାଦିକ ସମ୍ମିଳନୀରୁ ବଡ ସଂକେତ, ଶକ୍ତି ବଢାଉଛନ୍ତି ଅପରାଜିତା! Kanak News ସାମ୍ବାଦିକ ସମ୍ମିଳନୀରୁ ବଡ ସଂକେତ, ଶକ୍ତି ବଢାଉଛନ୍ତି ଅପରାଜିତା! Kanak News Reviewed by SUBHENDU BARAL on December 27, 2018 Rating: 5

No comments:

Powered by Blogger.