
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବହୁର୍ଚ୍ଚିତ ବ୍ୟାପମ୍ ଦୁର୍ନୀତି ଆଉ ଜଣଙ୍କ ଜୀବନ ନେଇଛି। ତାଙ୍କ ନାଁ ମନୀଷା ଶର୍ମା। ସେ ଲକ୍ଷ୍ମୌ ସ୍ଥିତ କିଙ୍ଗ୍ ଜର୍ଜ ମେଡିକାଲ୍ ୟୁନିଭରସିର୍ଟିରେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କ ମୃତଦେହ ଟ୍ରୋମା ସେଣ୍ଟରରୁ ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟ, ରବିବାର ଦିନ ସେ ସିବିଆଇର ଗ୍ୱାଲିୟର୍ ସ୍ଥିତ କାର୍ଯ୍ୟାଳୟରେ ହାଜର ହେବାର ଥିଲା। କିନ୍ତୁ ତା’ପୂର୍ବରୁ ଶନିବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଆନେସ୍ଥେସିଆର ଓଭରଡୋଜ୍ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଡାକ୍ତର ମନୀଷା ବ୍ୟାପମ୍ ଦୁର୍ନୀତିର ଅଭିଯୁକ୍ତ ଥିଲେ। ୨୦୧୫ ମସିହାରେ ତାଙ୍କୁ ଏସ୍ଟିଏଫ୍ ପଚରାଉଚରା କରିବା ପାଇଁ ଗ୍ୱାଲିୟର୍ ଡାକିଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଥିଲା। ଛଅ ମାସ ଜେଲ୍ରେ ରହିବା ପରେ ତାଙ୍କୁ ଜାମିନ୍ ମିଳିଥିଲା।
ପରେ ସେ କୋର୍ଟର ଅନୁମତି ନେଇ କେଜିଏମ୍ୟୁରେ ଏମ୍ଏସ୍ରେ ଆଡମିସନ୍ ନେଇଥିଲେ। ସିବିଆଇ ତାଙ୍କ ପାସ୍ପୋର୍ଟ ଜବତ କରି ରଖିଥିଲା। ସେ ପ୍ରତିମାସରେ ଦ୍ୱିତୀୟ ଓ ଚତୁର୍ଥ ରବିବାର ସିବିଆଇ କାର୍ଯ୍ୟାଳୟରେ ହାଜର ହେଉଥିଲେ।
ମନୀଷା ‘ବ୍ୟାପମ୍’ ମାମଲାକୁ ନେଇ ଆତ୍ମହତ୍ୟା କରିଥିବା କଥାକୁ ତାଙ୍କ ପରିବାର ଲୋକେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି।
ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, କେଜିଏମ୍ୟୁର ଡାକ୍ତର ଉଧମ ସିଂହ ତାଙ୍କୁ ପ୍ରତାରିତ କରିବା ସହ ଆତ୍ମହତ୍ୟା କରିବାକୁ ଉସୁକାଇ ଥିଲେ।
ଏନେଇ ମନୀଷାଙ୍କ ବଡ଼ ଭଉଣୀ ଦୀପା ସିଂହ ଥାନାରେ ଏତଲା ଦେଇଛନ୍ତି। ଏହା ସହ ପୁଲିସ୍କୁ ଏକ ଅଡିଓ କ୍ଲିପ୍ ଦେଇଛନ୍ତି।
from Odisha Reporter
No comments: