
ଥିରୁଭନନ୍ତପୁରମ୍: କେରଳ ନନ୍ ଦୁଷ୍କର୍ମ ଘଟଣାରେ ଜଲନ୍ଧରର ବିଶପ୍ ଫ୍ରାଙ୍କୋ ମୁଲାକ୍କାଲଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଶୁକ୍ରବାର ଜାମିନ୍ରେ ଖଲାସ ହୋଇଥିବା ଫ୍ରାଙ୍କୋ ତାଙ୍କ ବିରୋଧରେ ମୁଖ୍ୟ ସାକ୍ଷୀ ହୋଇଥିବା ଫାଦର୍ କୁରିଆକୁସେ କାଟ୍ଟୁଥାରା(୬୭)ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ଜଳନ୍ଧରର ସେଣ୍ଟ ମ୍ୟାରି ଚର୍ଚ୍ଚରୁ କାଟ୍ଟୁଥାରାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ପୁଲିସ୍ ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଏ ଯାଏ ସୁରାକ ପାଇପାରି ନାହିଁ।
ଫାଦର୍ କାଟ୍ଟୁଥାରାଙ୍କ ପରିବାର ଲୋକ ଏଭଳି ମୃତ୍ୟୁ ପଛରେ ବିଶପ୍ଙ୍କ ହାତ ଥିବା ଅଭିଯୋଗ କରିବା ସହ ଘଟଣାର ବିସ୍ତୃତ ତଦନ୍ତ କରିବାକୁ ଦାବି କରିଛନ୍ତି।
ଫାଦର୍ କାଟ୍ଟୁଥାରାଙ୍କ ଭାଇ ଜନ୍ନି ଥୋମାସ କାଟ୍ଟୁଥାରା କହିଛନ୍ତି, “ ଫାଦର କାଟ୍ଟୁଥାରା ଆତ୍ମହତ୍ୟା କରିଥିବେ ବୋଲି ଆମେ ଭାବୁନାହୁଁ। ସେ ସର୍ବଦା ଭୁଲ କାମ କରିଥିବା ବିଶପ୍ ଫ୍ରାଙ୍କୋ ମୁଲାକ୍କାଲଙ୍କ ବିରୋଧରେ ସାହସ ଜୁଟାଇବାକୁ ଆମକୁ ପରାମର୍ଶ ଦେଉଥିଲେ। ବିଶପ୍ଙ୍କ ବିରୋଧରେ ଅନେକ ନନ୍ ଫାଦର କାଟ୍ଟୁଥାରାଙ୍କୁ କହିଥିଲେ। ଏନେଇ ବିଶପ୍ ଫ୍ରାଙ୍କୋ ତାଙ୍କୁ ଅନେକ ଥର ଧମକ ମଧ୍ୟ ଦେଇଥିଲେ। ତେଣୁ ଏହି ହତ୍ୟା ପଛରେ ଅନେକ ରହସ୍ୟ ଲୁଚି ରହିଛି।”
କେରଳର ଜଣେ ନନ୍ଙ୍କୁ ବିଶପ ଫ୍ରାଙ୍କୋ ୨୦୧୪ରୁ ୨୦୧୬ ମଧ୍ୟରେ ବାରମ୍ବାର ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଯୌନ ଉତ୍ପୀଡ଼ନ ମାମଲାରେ ଫ୍ରାଙ୍କୋ ପ୍ରଥମ ଭାରତୀୟ କ୍ୟାଥଲିକ୍ ବିଶପ୍ ଭାବେ ଗିରଫ ହୋଇ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିଲେ।
ଜଲନ୍ଧରରେ ବିଶପ୍ ଭାବେ କାର୍ଯ୍ୟ କରୁଥିବା ଫ୍ରାଙ୍କୋ କେରଳ ଗସ୍ତ କରିଥିବା ବେଳେ ସେଠାରେ ଜଣେ ନନ୍ଙ୍କୁ ଦୁଷ୍କର୍ମ କରିଥିଲେ। ୨୦୧୪ ମେ’ ୫ ତାରିଖରେ କେରଳର କୁରଭିଲାଙ୍ଗଡ୍ଠାରେ ଆୟୋଜିତ କନଭେଣ୍ଟ୍ରେ ରହିବା ବେଳେ ଫ୍ରାଙ୍କୋ ନନ୍ଙ୍କୁ ପ୍ରଥମେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।
ଏହାପରେ ୨୦୧୪ରୁ ୨୦୧୬ ମଧ୍ୟରେ ଫ୍ରାଙ୍କୋ ୧୩ ଥର ବିଭିନ୍ନ ସମୟରେ କେରଳ ଆସି ସେହି ନନ୍ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
from Odisha Reporter
No comments: