
ଭୁବନେଶ୍ୱର (ସୁବ୍ରତ କୁମାର ନାୟକ): ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍ଘାଟନ ପାଇଁ ଓଡ଼ିଶା ଗସ୍ତରେ ଆସିଥିବାବେଳେ ପିସି ବାବଦରେ ଦେଇଥିବା ମତ,“ପିସି ପାଇଁ ଓଡ଼ିଶାବାସୀ ପେଷି ହୋଇଯାଉଛନ୍ତି” ରାଜ୍ୟ ସମେତ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ଆଉ ଏବେ ‘ଓଡ଼ିଶା ରିପୋର୍ଟର’ ହାତରେ ଏମିତି କିଛି ତଥ୍ୟ ଲାଗିଛି ଯେଉଁଥିରୁ ଏଭଳି ଅଭିଯୋଗ ସବୁକୁ ଅବିଶ୍ୱାସ କରିବାର କୌଣସି ସୁଯୋଗ ହିଁ ନାହିଁ।
ଏହି ଖବର ସହିତ ସଂଲଗ୍ନ ଫଟୋରୁ ଆପଣ ମଧ୍ୟ ସ୍ପଷ୍ଟ ଦେଖିପାରୁଥିବେ କିଭଳି ପିସି କାରବାରକୁ ଆଇନତଃ ବୈଧ କରାଇବାର ପ୍ରୟାସ କରାଯାଇପାରେ।
ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ପିସିକୁ ନା’ କହି ସ୍ୱଚ୍ଛତାର ଡିଣ୍ଡିମ ପିଟିବାର ପ୍ରୟାସ କରୁଥିଲେ ହେଁ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ର ସନ୍ଥପୁର ଗାଁର ହନୁମାନ ମଣ୍ଡପରେ ଏଭଳି ଏକ ‘ପିସି’ ମ୍ୟାଚ୍ର ସମ୍ପୂର୍ଣ୍ଣ ସ୍କୋରବୋର୍ଡ ସ୍ଥାନ ପାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ବିଧାୟକ ଅନୁଦାନ ପାଣ୍ଠିରେ ନିର୍ମିତ ଏହି ହନୁମାନ ମଣ୍ଡପ ବାବଦକୁ ୧ ଲକ୍ଷ ଟଙ୍କା ମିଳିଥିଲା। ଭ୍ୟାଟ୍ ବାବଦକୁ ଏଥିରୁ ୧୦ ହଜାର ଟଙ୍କା କଟିଯାଇଥିବା ସ୍ୱାଭାବିକ ମନେ ହେଉଥିଲେ ମଧ୍ୟ ଏହାର ଠିକ୍ ଉପରକୁ ଲେଖାଥିବା ‘ବ୍ଲକ୍ ପିସି ୧୦ ହଜାର ଟଙ୍କା’ ଗାଁ ଗାଁରେ ‘ମୋ ଗାଁ ମୋ ବିକାଶ’ର ନାରାର ମୁଖା ଖୋଲି ଦେଇଛି।
ଆଉ ଏଥିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି, ୧୦ ହଜାର ଭ୍ୟାଟ୍ ଏବଂ ୧୦ ହଜାର ପିସି ବାବଦକୁ ଗଲାପରେ ବାକି ୮୦ ହଜାର ରହିଲା। କିନ୍ତୁ ଖର୍ଚ୍ଚ ହୋଇଛି ୧ ଲକ୍ଷ ୩୩ ହଜାର ଟଙ୍କା। ଗାଁ ଲୋକେ ଅଥବା ଗାଁ କୋଠରୁ ଯଦି ବାକି ୫୩ ହଜାର ଟଙ୍କା ବହନ କରାଯାଇଥିବ, ଏହା ନିଶ୍ଚିତ ଗାଁର ଉନ୍ନତି ପାଇଁ ସ୍ୱାଗତଯୋଗ୍ୟ କଥା।
ତେବେ ଏହି ପ୍ରକଳ୍ପ ବିଧାୟକଙ୍କ ଅନୁଦାନ ପାଣ୍ଠିରୁ ହୋଇଥିବାରୁ ସ୍ଥାନୀୟ ବିଧାୟକ ସରୋଜ କୁମାର ସାମଲ ଏପରି ସ୍ପଷ୍ଟ ଦିବାଲୋକରେ ଦୁର୍ନୀତିକୁ ପ୍ରଶୟ ଦେବା ଆଶ୍ଚର୍ଯ୍ୟଜନକ ନିଶ୍ଚୟ। ଗତ ଦୁଇ ଦଶନ୍ଧି ଧରି ନିରଙ୍କୁଶ କ୍ଷମତାରେ ଥିବା ବିଜେଡି ସରକାରରେ ପର୍ସେଣ୍ଟେଜ୍ ବା ପିସି ଆଉ ଏକ ଖରାପ କଥା ହୋଇନାହିଁ ବୋଲି ଏଥିରୁ ପ୍ରମାଣ ମିଳୁଛି।
ଲିଭେଇଲେ ବି ଲିଭୁନି
କିନ୍ତୁ ଏଥିରେ ଥିବା ହାସ୍ୟାସ୍ପଦ ଦିଗଟି ହେଉଛି ପିସି ବ୍ୟାଟ୍ସମ୍ୟାନ୍ଙ୍କ ରନ୍କୁ ସ୍କୋରବୋର୍ଡରୁ ଲିଭାଇବାର ପ୍ରୟାସ କରାଯାଇଛି। କିନ୍ତୁ ଏହି ପ୍ରୟାସ ଦୋଷକୁ ଏବଂ ସାଧାରଣ ଜନତାଙ୍କ ହକ୍ ଚୋରି ହୋଇଥିବା ଘଟଣାକୁ ଲୁଚାଇବା ବଦଳରେ ଦୁର୍ନୀତିକୁ ହାଇଲାଇଟ୍ କରିବା ପରି ହୋଇଛି। ଅର୍ଥାତ ଏହା ଲିଭିବା ବଦଳରେ ହନୁମାନ ମଣ୍ଡପ ନିକଟରେ ଦେଇଗଲେ ପ୍ରଥମ ନଜର ଏହି ପିସି ପରିମାଣ ଉପରେ ପଡ଼ୁଛି। ବିକାଶର ସବୁଠାରୁ ବଡ଼ ଶତ୍ରୁ କୁହାଯାଉଥିବା ଦୁର୍ନୀତି ହନୁମାନ ମନ୍ଦିର ଭଳି ଏକ ପବିତ୍ରସ୍ଥାନରେ ଲିପିବଦ୍ଧ ହୋଇ ରହିବା ନିଶ୍ଚୟ ଲଜ୍ଜାଜନକ।
ଅନ୍ୟପକ୍ଷରେ ଏହି ଫଳକକୁ ଲାଗି ଏକ ନଳକୂପ ରହିଥିବାରୁ ଛୋଟ ଛୁଆଙ୍କ ଅବାଧ ପ୍ରବେଶ ରହିଥାଏ। ଏଭଳି ସ୍ଥିତିରେ ପରପିଢ଼ି ତଥା ଦେଶର ଭବିଷ୍ୟତଙ୍କ ଉପରେ ପିସିକୁ ନେଇ କ’ଣ ପ୍ରଭାବ ସୃଷ୍ଟି ହେଉଥିବ ସେନେଇ ମଧ୍ୟ ପ୍ରଶ୍ନ ଉଠୁଛି।
from Odisha Reporter
No comments: