ସିବିଆଇ ମୁଖ୍ୟଙ୍କ ଉପରେ ରାତି ଅଧିଆ କାର୍ଯ୍ୟାନୁଷ୍ଠାନ ନେଇ ଅଡୁଆରେ କେନ୍ଦ୍ରସରକାର ; ଆଜି ସୁପ୍ରିମକୋର୍ଟରେ ମାମଲାର ହେବ ଶୁଣାଣି
ନୂଆଦିଲ୍ଲୀ ୨୬|୧୦: ରାତି ଅଧିଆ କାର୍ଯ୍ୟାନୁଷ୍ଠାନରେ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ କ୍ଷମତାଚ୍ୟୁତ କରି କେନ୍ଦ୍ର ସରକାର ଅଡୁଆରେ ପଡ଼ି ଯାଇଛନ୍ତି। ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ଉପରେ ରାତିଅଧିଆ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ମାମଲାରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ । ସେପଟେ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଜାରି କରି କହିଛନ୍ତି, ନିର୍ଦ୍ଦେଶକ ଆଲୋକ ବର୍ମା କିମ୍ବା ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ସେମାନଙ୍କ ପଦରୁ ହଟାଯାଇନାହିଁ। ସେମାନେ ଏବେ ବି ସେମାନଙ୍କ ପଦରେ ଅଛନ୍ତି। କେବଳ ସେମାନଙ୍କଠାରୁ କ୍ଷମତା ଛଡ଼ାଇ ନିଆଯାଇଛି ଏବଂ ଛୁଟିରେ ପଠାଇ ଦିଆଯାଇଛି । ଲାଞ୍ଚ ମାମଲାରେ ସିଭିସି ତଦନ୍ତ ଶେଷ ନ ହେବା ଯାଏ ସେମାନେ ଅଫିସରେ ଯୋଗଦେବେ ନାହିଁ ବୋଲି କେନ୍ଦ୍ର ସରକାର ଏଭଳି ସଫେଇ ଦେଇଛନ୍ତି ।
ତେବେ ସିବିଆଇ ମୁଖ୍ୟ ଆଲୋକ ବର୍ମା ତାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି । କାର୍ଯ୍ୟାନୁଷ୍ଠାନକୁ ବେଆଇନ ଦର୍ଶାଇବା ସହିତ ଏହା ଉପରେ ରୋକ୍ ଲଗାଇବାକୁ ସେ ଅନୁରୋଧ କରିଛନ୍ତି। ଆଜି ମାମଲାର ଶୁଣାଣି ହେବ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଏସକେ କାଉଲ ଏବଂ ଜଷ୍ଟିସ୍ କେଏମ୍ ଯୋଶେଫଙ୍କୁ ନେଇ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ବର୍ମାଙ୍କ ପିଟିସନ ଉପରେ କୋର୍ଟ କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି । ଏପଟେ ସିବିଆଇ ଘଟଣାକ୍ରମ ନେଇ କେନ୍ଦ୍ର ସରକାରକୁ ଘେରିଛି କଂଗ୍ରେସ । ଏହାକୁ ନେଇ ଆଜି କଂଗ୍ରେସ ସିବିଆଇ ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ।
from News7 https://ift.tt/2PWm2Ta
No comments: