ବଦଳି ଯାଇଛି କ୍ୟାଲେଣ୍ଡର, ଜଗା ଦର୍ଶନ କରି ବର୍ଷ ଆରମ୍ଭ କଲେ ଭକ୍ତ Swadesi Megha Mallhar Prusty

ବଦଳି ଯାଇଛି କ୍ୟାଲେଣ୍ଡର । ସବୁଠି ଖୁସି । ସବୁଠି ଉତ୍ସାହ । ୨୦୨୩କୁ ବିଦାୟ ଦେଇ ୨୦୨୪କୁ ସମସ୍ତେ ସ୍ୱାଗତ କରିଛନ୍ତି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସମସ୍ତେ ଖୁସିରେ ସ୍ୱାଗତ କରିଛନ୍ତି ୨୦୨୪କୁ । ଭାରତ ସହ ଦେଶ ବିଦେଶରେ ବି ବେଶ ଧୁମ୍ ଧାମରେ ପାଳନ କରାଯାଇଛି ନୂଆବର୍ଷକୁ । ବିଶେଷ କରି ନୂଆବର୍ଷର ଆଗମନରେ ଯୁବପିଢ଼ି ଓ ଛୋଟଛୋଟ ପିଲାଙ୍କ ନିକଟରେ ଦେଖିବାକୁ ମିଳିଛି ଅଧିକ ଉତ୍ସାହ ।

ନୂଆ ବର୍ଷରେ ବହୁ ସଂଖ୍ୟାରେ ଭକ୍ତ ଜଗନ୍ନାଥଙ୍କ ଦର୍ଶନ ଲାଗି ଆସୁଥିବାରୁ ଶୀଘ୍ର ନୀତିକାନ୍ତି ସରିଛି । ଗତକାଲି ରାତି ୧୧ଟା ବେଳେ ମହାପ୍ରଭୁଙ୍କ ପହଡ଼ ନୀତି କରାଯାଇଛି । ଏବଂ ରାତି ଗୋଟାଏରେ ସର୍ବସାଧାରଣ ପାଇଁ ସିଂହ ଦ୍ୱାର ଖୋଲା ଯାଇଥିଲା । ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଶ୍ରୀଜୀଉଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଜିରୋ ନାଇଟ୍ ସେଲିବ୍ରେସନ କରାଯାଇଛି । ଲୋକେ ବିଭିନ୍ନ ହୋଟେଲରେ ସୁସ୍ୱାଦୁ ଖାଦ୍ୟ ଖାଇବା ସହ ଡ଼ିଜେର ତାଳେ ତାଳେ ଝୁମିଛନ୍ତି । ଭୁବନେଶ୍ବରର ହୋଟେଲ, ରେଷ୍ଟୁରାଣ୍ଟ ଏବଂ କ୍ଲବ ଗୁଡ଼ିକରେ ଏଥିଲାଗି ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା । କେବଳ ଯେ ଭୁବନେଶ୍ୱର ନୁହେଁ ବରଂ ଓଡ଼ିଶାର ବିଭିନ୍ନ ସ୍ଥାନ ମାନଙ୍କରେ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ବ୍ରହ୍ମପୁର, ରାଉରକେଲା, ବାଲେଶ୍ୱର, କଟକ, ଜୟପୁର ରେ ମଧ୍ୟ ବେଶ ଧୁମ୍ ଧାମରେ ସେଲିବ୍ରେସନ୍ କରାଯାଇଛି । ବିଭିନ୍ନ ସ୍ଥାନ ମାନଙ୍କରେ ହୋଟେଲ ଗୁଡ଼ିକୁ ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ କରାଯାଇଥିଲା । ତାସହ ନାଚଗୀତ, ଆତସବାଜି ଓ ସୁସ୍ୱାଦୁ ଖାଦ୍ୟର ଆସର ବି ଜମିଥିଲା ।

ସେପଟେ ନୂଆ ବର୍ଷର ପ୍ରଥମ ଆଲୋକ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମି । ପୁରୀ ସମୁଦ୍ର ବେଳାଭୂମୀ ସହ ଚନ୍ଦ୍ରଭାଗାରେ ନୂଆ ବର୍ଷର ପ୍ରଥମ ସକାଳର ସୂର୍ଯ୍ୟ ଉଦୟ ଦେଖିବା ସହ ମହୋଦଧିରେ ସ୍ନାନ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ବର୍ଷର ପ୍ରଥମ ଦିନକୁ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନରୁ ଆରମ୍ଭ କରିବା ଲାଗି ବଡ଼ ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗିଛି ।

ସେପଟେ ଆଜିଠାରୁ ଶ୍ରୀମନ୍ଦିରରେ ଲାଗୁ ହୋଇଛି ନୂଆ ନିୟମ । ଆଜିଠାରୁ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତ ଶାଳୀନତାପୂର୍ଣ୍ଣ ବସ୍ତ୍ର ପରିଧାନ କରି ଆସିବେ । ସେହିପରି ମନ୍ଦିର ପରିସରକୁ ଗୁଟଖା କିମ୍ବା ପାନ ମନା ହୋଇଛି । ଯଦି କେହି ଧରାପଡେ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ଦିର ପ୍ରଶାସନ କହିଛି ।

ସେହିପରି ଶ୍ରୀମନ୍ଦିରରକୁ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ଉପରେ କଟକଣା ଲଗାଯାଇଛି । ଏପଟେ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ବି ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ଲିଙ୍ଗରାଜ ଦର୍ଶନ କରିବା ସହ ନୂଆବର୍ଷରେ ନିଜର ଓ ନିଜ ପରିବାରର ଲୋକଙ୍କ ମଙ୍ଗଳ ମନାସିଛନ୍ତି ଭକ୍ତ ।

ନୂଆ ବର୍ଷର ପ୍ରଥମ ଦିନରେ ଦେବାଦେବୀଙ୍କ ଦର୍ଶନ ସହ ଦିନ ଆରମ୍ଭ କରିବା ପାଇଁ ବିଭିନ୍ନ ଦେବାଳୟରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି । ଆଜି ସମ୍ବଲପୁରରେ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ମନ୍ଦିରରେ ଭିଡ଼ ଲାଗିଛି । ଦୂରଦୁରାନ୍ତରୁ ଶ୍ରଦ୍ଧାଳୁମାନେ ବଡି ଭୋରରୁ ଆସି ମନ୍ଦିର ପରିସରରେ ପହଞ୍ଚିଛନ୍ତି ।

ମା' ଙ୍କର ଦର୍ଶନ ପାଇଁ ଲମ୍ବା ଲାଇନରେ ରହି ଦର୍ଶନ କରୁଛନ୍ତି । ମା' ଙ୍କର ଆର୍ଶୀବାଦ ସହ ଦିନଟି ଆରମ୍ଭ କଲେ ବର୍ଷ ସାରା ଭଲରେ କଟିବ ବୋଲି ଲୋକମାନଙ୍କର ଧର୍ମ ବିଶ୍ୱାସ ରହିଛି ।



from Latest Odisha News, Breaking News Today | Top Updates on Corona - OTV News https://ift.tt/9W2kUGa
ବଦଳି ଯାଇଛି କ୍ୟାଲେଣ୍ଡର, ଜଗା ଦର୍ଶନ କରି ବର୍ଷ ଆରମ୍ଭ କଲେ ଭକ୍ତ Swadesi Megha Mallhar Prusty ବଦଳି ଯାଇଛି କ୍ୟାଲେଣ୍ଡର, ଜଗା ଦର୍ଶନ କରି ବର୍ଷ ଆରମ୍ଭ କଲେ ଭକ୍ତ Swadesi Megha Mallhar Prusty Reviewed by SUBHENDU BARAL on December 31, 2023 Rating: 5

No comments:

Powered by Blogger.