ଅଧ୍ୟାପିକାଙ୍କ ଡକ୍ଟରେଟ ଉପାଧି ପ୍ରତ୍ୟାହାର କରିନେଲା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ । ଅନ୍ୟର ଗବେଷଣା ସନ୍ଦର୍ଭ ଅବିକଲ ନକଲ ପ୍ରମାଣିତ ହେବା ପରେ କାର୍ଯ୍ୟାନୁଷ୍ଠାନ Kanak News

କନକ ବ୍ୟୁରୋ: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଦ୍ୱାରା ଅଧ୍ୟାପିକାଙ୍କ ଡକ୍ଟରେଟ୍ ଉପାଧି ପ୍ରତ୍ୟାହାର । ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡିଆ ବିଭାଗର ଅଧ୍ୟାପିକା ରୀନା ମୁର୍ମୁଙ୍କ ଗବେଷଣା ଲବଧ ପିଏଚଡି ଡିଗ୍ରୀକୁ ପ୍ରତ୍ୟାହାର କରି ନିଆଯାଇଛି । ଗବେଷଣା ସନ୍ଦର୍ଭ ନକଲ କରାଯାଇଥିବା ଅଭିଯୋଗ ପ୍ରମାଣିତ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଶ୍ୱବିଦ୍ୟାଳୟ । ଅଧ୍ୟାପିକା ରୀନା ମୁର୍ମୁଙ୍କ ଡକ୍ଟରେଟ ଉପାଧିକୁ ପ୍ରତ୍ୟାହାର କରିନେବା ସହ ତାଙ୍କ ଗାଇଡ ଉପରେ ମଧ୍ୟ କଟକଣା ଜାରି କରିଛି । ଅନ୍ୟପଟେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ଅଭିଯୋଗ ଆଣି ଅଧ୍ୟାପିକା ରୀନା ମୁର୍ମୁ ହୋଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ପୂରା ଘଟଣା ଥିଲା କିଛି ଏହିପରି । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଅଧିନରେ ୨୦୧୫ ମସିହାରେ ରୀନା ମୁର୍ମୁ ସ୍ୱାଧୀନତା ପରବର୍ତି ଓଡିଆ କ୍ଷୁଦ୍ରଗଳ୍ପରେ ମାନବତାର ଚରିତ୍ର : ଏକ ଅନୁଶୀଳନ ବିଷୟରେ ଗବେଷଣା କରିଥିଲେ । ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ଅନାଦି ଚରଣଗାଁଣଙ୍କ ତତ୍ୱାବଧାନରେ ସେ ଏହି ଗବେଷଣା କରିଥିଲେ । ତାଙ୍କ ସନ୍ଦର୍ଭ ପାଇଁ ୨୦୧୮ ମସିହାରେ ରୀନା ମୁର୍ମୁଙ୍କୁ ଡକ୍ଟରେଟ୍ ଉପାଧି ଦିଆଯାଇଥିଲା । ମାତ୍ର ବାଲେଶ୍ୱର ଜିଲ୍ଲା କଇଥଗଡିଆ ନିବାସୀ ଅନାଦି ଚରଣ ରାଉତ ରୀନା ମୁର୍ମୁ ତାଙ୍କ ସନ୍ଦର୍ଭକୁ ଅବିକଲ ନକଲ କରି ଡକ୍ଟରେଟ ପାଇଥିବା ଅଭିଯୋଗ ଆଣିଥିଲେ । ଏନେଇ ରାଜ୍ୟପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ ଅନାଦି ଚରଣ ରାଉତ । ମାନ୍ୟବର ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ କୁଳପତି ଏକ କମିଟି ଗଠନ କରି ଅଭିଯୋଗର ତଦନ୍ତ କରିଥିଲେ । ତଦନ୍ତରୁ ଜଣାପଡିଥିଲା ରୀନାଙ୍କ ପୂର୍ବରୁ ଅନାଦି ଚରଣ ରାଉତ ସ୍ୱାଧୀନତା ପରବର୍ତି ଓଡିଆ କ୍ଷୁଦ୍ରଗଳ୍ପରେ ମାନବତାର ଚରିତ୍ର ଶୀର୍ଷକ ସନ୍ଦର୍ଭ ଲେଖି ଉକ୍ରଳ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ପାଇଥିଲେ । କମିଟି ଅଭିଯୋଗର ସତ୍ୟତା ଥିବା ଦର୍ଶାଇବା ପରେ ଅଧ୍ୟାପିକା ରୀନା ମୁର୍ମୁଙ୍କ ପିଏଚଡି ଡିଗ୍ରୀକୁ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ଫେରାଇ ନିଆଯାଇଛି । ଏଥିସହ ରୀନାଙ୍କ ଦିଗଦର୍ଶକ ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ଅନାଦି ଚରଣଗାଁଣ ଭବିଷ୍ୟତରେ ଆଉ ଗାଇଡ ହୋଇପାରିବେ ନାହିଁ ବୋଲି ୟୁନିର୍ଭସିଟିର ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ।
The post ଅଧ୍ୟାପିକାଙ୍କ ଡକ୍ଟରେଟ ଉପାଧି ପ୍ରତ୍ୟାହାର କରିନେଲା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ । ଅନ୍ୟର ଗବେଷଣା ସନ୍ଦର୍ଭ ଅବିକଲ ନକଲ ପ୍ରମାଣିତ ହେବା ପରେ କାର୍ଯ୍ୟାନୁଷ୍ଠାନ first appeared on Kanak News.
from Kanak News https://ift.tt/QoAR2NS https://ift.tt/6hJMz85
No comments: