ମାତା ଦୁର୍ଗାଙ୍କର ନବମ ଶକ୍ତି ହେଉଛନ୍ତି ମା’ ସିଦ୍ଧିଦାତ୍ରୀ। ସେ ହେଉଛନ୍ତି ସମସ୍ତ ସିଦ୍ଧି ସଫଳତା ପ୍ରଦାନକାରୀ। ନବରାତ୍ରୀ ପୂଜାର ନବମ ଦିନରେ ଏହି ଦେବୀଙ୍କୁ ପୂଜା କରିବାର ବିଧି ରହିଛି। ଏହି ଦିନ ଯେଉଁ ଭକ୍ତ ଶାସ୍ତ୍ରୀୟ ରୀତିନୀତି ଅନୁସାରେ ପୂରା ଭକ୍ତିର ସହିତ ମାତାଙ୍କୁ ସାଧନା କରନ୍ତି, ସେ ସମସ୍ତ ସଫଳତା ହାସଲ କରନ୍ତି।
ମାର୍କଣ୍ଡେୟ ପୁରାଣ ଅନୁଯାୟୀ ଆଠଟି ସିଦ୍ଧି ରହିଛି। ଯେପରିକି ଅଣିମା, ମହିମା, ଗରିମା, ଲଘିମା, ପ୍ରାପ୍ତି, ପରାକ୍ରମ, ଇଶିତ୍ୱ ଏବଂ ବଶିତ୍ୱ। ବ୍ରହ୍ମବୈବର୍ତ୍ତ ପୁରାଣର ଶ୍ରୀକୃଷ୍ଣ ଜନ୍ମ ଖଣ୍ଡରେ ଏହି ସଂଖ୍ୟାକୁ ଅଠର ବୋଲି ଦର୍ଶାଯାଇଛି। ସେଥିରେ ଏହି ଅଷ୍ଟସିଦ୍ଧି ସହିତ ଆଉ ୧୦ଟି ସାମିଲ କରାଯାଏ। ସେଗୁଡିକ ହେଲା କାମାଭସାୟିତ, ସୁଦ୍ଧସ୍ୱରୂପ ପ୍ରାପ୍ତି, ଦୂର ଶ୍ରବଣ, ଦୂର ଦର୍ଶନ, ସ୍ୱେଚ୍ଛାବପୁ, ପରକାୟ ପ୍ରବେଶ, ଇଚ୍ଛିତ ମୃତ୍ୟୁ, ଦେବ କ୍ରିଡା ଦର୍ଶନ, ସଂକଳ୍ପ ସିଦ୍ଦି ଓ ପ୍ରଭୁତ୍ୱ।
ଶିବ କିପରି ହେଲେ 'ଅର୍ଦ୍ଧନାରୀଶ୍ୱର':
ମା ସିଦ୍ଧିଦାତ୍ରୀ ଭକ୍ତ ଏବଂ ସାଧକଙ୍କ ଏହିସବୁ ସିଦ୍ଧି ପ୍ରଦାନ କରିବାରେ ସମର୍ଥ ହୋଇଥାନ୍ତି। ଦେବୀପୁରାଣ ଅନୁଯାୟୀ ଭଗବାନ ଶିବ ମଧ୍ୟ ତାଙ୍କ କୃପାରୁ ଏହିସବୁ ସିଦ୍ଧି ପ୍ରାପ୍ତ ହୋଇଥିଲେ। ଦେବୀଙ୍କ ଅନୁକମ୍ପାରୁ ଭଗବାନ ଶିବଙ୍କ ଶରୀରର ଅଧା ଅଂଶ ଦେବୀଙ୍କର ହୋଇଗଲା। ଏହି କାରଣରୁ ସେ 'ଅର୍ଦ୍ଧନାରୀଶ୍ୱର' ନାମରେ ଲୋକମାନଙ୍କ ମଧ୍ୟରେ ପ୍ରସିଦ୍ଧ ହେଲେ।
ସିଦ୍ଧିଦାତ୍ରୀଙ୍କ ସ୍ୱରୂପ:
ମାତା ସିଦ୍ଧିଦାତ୍ରୀ ହେଲେ ଚତୁର୍ଭୂତା। ସିଂହ ହେଉଛି ତାଙ୍କର ବାହନ। ତାଙ୍କର ଆସ୍ଥାନ ହେଉଛି ପଦ୍ମ ଫୁଲ। ସେ ତାଙ୍କ ନିମ୍ନ ଡାହାଣ ହାତରେ ଗଦା ଓ ବାମରେ ହାତରେ ପଦ୍ମ ଫୁଲ ଧରିଥାନ୍ତି। ସେହିପରି ଉପର ଡାହାଣ ହାତରେ ଚକ୍ର ଧରିଥିବା ବେଳେ ବାମ ହାତରେ ଶଙ୍ଖ ଧରିଥାନ୍ତି। ମା’ଙ୍କର ଶାଢିର ରଙ୍ଗ ହେଉଛି ଲାଲ।
ପୌରାଣିକ କଥା:
ପୌରାଣିକ କଥାବସ୍ତୁ ଅନୁସାରେ ମା ଦୁର୍ଗାଙ୍କର ଏହି ରୂପ ସମସ୍ତ ଦେଦଦେବୀଙ୍କ ତେଜରୁ ପ୍ରକଟ ହୋଇଥିଲେ। କାହାଣୀରେ ଏହା ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ ରାକ୍ଷାସ ମହିଷାସୁରର ଅତ୍ୟାଚାର ଦ୍ୱାରା ସମସ୍ତ ଦେବତା ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁଙ୍କ ନିକଟରେ ପହଞ୍ଚିଲେ, ସେଠାରେ ଉପସ୍ଥିତ ଥିବା ସମସ୍ତ ଦେବଗଣଙ୍କଠାରୁ ଏକ ଅଦ୍ଭୁତ ତେଜ ଉତ୍ପନ୍ନ ହେଲା ଏବଂ ସେହି ତେଜରୁ ଏକ ଐଶ୍ୱରୀୟ ଶକ୍ତି ସୃଷ୍ଟି ହେଲା, ଯାହାକୁ ମା ସିଦ୍ଧିଦାତ୍ରୀ କୁହାଯାଏ।
from Latest Odisha News, Breaking News Today | Top Updates on Corona - OTV News https://ift.tt/miljB8t
No comments: