Maha Ashtami: ଦେବୀ ପାର୍ବତୀ କିପରି ହେଲେ ମହାଗୌରୀ Pramod Behera

ଭାରତର ପୁଲପଲ୍ଲୀରେ ଏବେ ନବରାତ୍ରୀର ମାହୋଲ। ଚାରିଆଡେ ଭକ୍ତିର ପରିବେଶ। ନବରାତ୍ରୀର ବିଭିନ୍ନ ଦିନରେ ଦେବୀଙ୍କର ବିଭିନ୍ନ ରୂପକୁ ପୂଜା କରାଯାଏ। ନବରାତ୍ରୀଙ୍କ ଅଷ୍ଟମ ଦିନରେ ମା’ ଦୁର୍ଗାଙ୍କ ଅଷ୍ଟମ ଶକ୍ତି ମା’ ମହାଗୌରୀଙ୍କୁ ପୂଜା କରାଯାଏ। ଦେବୀ ମହାଗୌରୀଙ୍କୁ ପୂଜା କରି ଭକ୍ତମାନଙ୍କର ସମସ୍ତ ପାପ ନାଶହୁଏ ଏବଂ ଶୁଭ ଫଳ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି।

ମହାଗୌରୀଙ୍କ ସ୍ୱରୂପ:

ମହାଗୌରୀଙ୍କ ପୋଷାକ ଏବଂ ଅଳଙ୍କାର ସବୁ ଧଳା। ମାତା ଧଳା ରଙ୍ଗକୁ ପସନ୍ଦ କରନ୍ତି ବୋଲି ବିଶ୍ୱାସ କରାଯାଏ। ପୂଜାରେ ମଧ୍ୟ ଧଳା ଜିନିଷ ଏବଂ ନୈବେଦ୍ୟ ମାତାଙ୍କୁ ପ୍ରଦାନ କରାଯାଏ। ଧଳା ରଙ୍ଗ ପ୍ରତି ମା’ଙ୍କର ଭଲପାଇବା ହେତୁ ତାଙ୍କୁ ଶ୍ୱେତାମ୍ବରଧରା ମଧ୍ୟ କୁହାଯାଏ।

ମାତାଙ୍କର ବାହାନ ହେଉଛି ବୃଷ ଏବଂ ତାଙ୍କର ଚାରି ବାହୁ ଥାଏ। ଉପର ଡାହାଣ ହାତ ଅଭୟ ମୁଦ୍ରା ଏବଂ ତଳ ହାତରେ ତ୍ରିଶୂଳ ଥାଏ। ଉପର ବାମ ହାତରେ ମା’ ଡମ୍ବରୁ ଧରିଥିବା ବେଳେ ତଳ ହାତ ଆଶୀର୍ବାଦ ମୁଦ୍ରାରେ ଥାଏ। ମା’ଙ୍କର ପୂରା ସ୍ଥିତି ବହୁତ ଶାନ୍ତ ଥାଏ।

ମହାଗୌରୀଙ୍କ କଥା:

ପୌରାଣିକ କାହାଣୀ ଅନୁଯାୟୀ ଭଗବାନ ଶିବଙ୍କୁ ସ୍ୱାମୀ ଭାବରେ ପାଇବା ପାଇଁ ମା କଠୋର ତପ କରିଥିଲେ। ତପ ସମୟରେ, ମାଆ ହଜାରେ ବର୍ଷ ପର୍ଯ୍ୟନ୍ତ ଉପବାସ ରଖିଥିଲେ। ଦେବୀଭାଗବତ ପୁରାଣ ଅନୁସାରେ ଦେବୀ ପାର୍ବତୀ ତପ ସମୟରେ କେବଳ କନ୍ଦମୂଳ, ଫଳ ଓ ପତ୍ର ଖାଉଥିଲେ। ପରେ କେବଳ ବାୟୁକୁ ଆହାର ଭାବେ ଗ୍ରହଣ କରି ତପ କରିବାକୁ ଲାଗିଲେ। ଯେଉଁ କାରଣରୁ ତାଙ୍କ ଶରୀର କଳା ହୋଇଯାଇଥିଲା।

ଯେତେବେଳେ ଭଗବାନ ଶିବ ମାତାଙ୍କର କଠୋର ତପରେ ସନ୍ତୁଷ୍ଟ ହେଲେ, ସେ ମାତାଙ୍କୁ ତାଙ୍କ ପତ୍ନୀ ଭାବରେ ଗ୍ରହଣ କଲେ ଏବଂ ଗଙ୍ଗାର ପବିତ୍ର ଜଳରେ ଶରୀରକୁ ଧୋଇ ତାଙ୍କୁ ଅତ୍ୟଧିକ ଉଜ୍ଜ୍ୱଳମୟ କରିଦେଲେ, ଯେଉଁ କାରଣରୁ ତାଙ୍କର କଳା ରଙ୍ଗ ଧଳା ହୋଇଗଲା। ଏହା ପରେ ମାତା ପାର୍ବତୀଙ୍କ ଏହି ରୂପକୁ ମହାଗୌରୀ ଭାବରେ ଜଣାଗଲା।

ଦ୍ୱିତୀୟ କିମ୍ବଦନ୍ତୀ:

ଅନ୍ୟ ଏକ ପୌରାଣିକ କାହାଣୀ ଅନୁଯାୟୀ, ସମସ୍ତ ରାକ୍ଷସମାନଙ୍କୁ କାଳରାତ୍ରୀ ରୂପରେ ହତ୍ୟା କରିବା ପରେ, ଭୋଳାନାଥ ଦେବୀ ପାର୍ବତୀଙ୍କୁ ମା’ କାଳି ବୋଲି କହି ଥଟ୍ଟା କରୁଥିଲେ। ମାଆ ଉତ୍ତେଜିତ ହୋଇ ନିଜ ରୂପକୁ ଫେରି ପାଇବା ପାଇଁ ଅନେକ ଦିନ ଧରି କଠୋର ତପସ୍ୟା କଲେ ଏବଂ ଭଗବାନ ବ୍ରହ୍ମାଙ୍କୁ ଅର୍ଘ୍ୟ ଅର୍ପଣ କଲେ।

ଦେବୀ ପାର୍ବତୀଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ ବ୍ରହ୍ମା ତାଙ୍କୁ ହିମାଳୟର ମାନସରୋବର ନଦୀରେ ସ୍ନାନ କରିବାକୁ ପରାମର୍ଶ ଦେଇଥିଲେ। ଭଗବାନ ବ୍ରହ୍ମାଙ୍କ ପରାମର୍ଶ କ୍ରମେ ମାତା ପାର୍ବତୀ ମାନସରୋବରରେ ସ୍ନାନ କଲେ। ଏହି ନଦୀରେ ସ୍ନାନ କରିବା ପରେ ମାତାର ରୂପ ଗୌର ହୋଇଗଲା। ତେଣୁ ମାତାଙ୍କର ଏହି ରୂପକୁ ମହାଗୌରୀ ବୋଲି କୁହାଗଲା।



from Latest Odisha News, Breaking News Today | Top Updates on Corona - OTV News https://ift.tt/MpFTj1V
Maha Ashtami: ଦେବୀ ପାର୍ବତୀ କିପରି ହେଲେ ମହାଗୌରୀ Pramod Behera Maha Ashtami: ଦେବୀ ପାର୍ବତୀ କିପରି ହେଲେ ମହାଗୌରୀ Pramod Behera Reviewed by SUBHENDU BARAL on October 21, 2023 Rating: 5

No comments:

Powered by Blogger.