ଲଘୁଚାପ ପ୍ରଭାବ, ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା : ୫ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି Kanak News
କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଜାରି । ୫ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡ଼ିକ ହେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଗବଡ଼, କେନ୍ଦୁଝର ଓ ସମ୍ବଲପୁର। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଏହି ୫ ଜିଲ୍ଲାରେ ୭୦ରୁ ୨୦୦ ମିମି ଯାଏ ବର୍ଷା ହୋଇପାରେ । ଏଣୁ ଏହିସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗତକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଥିବା ସୁଦୃଶ ଲଘୁଚାପ ବଳୟ ଗାଙ୍ଗେୟ ପଶ୍ଚିମବଙ୍ଗର ପଶ୍ଚିମ ଭାଗ ଓ ସଂଲଗ୍ନ ଝାଡ଼ଖଣ୍ଡ ଅଞ୍ଚଳରେ ରହିଛି ।
ରାଜ୍ୟର ଉପରୋକ୍ତ ୫ ଜିଲ୍ଲା ଛଡ଼ା ବରଗଡ଼, ସୋନପୁର, ବଲାଙ୍ଗୀର, ଅନୁଗୁଳ, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାଜନିତ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏଥିସହ ଉପକୂଳ ଓଡ଼ିଶା ସମେତ ରାଜ୍ୟର ଅବଶିଷ୍ଟ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଅନ୍ୟପଟେ ଦେଶରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଜାରି ରହିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଜମ୍ମୁ-କଶ୍ମୀର-ଲଦାଖ୍-ଗିଲ୍ଗିଟ୍-ବାଲ୍ତିସ୍ଥାନ-ମୁଜାଫର୍ବାଦ୍, ହିମାଞ୍ଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମ ଉତ୍ତରପ୍ରଦେଶ ଓ ରାଜସ୍ଥାନର ଅବଶିଷ୍ଟ ଅଞ୍ଚଳ ଏବଂ ପଶ୍ଚିମ ମଧ୍ୟପ୍ରଦେଶ ଓ ଗୁଜରାଟର କିଛି କିଛି ଅଞ୍ଚଳରୁ ମୌସୁମୀ ଫେରିଯିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି ।
The post ଲଘୁଚାପ ପ୍ରଭାବ, ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା : ୫ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି first appeared on Kanak News.
from Kanak News https://ift.tt/dt79LHD https://ift.tt/ULm2Q9J
No comments: