ମହିଳା ସଂରକ୍ଷଣ ବିଲକୁ ରାଜ୍ୟସଭାର ମୋହର । କାଲି ଲୋକସଭା ପରେ ଆଜି ରାଜ୍ୟସଭାରେ ପାସ ହୋଇଛି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଧେୟକ । ଏ ବିଲକୁ ଆଜି ସଂସଦର ଉଚ୍ଚ ସଦନରେ ଦିନ ତମାମ ଚର୍ଚ୍ଚା ହୋଇଥିଲା। ଶେଷରେ ଭୋଟିଂ ବେଳେ ବିଲ ସପକ୍ଷରେ ୨୧୫ ଭୋଟ ପଡ଼ିଥିବାବେଳେ ବିପକ୍ଷରେ କେହି ବି ଭୋଟ୍ ଦେଇନଥିଲେ ।
ରାଜ୍ୟସଭାରେ ଆଲୋଚନାବେଳେ ଆଜି ବିଲକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେପି ଓ କଂଗ୍ରେସ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା । ବିରୋଧୀଙ୍କ ଦାବି ଥିଲା ଯେ, ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଥିବା ଏହି ବିଲରେ ଓବିସି ଓ ଏସସି-ଏସଟି ବର୍ଗଙ୍କୁ ବି ସାମିଲ କରାଯାଉ । ସେହିଭଳି ଏହି ବିଲ ଆଇନରେ ପରିଣତ ହେବା ପରେ ଏହାକୁ କେବେ ଲାଗୁ କରାଯିବ, ତାକୁ ବି ନେଇ ବିତର୍କ ହୋଇଥିଲା । ଗତକାଲି ମଧ୍ୟ ଲମ୍ବା ବିତର୍କ ପରେ ଲୋକସଭାରେ ବିପୁଳ ଭୋଟରେ ପାରିତ ହୋଇଥିଲା ଐତିହାସିକ ମହିଳା ସଂରକ୍ଷଣ ବିଲ୍ ।
ଲୋକସଭାରେ ବିଲ୍ ସପକ୍ଷରେ ୪୫୪ ଭୋଟ୍ ମିଳିଥିବା ବେଳେ ବିପକ୍ଷରେ ମାତ୍ର ୨ଟି ଭୋଟ୍ ପଡ଼ିଥିଲା । ଏହି ବିଲ ଆଇନରେ ପରିଣତ ହେଲେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିଶ୍ଚିତ ହେବ । ସେପଟେ ସଂସଦର ଉଭୟ ଗୃହରେ ବିଲ ପାସ ହେବା ପରେ ମହିଳାଙ୍କ ଆତ୍ମବିଶ୍ୱାସ ବଢ଼ାଇବାକୁ ଏହି ବିଲ୍ ବାଟ କଢାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
from Latest Odisha News, Breaking News Today | Top Updates on Corona - OTV News https://ift.tt/kEQuZ8z
No comments: