ଆଜିଠୁ ଫାଇଭ୍ ଟି ସଚିବଙ୍କ ୩ଦିନିଆ ଗଞ୍ଜାମ ଗସ୍ତ : ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର କରିବେ ସମୀକ୍ଷା; ଏପଟେ ଖୋଲା ଚ୍ୟାଲେଞ୍ଜ ଦେଲେ ପ୍ରଦୀପ ପାଣିଗ୍ରାହୀ Kanak News
କନକ ବ୍ୟୁରୋ : ଆଜିଠୁ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ । ସଚିବଙ୍କ ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଳାର ବିଭିନ୍ନ ସ୍ଥାନରେ ପ୍ରାୟ ୨୦ଟି କାର୍ଯ୍ୟକ୍ରମରେ ସାମିଲ ହେବେ ସଚିବ । ତିନି ଦିନିଆ ଗସ୍ତରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ ଫାଇଭ୍-ଟି ସଚିବ । କିନ୍ତୁ ସଚିବଙ୍କ ଏହି ଗସ୍ତକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ରାଜ୍ୟର ୨୭ରୁ ଅଧିକ ଜିଲ୍ଲା ଗସ୍ତ କରିବା ପରେ ଗଞ୍ଜାମ ଗସ୍ତରେ ଯାଉଛନ୍ତି ଫାଇଭ ଟି- ସଚିବ । ସଚିବଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ପାଣ୍ଡିଆନଙ୍କ ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଳା ରାଜନୀତି ଚଳଚଞ୍ଚଳ କରି ଦେଇଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ସଚିବଙ୍କ ଗସ୍ତର ଗୋଟିଏ ଦିନ ପୂର୍ବରୁ ରାଜଧାନୀରେ ପ୍ରେସମିଟ୍ କରି ବର୍ଷିଛନ୍ତି । ଚ୍ୟାଲେଞ୍ଜ ଦେଇ କହିଛନ୍ତି, ସେ ସଚିବଙ୍କ ସଭାସ୍ଥଳକୁ ଯିବେ । ତାଙ୍କ ଯିବା ବାଟରେ ଯଦି କିଛି ଅଘଟଣ ଘଟେ ତେବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ।
ବିଧାୟକ କହିଛନ୍ତି, ଗତ ଅଗଷ୍ଟ ୧୬ତାରିଖରୁ ୨୩ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀ, ମୁଖ୍ୟସଚିବ, ଉନ୍ନୟନ କମିସନର, ଗୃହ ସଚିବ, ପୁଲିସ ଡିଜି, ଗଞ୍ଜାମ ଜିଲ୍ଲାପାଳଙ୍କୁ ସେ ଏକ ଚିଠି ଲେଖିଥିଲେ। ଏହାର ଉତ୍ତର ମିଳିନି। ନିୟମ ଅନୁସାରେ, ବିଧାୟକଙ୍କ ଚିଠିର ତୁରନ୍ତ ଉତ୍ତର ଦେବାକୁ ସରକାରୀ ଅଧିକାରୀ ବାଧ୍ୟ। ହେଲେ ଦେଢ଼ବର୍ଷ ହେଲା ଗଞ୍ଜାମ ଜିଲ୍ଲାପାଳଙ୍କୁ ଯାହା ଚିଠି ଲେଖିଲେ ବି ଉତ୍ତର ମିଳୁନାହିଁ ।
ଏପରିକି ୨୦୨୦ ପର୍ଯ୍ୟନ୍ତ ମୁଁ ବିଧାୟକ ପାଣ୍ଠିରେ ଯେଉଁ ଅନୁଦାନ ମାଗୁଥିଲି ତାହା ୧୫ଦିନରେ ମଞ୍ଜୁର ହୋଇଯାଉଥିଲା । ଗତ ତିନି ବର୍ଷ ହେଲା ଟଙ୍କାଟିଏ ଦେଉନାହାନ୍ତି। ଗଞ୍ଜାମର ବାକି ୧୨ବିଧାୟକଙ୍କ ପାଇଁ ଜିଲ୍ଲାପାଳଙ୍କର ଗୋଟିଏ ନିୟମ ଓ ମୋ ପାଇଁ ଗୋଟିଏ ନିୟମ କେମିତି ? ବିଜେଡି ମୋତେ ବହିଷ୍କାର କରିଛି। ହେଲେ ମୁଁ ତ ଏବେବି ବିଧାୟକ ଅଛି। ମୋ ନିର୍ବାଚନ ମଣ୍ଡଳୀର ଲୋକଙ୍କର କ’ଣ ଦୋଷ ଯେ ସେମାନଙ୍କ ଉନ୍ନତି ପାଇଁ ଟଙ୍କା ଦିଆଯିବନି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।
କେବଳ ପ୍ରଦୀପ ପାଣିଗ୍ରାହୀ ନୁହଁନ୍ତି ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ସଚିବଙ୍କ ଗସ୍ତକୁ ଜୋରଦାର ବିରୋଧ କରାଯିବ ବୋଲି କୁହାଯାଇଛି । ସହରର ବିଭିନ୍ନ ସ୍ଥାନରେ ଫାଇଭ-ଟି ସଚିବଙ୍କ ଗସ୍ତକୁ ବିରୋଧ କରି କାନ୍ଥ, ପାଚେରୀରେ ବିଭିନ୍ନ ଲେଖା ଲେଖାଯାଇଥିବା ଦେଖିବାକୁ ମିଳିଛି । ତେବେ ପ୍ରଶାସନ ପକ୍ଷରୁ ଏହି ଲେଖାକୁ ଲିଭା ଯାଉଥିବା ଦେଖିବାକୁ ମିଳିଛି ।
The post ଆଜିଠୁ ଫାଇଭ୍ ଟି ସଚିବଙ୍କ ୩ଦିନିଆ ଗଞ୍ଜାମ ଗସ୍ତ : ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର କରିବେ ସମୀକ୍ଷା; ଏପଟେ ଖୋଲା ଚ୍ୟାଲେଞ୍ଜ ଦେଲେ ପ୍ରଦୀପ ପାଣିଗ୍ରାହୀ first appeared on Kanak News.
from Kanak News https://ift.tt/BAXraMJ https://ift.tt/NcDipnz
No comments: