ଆଜିକାଲି ମହୁମାଛି ପାଳିବା ଏକ ଶୌକ ହୋଇଯାଇଛି ଯାହା ଅନେକ ଚାଷୀ, ବଗିଚା ପ୍ରେମୀ ଏବଂ ମହୁମାଛି ପାଳକଙ୍କୁ ଆକର୍ଷିତ କରୁଛି। ତେବେ ଆଜି ‘ବିଶ୍ୱ ମହୁମାଛି ଦିବସ’ରେ ଆସନ୍ତୁ ମହୁମାଛି ବିଷୟରେ ଅଧିକ କିଛି ଜାଣିବା ଏବଂ କିପରି ମହୁମାଛି ଚାଷ କରାଯାଏ ତାହାର ଟିପ୍ସ ନେବା।
ବ୍ୟବସାୟ ଦୃଷ୍ଟିକୋଣରୁ ମଧ୍ୟ ମହୁମାଛି ପାଳନର ଗୁରୁତ୍ୱ ରହିଛି। ମହୁମାଛି ଫେଣାର ଯତ୍ନ ଏବଂ ମହୁମାଛି ପରିଚାଳନାକୁ ମହୁମାଛି ପାଳନ କୁହାଯାଏ। ଏଥିରୁ ମହୁ ସଂଗ୍ରହ ହେଉ କି ଫଳ ଏବଂ ପନିପରିବା ଫୁଲର ପରାଗଣ ପାଇଁ କିମ୍ବା ଏକ ଶୌକ ଭାବରେ ଏହା କରାଯାଏ।
ପାଳନ ଓ ଉଦ୍ୟୋଗ:
ଜଙ୍ଗଲରୁ ମହୁ ସଂଗ୍ରହ ଦୀର୍ଘ ଦିନ ଧରି ରହିଆସିଛି। ମହୁମାଛି ଫୁଲରୁ ରସ ନେଇ ମହୁରେ ପରିଣତ କରି ଏହାକୁ ମହୁଫେଣାରେ ରଖେ। ମହୁ ଏବଂ ଏହାର ଉତ୍ପାଦଗୁଡିକର ବଢୁଥିବା ବଜାର ସମ୍ଭାବନା ହେତୁ ମହୁମାଛି ଏକ ଉଦ୍ୟୋଗ ଭାବରେ ଉଭା ହେଉଛି।
ମହୁମାଛି ପାଳନ ପାଇଁ ମହୁଫେଣା, ଧୂଆଁ କରିବା ଯନ୍ତ୍ର, କପଡା, ଛୁରୀ, ପର ଏବଂ ଦିଆସିଲ୍ ଦରକାର ହୋଇଥାଏ। ଫେଣା ହେଉଛି ଏକ ସାଧାରଣ ଲମ୍ବା ବାକ୍ସ ଯାହା ଉପରେ ଅନେକ ସ୍ଲେଟ୍ ଥାଏ। ବାକ୍ସ ପ୍ରାୟ ୧୦୦ ସେମି ଲମ୍ବ, ୪୫ ସେମି ଚଉଡା ଏବଂ ୨୫ ସେମି ଉଚ୍ଚ ହେବା ଉଚିତ। ବାକ୍ସଟିରେ କିଛି କଣା ରହିବା ଉଚିର ଯାହା ମାଧ୍ୟମରେ ଆଲୋକ ପ୍ରବେଶ କରୁଥିବ।
ରାଣୀ ମହୁମାଛିକୁ ଆଣି ଏଥିରେ ରଖାଯାଏ ଯାହା ଅନ୍ୟ ମହୁମାଛିଙ୍କୁ ଆକର୍ଷିତ କରିବ। ମହୁଫେଣା ହେବା ପର୍ଯ୍ୟନ୍ତ ଅଧା କପ୍ ଉଷୁମ ପାଣିରେ ଅଧା କପ୍ ଚିନି ମିଶାଇ କିଛି ସପ୍ତାହ ମହୁମାଛିଙ୍କୁ ଖାଇବାକୁ ଦିଅନ୍ତୁ। ସପ୍ତାହକୁ ଥରେ ଏହାର ନିରୀକ୍ଷଣ କରନ୍ତୁ।
ମହୁମାଛି ପାଳନର ଫାଇଦା:
ମହୁମାଛି ପାଳନରେ କମ୍ ସମୟ ଓ କମ ଅର୍ଥ ବିନିଯୋଗ ହୋଇଥାଏ। ସ୍ୱଳ୍ପ ଜାଗାରେ ଏହି ଚାଷ କରି ଭଲ ରୋଜଗାର ମଧ୍ୟ କରିହେବ।
ମହୁମାଛି ପାଳନ ପରିବେଶ ପାଇଁ ମଧ୍ୟ ଖୁବ ଫଳପ୍ରଦ। ଏମାନେ ଅନେକ ଫୁଲର ପରାଗଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଏହାଦ୍ୱାରା ସୂର୍ଯ୍ୟମୁଖୀ ଏବଂ ବିଭିନ୍ନ ଫଳ ପରି କେତେକ ଫସଲର ଅମଳ ବୃଦ୍ଧି ପାଇଥାଏ।
ମହୁ ଏକ ସ୍ୱାଦିଷ୍ଟ ଏବଂ ଅତ୍ୟଧିକ ପୁଷ୍ଟିକର ଖାଦ୍ୟ। ମହୁ ଶିକାରର ପାରମ୍ପାରିକ ପଦ୍ଧତି ଅନେକ ବଣୁଆ ମହୁମାଛିଙ୍କୁ ନଷ୍ଟ କରିଦିଏ। ତେବେ ମହୁମାଛିଙ୍କୁ ବାକ୍ସରେ ପାଳମ ଏବଂ ଘରେ ମହୁ ଉତ୍ପାଦନ କରି ଏହାକୁ ରୋକାଯାଇପାରିବ।
from Latest Odisha News, Breaking News Today | Top Updates on Corona - OTV News https://ift.tt/YdEN3bS
No comments: