ଆଜି ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ଦିଲ୍ଲୀରେ କ୍ୟାପିଟାଲ୍ ଫାଉଣ୍ଡେସନ୍ ସଂସ୍ଥା ପକ୍ଷରୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପାଇବା ପରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭୁବନେଶ୍ୱରରେ ଦଳର ବିଶାଳ ରାଲି କାର୍ଯ୍ୟକ୍ରମ ରହିଛି।ଏଥିଲାଗି ହୋଇଛି ଖାସ୍ ଆୟୋଜନ। ଦିଲ୍ଲୀରେ ଗ୍ରାଣ୍ଡ ସେଲିବ୍ରେସନ୍ ପରେ ଆଜି ଭୁବନେଶ୍ୱରେ ଶକ୍ତି ପ୍ରଦର୍ଶନ କରିବ ଶଙ୍ଖ।
ଏୟାରପୋର୍ଟରୁ ନବୀନ ନିବାସ ଯାଏଁ ଛାଇ ଗଲାଣି ନବୀନଙ୍କ ବଡ଼ବଡ଼ ହୋଡିଂ। ପ୍ରସ୍ତୁତ ହୋଇଛି ମଂଚ। ଆୟୋଜନରେ ଯେମିତି କିଛି କମ୍ ରହିନଯାଏ ତାର ତଦାରଖ କରୁଛି ବିଜେଡିର ଏକ ଟିମ୍। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲୋକଙ୍କୁ ରାଜଧାନୀକୁ ଆଣିବା ପାଇଁ ବିଧାୟକମାନଙ୍କୁ ଦିଆଯାଇଛି ଦାୟିତ୍ୱ। ୨୦୧୮ରେ ନବୀନ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ଯେଉଁଭଳି ରାଲି କରାଯାଇଥିଲା, ଠିକ୍ ସେହି ଢାଞ୍ଚାରେ ଏଥର ବି ବଡ଼ ଆୟୋଜନ କରିଛିି ଦଳ।
ମୁଖ୍ୟମନ୍ତ୍ରୀ ଆଜି ଫେରୁଥିବାବେଳେ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ନବୀନଙ୍କ କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟକ ଲୋକଙ୍କ ସମାଗମ ହେବା ଅନୁମାନ କରାଯାଉଥିବାରୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ୫୦ ହଜାରରୁ ଅଧିକ ଲୋକ ଆସିବା ଅନୁମାନ କରୁଛି ପୋଲିସ। ସେଥିଲାଗି ଭିଡ଼ ନିୟନ୍ତ୍ରଣ ଲାଗି ସବୁ ଛକରେ ପୋଲିସ ଜଗିବ।
ସ୍ବତନ୍ତ୍ର ଟ୍ରାଫିକ୍ ସହ ପାର୍କିଂ ବ୍ୟବସ୍ଥା କରାଯାଇଛି। ସେଥିଲାଗି ବିମାନଯାତ୍ରା କରୁଥିବା ଲୋକଙ୍କୁ ଆଗୁଆ ଆସିବାକୁ ଏୟାରପୋର୍ଟ ଅଥରିଟିକୁ କୁହାଯାଇଛି। ଅନ୍ୟ ବିମାନରେ ଯିବାକୁ ଥିବା ଯାତ୍ରୀ ୩ ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ପହଂଚିବେ। ଆଇନଶୃଙ୍ଖଳା ଦାୟିତ୍ୱରେ ୮ ଡିସିପିଙ୍କ ସହ୧୬ ଏସିପି ଏବଂ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ଏ ନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ।
ମୁଖ୍ୟମନ୍ତ୍ରୀଙ୍କ ବିଶାଳ ସ୍ବାଗତ କାର୍ଯ୍ୟକ୍ରମକୁ ନେଇ ରାଜନୀତି ସରଗରମ ହୋଇଛି। ମୁଖ୍ୟମନ୍ତ୍ରୀଙ୍କୁ ପୁରସ୍କାର ମିଳିବା ଗୋଟିଏ ପ୍ରାୟୋଜିତ କାର୍ଯ୍ୟକ୍ରମ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଏ ପୁରସ୍କାର ଦେଲା କିଏ ରାଜ୍ୟ ସରକାର ଦେଇଛନ୍ତି ନା କେନ୍ଦ୍ର ସରକାର ନା ଜାତିସଂଘ। ଦିଲ୍ଲୀରେ ଏମିତି ଅନେକ ସଂସ୍ଥା ଅଛନ୍ତି, ଯେଉଁମାନେ ପୁରସ୍କାର ଦେଇଥାନ୍ତି। ସେ ଆହୁରି କହିଛନ୍ତି ଯେ, ଆଜି ଯାଏ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇ ପାରିଲେ ନାହିଁ ସରକାର।
୨୨ ବର୍ଷ ଧରି ଶାସନ କଲାପରେ ଶିକ୍ଷକ ଦେଇପାରିଲେ ନାହିଁ କି ଡାକ୍ତର ଦେଇପାରିଲେନି ତା ହେଲେ ଏହା କଣ ସଫଳତା କି ବୋଲି ନରସିଂହ ପ୍ରଶ୍ନ ଉଠାଇଛନ୍ତି। ସେହିପରି ବିଜେପି ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ମଧ୍ୟ ପୁରସ୍କାରକୁ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି କହିଛନ୍ତି। ୨୦୨୪ରେ କିପରି ନିର୍ବାଚନ ଜିତିବେ, ସେଥିଲାଗି ବିଜେଡିର ଏ ପ୍ରସ୍ତୁତି ବୋଲି ସେ କହିଛନ୍ତି। ତେବେ ବିଜେଡିର ଯୁକ୍ତି ଯେ, ସେ ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଖାଦ୍ୟ ନିରାପତ୍ତା ହେଉ କି ଦାରିଦ୍ର୍ୟ ଦୂରୀକରଣ। ସବୁ କ୍ଷେତ୍ରରେ ରାଜ୍ୟ ସରକାର ସଫଳ ହୋଇଛନ୍ତି। ଆଉ ସରକାରର ନେତୃତ୍ୱ ନବୀନ ପଟ୍ଟନାୟକ ନେଉଥିବାରୁ ଏଭଳି ଏକ ସେଲିବ୍ରେସନ କରାଯାଉଛି ବୋଲି ସେ କହିଛନ୍ତି।
from Latest Odisha News, Breaking News Today | Top Updates on Corona - OTV News https://ift.tt/AdcOi5D
No comments: