ସାଧାରଣ ଲୋକଙ୍କ ସୁବିଧା ପାଇଁ ସରକାର ଫାଇଭ୍-ଟି ବ୍ୟବସ୍ଥା କରିଛନ୍ତି । ଯାହାଦ୍ୱାରା ଲୋକମାନେ ଉପକୃତ ହୋଇପାରିବେ। କିନ୍ତୁ ଫାଇଭ-ଟିକୁ ବି ଅଧିକାରୀମାନେ ଫୁ କରି ଦେଉଛନ୍ତି।୨୦ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି, ସକାଳରୁ ସଞ୍ଜ ହେଲା, ପୁଣି ସକାଳ ହେଲା, କିନ୍ତୁ ପୋଲିସ ନଆସିବାରୁ ହୋଇପାରୁନି ଶବ ବ୍ୟବଚ୍ଛେଦ। ଏବେ ବି ମୃତଦେହ ସେମିତି ହସ୍ପିଟାଲ୍ରେ ପଡ଼ି ରହିଛି। ଆଉ ଅନ୍ତିମ ସଂସ୍କାର ହୋଇପାରିନି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଏଭଳି ଏକ ଦାୟିତ୍ୱହୀନ ଘଟଣା ଘଟିଛି।
ସୂଚନା ଅନୁସାରେ, ସର୍ପାଘାତରେ ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ତୋରଡାନାଳୀ ଗାଁର କୃଷ୍ଣ ବେହେରାଙ୍କ ମୃତ୍ୟୁ ହୋଇଛି। ଗାଁ ପାଖ ନାଳକୁ ସେ ମାଛ ଧରିବାକୁ ଯାଇଥିବା ବେଳେ ତାଙ୍କୁ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକ ତାଙ୍କୁ କାମାକ୍ଷାନଗର ମେଡିକାଲ୍ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର କୃଷ୍ଣଙ୍କୁ ମୃତ ଘୋଷଣା କରିଥିଲେ।
କୃଷ୍ଣଙ୍କର ମୃତ୍ୟୁ ଗୁରୁବାର ସକାଳ ପ୍ରାୟ ୧୧ଟା ସମୟରେ ହୋଇଥିବା ପରିବାର ଲୋକ କହିଛନ୍ତି। ତେବେ ଗତକାଲି ଦିନ ୧୧ଟାରୁ ଆଜି ସକାଳ ୮ଟା ହେଲାଣି ମୃତଦେହ ବ୍ୟବଚ୍ଛେଦ ହୋଇପାରିନାହିଁ। ଅନ୍ତିମ ସଂସ୍କାର ନହୋଇ ଶବ ସେମିତି ହସ୍ପିଟାଲ୍ରେ ପଡ଼ି ରହିଛି। ପୋଲିସ୍ ନଆସିବାରୁ ମୃତଦେହ ପୋଷ୍ଟମର୍ଟମ ହୋଇପାରୁନି। ଆମ କାମ ଆମେ ସାରି ଦେଇଛୁ ବୋଲି ମେଡିକାଲ୍ କର୍ତ୍ତୃପକ୍ଷ କହିଛନ୍ତି। ଖବର ଲେଖାଯିବା ସୁଦ୍ଧା ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
from Latest Odisha News, Breaking News Today | Top Updates on Corona - OTV News https://ift.tt/0gAvf7M
No comments: