ଦୃଢ ଇଛାଶକ୍ତି ଥିଲେ ଉପାୟ ଆପେଆପେ ଆସିଥାଏ ଆଉ ସଫଳତା ବି ମିଳିଥାଏ। ତା’ର ଅନେକ ଉଦାହରଣ ରହିଛି। ଆମ ସମାଜରେ ଏମିତି ଅନେକ ନାରୀ ଅଛନ୍ତି ଯେଉଁମାନେ କେବଳ ଗୃହିଣୀ ଭାବରେ ସାରା ଜୀବନ କଟାଇଦେଇଥାନ୍ତି, ଆଉ ଏମିତି ଅନେକ ନାରୀ କର୍ମଜୀବୀ ହେବା ସହିତ ଘରକାମ ବି ସମ୍ଭାଳିଥାନ୍ତି। କିନ୍ତୁ ଆମ ଭିତରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ କେବଳ ଅହରହ ସଂଘର୍ଷ କରି ଜୀବନଗାଡିକୁ ଆଗକୁ ବଢାଇଥାନ୍ତି, କିଛି ଭିନ୍ନ କାମ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥାନ୍ତି। ସେମିତି ଜଣେ ନାରୀ ହେଲେ ଶୁଭାରାଣୀ ଦାଶ। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ।
ଖେଳ ପଡିଆରୁ ଖବରକାଗଜ ବିତରଣ.. ଏ ଯାତ୍ରା ଏକ ଲମ୍ବା ଯାତ୍ରା। ଯାହା ଭିତରେ ରହିଛି ବଂଚିବା ପାଇଁ ସଂଘର୍ଷର କଥା ଆଉ ନିଜ ପରିବାରକୁ ସ୍ୱାବଲମ୍ବୀ କରାଇବାର ପ୍ରତିଶ୍ରୁତି। ଦାରିଦ୍ର୍ୟର କଷଣ ଭିତରେ ଦୀର୍ଘ ବର୍ଷ ଧରି ପେସିହୋଇ ଆଗକୁ ବଢିଥିବା ନାରୀମାନଙ୍କ ମଧ୍ୟରେ ଉଦାହରଣ ସାଜିଛନ୍ତି ଶୁଭାରାଣୀ। ପରିସ୍ଥିତି ସହ ଲଢିବାର ଶକ୍ତି ଏବଂ ପାରିବାରିକ ଏକତା ତାଙ୍କୁ ଶିଖାଇଛି ବଂଚିବାର ସହଜ ଓ ସରଳ ଉପାୟ। ସେଥିପାଇଁ ତ ସେ ଆଜି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ।
ଜୀବନ ଜୀବିକାକୁ ନେଇ ବେଶ ତତ୍ପର ଶୁଭାରାଣୀ ଦାଶ। ରାତି ନ ପାହୁଣୁ ପହଂଚି ଯାଇଥାନ୍ତି ଖବର କାଗଜର ପେଣ୍ଠସ୍ଥଳ ରାଜଧାନୀ ଭୁବନେଶ୍ୱରସ୍ଥିତ ମାଷ୍ଟର କ୍ୟାଣ୍ଟିନ୍ ପାଖରେ। ଗରାଖମାନଙ୍କ ଖବର ଚାହିଦାକୁ ଦୃଷ୍ଟିରେ ରଖି ଧାଡିରେ ଛିଡା ହୋଇ ବିଭିନ୍ନ ଖବରକାଗଜ ସଂଗ୍ରହ କରିଥାନ୍ତି ସେ, ଆଉ ତାପରେ ଆରମ୍ଭ ହୋଇଯାଏ ଶୁଭାରାଣୀଙ୍କ କସରତ। ଘର ଘର ବୁଲି ବେଶ୍ ଯତ୍ନର ସହିତ ବିତରଣ କରିଥାନ୍ତି ତାଜା ତାଜା ଖବର। ଖରା, ବର୍ଷା, ଶୀତକୁ ଖାତିର ନ କରି ପ୍ରିତିଦିନ ଭୋର୍ରୁ କାମରେ ଲାଗି ପଡନ୍ତି ଶୁଭାରାଣୀ। ସେ ଏ କାମ ଦୀର୍ଘ ବର୍ଷ ଧରି କରିଆସୁଛନ୍ତି।
ଶୁଭାରାଣୀଙ୍କ ପିଲାଦିନ ଥିଲା ଖୁବ୍ ସଂଘର୍ଷମୟ। ଦିନେ ପଡିଆରେ ଖୋକୋ ଖେଳୁ ଖେଳୁ ଫୁଟ୍ବଲ୍କୁ ଆଦରି ନେଇଥିଲେ। ଏହା ପରେ ସେ ବନିଯାଇଥିଲେ ଓଡ଼ିଶାର ପ୍ରଥମ ମହିଳା ଫୁଟବଲ୍ ଖେଳାଳି। ଧୀରେ ଧୀରେ ନିଜର ଉଦ୍ୟମ ଏବଂ ଅଭ୍ୟାସ ବଳରେ ଜାତୀୟ ମହିଳା ଫୁଟ୍ବଲ୍ ଟିମ୍ରେ ମଧ୍ୟ ସାମିଲ ହୋଇଥିଲେ ଶୁଭାରାଣୀ।
ପରବର୍ତ୍ତୀ ସମୟରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଶୁଭାରାଣୀ, ତଥାପି ସ୍ଥିତିରେ ହେଲାନି କୌଣସି ପରିବର୍ତ୍ତନ। ତାପରେ ଆରମ୍ଭ ହେଲା ଏକ ଭିନ୍ନ ସଂଘର୍ଷର କାହାଣୀ। ପରିସ୍ଥିତି ତାଙ୍କୁ ଅନେକ ଗୁଣର ଅଧିକାରୀ ହେବାର ବାଟ ଦେଖାଇଲା ଆଉ ଜଟିଳ ପରିସ୍ଥିତିରେ ସଠିକ୍ ନିଷ୍ପତି ନେଇ ସ୍ୱାବଲମ୍ବୀ ହେବାର ବାଟ ପାଇଗଲେ ଶୁଭାରାଣୀ।
କିଛି କରି ଦେଖାଇବାର ଇଛାଶକ୍ତି ଯୋଗୁଁ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି ଶୁଭାରାଣୀ। ନିଜ କର୍ମପ୍ରବଣତାରେ ଆଜି ନିଜ ପରିବାରର ଆର୍ଥିକ ବୋଝକୁ ହାଲୁକା କରିବା ସହିତ ପରିବାରର ଗୁରୁଦାୟିତ୍ୱ ଏବେ ଶୁଭାରାଣୀଙ୍କ ଉପରେ। ମୂଳରୁ ତାଙ୍କ ସ୍ୱାମୀଙ୍କ ପେସା ଥିଲା ଖବର କାଗଜ ବିତରଣ କରିବା। ସ୍ୱାମୀଙ୍କ ଦେହ ଅସୁସ୍ଥ ସମୟରେ ଦୁଇଝିଅ ଏବଂ ସ୍ୱାମୀଙ୍କ ପାଇଁ ଏକମାତ୍ର ସାହାରା ପାଲଟିଛନ୍ତି ଶୁଭାରାଣୀ।
ଖବର କାଗଜ ବିତରକ ଶୁଭାରାଣୀ ଦାଶ କିନ୍ତୁ ଏବେବି ପଡିଆରେ ଫୁଟ୍ବଲ୍ ଖେଳ ଦେଖିଲେ ସେ ଯେମିତି ଅଥୟ ହୋଇପଡନ୍ତି ଆଉ ପିଲାମାନଙ୍କ ସହିତ ପଡିଆକୁ ବି ଓହ୍ଲାଇ ପଡନ୍ତି। ଏମିତିକି ସେମାନଙ୍କ ସହିତ ସମୟ ବିତାଇଥାନ୍ତି ଆଉ ଫୁଟ୍ବଲ୍ ଖେଳର କଳା ଓ କୌଶଳ ମଧ୍ୟ ଶିଖାଇଥାନ୍ତି।
ଯେତେ କଷ୍ଟ ହେଉ ପଛକେ କୌଣସି କାମରେ କେବେବି ସେ ପଛଘୁଞ୍ଚା ଦେଇନାହାନ୍ତି ବରଂ ପରିବାର ଚଳାଇବା ପାଇଁ ଘରଘର ବୁଲି ଟିୟୁସନ କରନ୍ତି। ଅଧିକ ରୋଜଗାର ପାଇଁ ସିଲେଇ କରିବା, ଘଷି ତିଆରି କରିବା, ଏମିତିକି କାଗଜ ଠୁଙ୍ଗା ତିଆରି କରି ବିକ୍ରି ମଧ୍ୟ କରିଛନ୍ତି। ଶୁଭାରାଣୀଙ୍କ କାନ୍ଧକୁ ମଜଭୁତ କରିବାକୁ ଏବେ ଦୁଇ ଝିଅ ତାଙ୍କୁ ସହଯୋଗ କରୁଛନ୍ତି। ପରିବାରର ସବୁ ସଦସ୍ୟ ଏକ ମନ ଓ ପ୍ରାଣରେ ଖବର କାଗଜ ବିତରଣରେ ଲାଗିପଡିଛନ୍ତି।
ଶୁଭାରାଣୀଙ୍କ ସାନଝିଅ ମ୍ୟୁଜିକରେ ରୁଚି ରଖୁଥିବା ବେଳେ ବଡ ଝିଅ ଓଡିଶୀ ନୃତ୍ୟରେ ପାଦ ଦେଇଛନ୍ତି। ପ୍ରତିଟି କ୍ଷେତ୍ରରେ ନିଜ ମା’ଙ୍କ ପରିଶ୍ରମ ଆଉ କଷ୍ଟକୁ ଦେଖିଥିବା ଝିଅମାନେ ନିଜ ମା’ଙ୍କୁ ପ୍ରେରଣା ରୂପେ ପାଖରେ ପାଇଛନ୍ତି
ସମୟ ସୁଅରେ ଆଜି ବଦଳିଛି ପରିବାରର ସ୍ଥିତି ହଟିଯାଇଛି ଦୁଃଖର ସେହି କଳା ବାଦଲ। ଆଜି ଶୁଭାରାଣୀଙ୍କ ପରିବାର ଭିତରେ ଖୁସୀର ପରିବେଶ ଦେଖିବାକୁ ମିଳୁଛି। କଷ୍ଟକର ପରିସ୍ଥିତିରେ ହାରି ନ ଯାଇ ନିଜକୁ ସଶକ୍ତକରିବାର ଇଛାଶକ୍ତି ଆଜି ପୁରା ପରିବାର ପାଇଁ ସୁଫଳ ଆଣିଛି। ଏହି ସଫଳତାକୁ ନେଇ ପରିବାରର ସବୁ ସଦସ୍ୟ ଗର୍ବ ଅନୁଭବ କରନ୍ତି।
ପୂର୍ବତନ ମହିଳା ଫୁଟବଲ ଖେଳାଳି ଭାବରେ ସରକାରଙ୍କ ପକ୍ଷରୁ ମାସିକ କିଛି ଟଙ୍କା ଭତ୍ତା ଆକାରରେ ମିଳୁଛି ଶୁଭାରାଣୀଙ୍କୁ। ଏବେ ସ୍ୱାମୀଙ୍କ ଦେହ ସଂପୂର୍ଣ୍ଣ ଭାବେ ସୁସ୍ଥ ଆଉ ଦୁଇ ପାଠୁଆ ଝିଅଙ୍କ ପାରିଲାପଣିଆକୁ ଦେଖି ଖୁବ୍ ଆନନ୍ଦିତ ଶୁଭାରାଣୀ। ନିଜର କର୍ତ୍ତବ୍ୟନିଷ୍ଠା ଏବଂ ସମାଜସେବା ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ଶୁଭାରାଣୀଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି।
ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା, ହାରିବା ଶିଖିନାହାନ୍ତି ଶୁଭରାଣୀ। ଅବିରତ ସଙ୍ଘର୍ଷ କରି ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି ସେ, ଯେଉଁଥିପାଇଁ ସେ ଆଜି ଅନ୍ୟମାନଙ୍କ ପାଇଁ ବନିଛନ୍ତି ପ୍ରେରଣା।
from Latest Odisha News, Breaking News Today | Top Updates on Corona - OTV News https://ift.tt/SDJwrVz
Reviewed by SUBHENDU BARAL
on
August 07, 2022
Rating:
No comments: