ସ୍ୱପ୍ନକୁ ସତ କରିବାର ପ୍ରୟାସ ଓ ଦୃଢ ଇଛାଶକ୍ତି ଆଗକୁ ବଢିବାର ବାଟ ଦେଖାଇଥାଏ। ନିଷ୍ଠା, ଅଧ୍ୟବସାୟ ଓ ପରିଶ୍ରମ ଅଣିଦେଇଥାଏ ସଫଳତା। ଆଉ ତାପରେ ମିଳିଥାଏ ସମ୍ନାନ ଏବଂ ପ୍ରତିଷ୍ଠା। ମା, ମାଟି ଓ ତା’ର କଳା ଓ ସଂସ୍କୃତିକୁ ନେଇ ସବୁବେଳେ ଗର୍ବ କରିଥାଏ ଏ ମଣିଷ। କେତେବେଳେ ବିଲୁପ୍ତ କଳାର ପୁନରୁଦ୍ଧାର ପାଇଁ ସେ ସଂଘର୍ଷ କରିଥାଏ ତ କେବେ ତା’ର ପ୍ରଚାର ଓ ପ୍ରସାର ପାଇଁ ଅହରହ ଉଦ୍ୟମ କରିଚାଲିଥାଏ।
ସବୁରି ପଛରେ ଥାଏ କଳା ପ୍ରତି ତା’ର ଶ୍ରଦ୍ଧା ଓ ଭଲ ପାଇବା। ସୁଯୋଗ ପାଇଲେ ନିଜ ପ୍ରତିଭାର ବିକାଶ କରିବା ସହିତ ଅଭିଜ୍ଞତାକୁ ମଧ୍ୟ କାମରେ ଲଗାଇଥାଏ ଅଜିର ନାରୀ। ସେମିତି ଜଣେ ନାରୀ ହେଲେ ନୃତ୍ୟଗୁରୁ ରୂପଶ୍ରୀ ମହାପାତ୍ର। ତେବେ ଆସନ୍ତୁ ନଜର ପକେଇବା ସେଇ ପ୍ରେରଣାଦାୟୀ ନାରୀଙ୍କ କାହାଣୀ ଉପରେ।
ମାହାରୀ ନୃତ୍ୟଶିଳ୍ପୀ ଭାବରେ ପାଦ ଥାପିବା ପରେ ଅନେକ ବାଧାବିଘ୍ନର ସାମ୍ନା କରିଛନ୍ତି ରୂପଶ୍ରୀ। କିନ୍ତୁ ମନରେ ଥିଲା ଅନେକ ଆଶା ଓ ଆକାଂକ୍ଷା କେମିତି ଗୁରୁମାନଙ୍କୁ ଦେଇଥିବା ବଚନ ରକ୍ଷାକରିବେ ଆଉ ମାହାରୀ ନୃତ୍ୟକଳାକୁ ଆଗକୁ ନେବେ। ସେଥିପାଇଁ ସବୁବେଳେ କର୍ମତତ୍ପର ଥାନ୍ତି ରୂପଶ୍ରୀ। ତେବେ ନିଜର ଅଧ୍ୟବସାୟ, ଗୁରୁମାନଙ୍କ ପ୍ରତି ଥିବା ଶ୍ରଦ୍ଧା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରେ ଥିବା ଅତୁଟ ବିଶ୍ୱାସ, ତାଙ୍କୁ ଏ କ୍ଷେତ୍ରରେ ଆଗକୁ ବଢିବାରେ ସାହାସ ଯୋଗାଇଥିଲା।
ମାହାରୀ ନୃତ୍ୟ ହେଉଛି ଜଗନ୍ନାଥ ସଂସ୍କୃତି ଓ ପରଂପରାର ଏକ ଅଂଶବିଶେଷ। ମାହାରୀର ଅର୍ଥ ହେଉଛି ମହାନ ନାରୀ। ମାହାରୀ ପ୍ରଥାରୁ ଓଡ଼ିଶୀ ନୃତ୍ୟ ଜନ୍ମ ନେଇଛି ବୋଲି ଅନେକ ମତଦିଅନ୍ତି। ମାହାରୀ ନୃତ୍ୟ ଏବଂ ଦେବଦାସୀ ପ୍ରଥା ଅଙ୍ଗାଙ୍ଗୀ ଭାବେ ଜଡିତ। ସମୟଚକ୍ରରେ ଶ୍ରୀମନ୍ଦିରରେ ଦେବଦାସୀ ପ୍ରଥାର ପ୍ରଚଳନ ସିନା ବନ୍ଦ ହୋଇଯାଇଛି କିନ୍ତୁ ବିଭିନ୍ନ ମଞ୍ଚରେ ଏହି ମହାନ ପରଂପରାକୁ ଏବେବି ବଜାୟ ରଖିଛନ୍ତି ରୂପଶ୍ରୀ।
ମାହାରୀ ନୃତ୍ୟ ଭିତରେ ନିଜକୁ ହଜାଇ ଦେଇଥାନ୍ତି ରୂପଶ୍ରୀ। କହିବାକୁ ଗଲେ ଏ ନୃତ୍ୟ ହେଉଛି ତାଙ୍କର ନିଶ୍ୱାସ ଓ ପ୍ରଶ୍ୱାସ। ଏହି ନୃତ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବା ତଥା ଏହାର ପ୍ରଚାର ଓ ପ୍ରସାର ପାଇଁ ପୂରା ଦମ୍ରେ ସେ ଲାଗିପଡିଛନ୍ତି। ପୁରୀ, ଭୁବନେଶ୍ୱର ଏବଂ ସୁଦୂର କେରଳରେ ଥିବା ତାଙ୍କର ଅନୁଷ୍ଠାନ ମାହାରୀ ନୃତ୍ୟର କେନ୍ଦ୍ରସ୍ଥଳୀ ଭାବରେ କାମକରୁଛି, ଆଉ ଏହି ନୃତ୍ୟଶିକ୍ଷା ପ୍ରତି ଯୁବପିଢି ବି ବେଶ ଆଗ୍ରହ ଦେଖାଉଛନ୍ତି। ଏ ଧାରାରେ ରୂପଶ୍ରୀଙ୍କ ଝିଅ ଦେବରୂପା ମଧ୍ୟ ମା’ଙ୍କର ପଦାଙ୍କ ଅନୁକରଣ କରୁଛନ୍ତି।
ଦୃଢ ଇଛାଶକ୍ତି ଏବଂ ପ୍ରଚେଷ୍ଟା ବଳରେ ନାରୀ କିଛି ବି କରିପାରେ ତା’ର ବଡ଼ ଉଦାହରଣ ସାଜିଛନ୍ତି ନୃତ୍ୟଗୁରୁ ରୂପଶ୍ରୀ ମହାପାତ୍ର। ଉଭୟ ଓଡ଼ିଶୀ ଏବଂ ମାହାରୀ ନୃତ୍ୟଗୁରୁ ଭାବରେ ଓଡିଶା ପାଇଁ ସେ ଗର୍ବ ଓ ଗୌରବ ଆଣିପାରିଛନ୍ତି ଆଉ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି।
ମହାନ ଜଗନ୍ନାଥ ସଂସ୍କୃତି ଓ ପରଂପରାକୁ ଆଗକୁ ନେବାରେ ଜଣେ ଆଗଧାଡିର ପୃଷ୍ଠପୋଷକ ଭାବେ କାର୍ଯ୍ୟ କରୁଛନ୍ତି ନୃତ୍ୟଗୁରୁ ରୂପଶ୍ରୀ। ସେଥିପାଇଁ ସେ ଆମ ରାଜ୍ୟର ଗର୍ବ ଓ ଗୌରବ ବନିପାରିଛନ୍ତି। ଯଦି ପ୍ରତ୍ୟେକ ନାରୀ ନିଜ ଭିତରେ ଥିବା ଆତ୍ମବିଶ୍ୱାସ ଏବଂ ସାହାସକୁ କାର୍ଯ୍ୟରେ ଲଗାଇପାରନ୍ତି, ସେ ବି ବନିପାରିବେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ।
from Latest Odisha News, Breaking News Today | Top Updates on Corona - OTV News https://ift.tt/x142EI0
Reviewed by SUBHENDU BARAL
on
August 16, 2022
Rating:
No comments: