ଭାରତର ସ୍ୱାଧୀନତାର ୭୫ ବର୍ଷ ଅବସରରେ ସାରା ଦେଶ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛି। ସମଗ୍ର ଦେଶରେ ସମସ୍ତେ ଏହି ସ୍ୱାଧୀନତା ଉତ୍ସବକୁ ନିଜ ସ୍ତରରେ ଏବଂ ଉପାୟରେ ପାଳନ କରୁଛନ୍ତି। ଏହି ଅବସରରେ ଭାରତକୁ ସ୍ୱାଧୀନତା ଦେଇଥିବା ଅମର ସହିଦମାନଙ୍କୁ ସ୍ମରଣ କରାଯାଉଛି। ବ୍ରିଟିଶ ଦାସତ୍ୱର ଶିକୁଳିରୁ ଦେଶକୁ ଉଦ୍ଧାର କରିବା ପାଇଁ ରାଜା ମହାରାଜାଙ୍କ ସମୟରେ ଅନେକ ସ୍ୱାଧୀନତା ସଂଗ୍ରାମୀ ସାମିଲ ଥିଲେ। କିନ୍ତୁ ୧୮୫୭ର ବିପ୍ଳବ ପରେ ସ୍ୱାଧୀନ ଭାରତର ସ୍ୱପ୍ନ ଅଧିକ ଶକ୍ତିଶାଳୀ ହୋଇଥିଲା।
ବ୍ରିଟିଶ ନୀତି ବିରୋଧରେ ନରମପନ୍ଥୀ ସମେତ ଚରମପନ୍ଥୀମାନେ ମୁଣ୍ଡ ଟେକିଲେ। ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କ ପରି ସ୍ୱାଧୀନତା ସଂଗ୍ରାମୀମାନେ ଦେଶ ମା’ ପାଇଁ ହସି ହସି ଫାଶୀକୁ କୋଳେଇ ନେଲେ। ଏହି ସମସ୍ତ ବୀରମାନଙ୍କ ଗାଥା ଆଜି ବି ଲୋକଙ୍କ ଶିରାରେ ରକ୍ତ ଫୁଟାଇଥାଏ। ସେହି ସମୟରେ ଦେଶରେ ଏପରି ଅନେକ ମହିଳା ଥିଲେ, ଯେଉଁମାନେ ସ୍ୱାଧୀନତାର ନିଆଁରେ ଘିଅ ଢାଳିଥିଲେ। ଏହି ବୀରାଙ୍ଗନା ବା ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଦେଶ ସ୍ୱାଧୀନତା ପାଇଁ ପୁରୁଷଙ୍କ ସହ କାନ୍ଧ ମିଳାଇ ଶତ୍ରୁ ସହ ଲଢିଥିଲେ। ଆସନ୍ତୁ ସେମାନଙ୍କ ଉପରେ ନଜର ପକେଇନେବା।
ରାଣୀ ଲକ୍ଷ୍ମୀବାଇ:
ଯଦି ଜଣେ ମହିଳା ବିପ୍ଳବୀଙ୍କ କଥା ଉଠେ ତେବେ ପ୍ରଥମେ ମନକୁ ଆପେ ଆପେ ଆସିଯାଏ ଝାନ୍ସୀ ରାଣୀ ଲକ୍ଷ୍ମୀ ବାଇଙ୍କ କଥା। ଦେଶର ପ୍ରଥମ ମହିଳା ବିପ୍ଳବୀ ରାଣୀ ଲକ୍ଷ୍ମୀ ବାଇ ନିଜ ମାଟି ଏବଂ ପୁଅର ସୁରକ୍ଷା ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢିଥିଲେ। ପିଠିରେ ପୁଅ ଏବଂ ହାତରେ ଖଣ୍ଡା ଧରି ଶହ ଶହ ବ୍ରିଟିଶ ସୈନ୍ୟକୁ ମାରୁ ଯୁଦ୍ଧ ଭୂମିରେ ଗଡେଇ ଦେଇଥିଲେ। ବ୍ରିଟିଶ ରାଜ୍ ବିରୋଧରେ ଲଢି ଶେଷରେ ସହିଦ ହୋଇଯାଇଥିଲେ।
ଦୁର୍ଗାବତୀ ଦେବୀ:
ଦୁର୍ଗାବତୀ ଦେବୀ ଇତିହାସରେ ଦୁର୍ଗା ଭାବୀ ନାମରେ ଜଣାଶୁଣା। ଭଗତ ସିଂ, ସୁଖଦେବ ଏବଂ ରାଜଗୁରୁଙ୍କ ପରି ଦୁର୍ଗା ଭାବୀଙ୍କୁ ଦେଶ ପାଇଁ ଫାଶୀ ଦିଆଯାଇ ନଥାଇପାରେ କିନ୍ତୁ ସେ ସେମାନଙ୍କ କାନ୍ଧରେ କାନ୍ଧ ମିଶେଇ ସ୍ୱାଧୀନତା ସଂଗ୍ରାମକୁ ଲଢିଥିଲେ। ସେମାନଙ୍କ ପ୍ରତ୍ୟେକ ଆକ୍ରମଣାତ୍ମକ ଯୋଜନାର ଏକ ଅଂଶ ହୋଇଥିଲେ। ଦୁର୍ଗା ଭାବୀ ବୋମା ତିଆରି କରିବା ମଧ୍ୟ ଶିଖିଥିଲେ। ଯେତେବେଳେ ଦେଶର ବୀରପୁତ୍ରମାନେ ବ୍ରିଟିଶ ସହ ଲଢିବା ନେଇ ଘରୁ ବାହାରକୁ ଆସୁଥିଲେ ସେ ସେମାନଙ୍କୁ ଟୀକା ଲଗେଇ ବିଜୟ ପଥରେ ପଠାଉଥିଲେ। ତାଙ୍କୁ ଗୁଲାମ ଭାରତର ଆଇରନ୍ ଲେଡି କୁହାଯାଇପାରେ।
ସୁଚେତା କୃପାଳାନୀ:
୧୯୦୮ ମସିହାରେ ହରିୟାଣାର ଅମ୍ବାଲାରେ ଜନ୍ମଗ୍ରହଣ କରିଥିବା ସୁଚେତା କୃପାଳାନୀ ସ୍ୱାଧୀନ ଭାରତର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ଜଣାଶୁଣା। ସେ ଦେଶ ସ୍ୱାଧୀନତା ପାଇଁ ମଧ୍ୟ ଆନ୍ଦୋଳନରେ ଭାଗ ନେଇଥିଲେ। ଭାରତ ଛାଡ ଆନ୍ଦୋଳନ ସମୟରେ ସେ ପ୍ରଥମ ମୋର୍ଚ୍ଚାରେ ଠିଆ ହୋଇଥିଲେ। ଦେଶକୁ ବ୍ରିଟିଶମାନଙ୍କ ଦାସତ୍ୱରୁ ମୁକ୍ତ କରିବା ପାଇଁ ସେ ସ୍ୱର ଉତ୍ତୋଳନ କରିଥିଲେ। ଭାରତ ବିଭାଜନ ସମୟରେ ଦଙ୍ଗାରେ ମହାତ୍ମା ଗାନ୍ଧୀଙ୍କ ସହ ମିଶି ସୁଚେତା ମଧ୍ୟ କାମ କରିଥିଲେ।
କସ୍ତୁରବା ଗାନ୍ଧୀ:
ସ୍ୱାଧୀନତା ସଂଗ୍ରାମରେ ଅହିଂସା ପଥ ଅନୁସରଣ କରି ମହାତ୍ମା ଗାନ୍ଧୀ ଦେଶକୁ ସ୍ୱାଧୀନତା ଦେବା ପାଇଁ ଲଢୁଥିଲେ। କସ୍ତୁରବା ଗାନ୍ଧୀ ତାଙ୍କ ପ୍ରତ୍ୟେକ ପଦକ୍ଷେପରେ ବାପୁଙ୍କ ପାଦକୁ ଅନୁସରଣ କରୁଥିଲେ। ସେ ସ୍ୱାଧୀନତା ପାଇଁ ଭୁଲିଗଲେ ଯେ ମହାତ୍ମା ଗାନ୍ଧୀ ତାଙ୍କ ସ୍ୱାମୀ ଥିଲେ। ସେ ବାପୁଙ୍କ ସହ ପତି ଧର୍ମ ବଦଳରେ ତାଙ୍କ ଶକ୍ତି ହୋଇ ତାଙ୍କୁ ସଂଘର୍ଷ କରିବା ନେଇ ସାହସ ଯୋଗେଇ ଚାଲିଲେ। ଏକ ଧନୀ ପରିବାରର ଝିଅ ମହାତ୍ମା ଗାନ୍ଧୀଙ୍କ ସହିତ ଆଶ୍ରମରେ ରହିବାକୁ ଲାଗିଲେ। ନିଜ କାମ ପାଇଁ ସେ ପ୍ରତ୍ୟେକ ଦେଶବାସୀଙ୍କ 'ବା' ହୋଇଗଲେ।
ବିଜୟ ଲକ୍ଷ୍ମୀ ପଣ୍ଡିତ:
ବିଜୟ ଲକ୍ଷ୍ମୀ ପଣ୍ଡିତ ଏକ ସମ୍ଭ୍ରାନ୍ତ ପରିବାରର ଥିଲେ। ସେ ଜବାହରଲାଲ ନେହରୁଙ୍କ ଭଉଣୀ ଥିଲେ ମଧ୍ୟ ଦେଶ ପାଇଁ ସ୍ୱାଧୀନତା ସଂଗ୍ରାମକୁ ଡେଇଁଥିଲେ। ଆନ୍ଦୋଳନରେ ଭାଗ ନେଇଥିବାରୁ ତାଙ୍କୁ ଜେଲ୍ ଯିବାକୁ ପଡିଥିଲା କିନ୍ତୁ ସେ ଡରି ନଥିଲେ। ବିଜୟ ଲକ୍ଷ୍ମୀ ପଣ୍ଡିତ
ଭାରତୀୟ ରାଜନୀତି ଇତିହାସରେ ପ୍ରଥମ ମହିଳା ମନ୍ତ୍ରୀ ହୋଇଥିଲେ। କେବଳ ଏତିକି ନୁହେଁ ସେ ମିଳିତ ଜାତିସଂଘର ପ୍ରଥମ ମହିଳା ମୁଖ୍ୟ ତଥା ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରଦୂତ ମଧ୍ୟ ହୋଇଥିଲେ।
from Latest Odisha News, Breaking News Today | Top Updates on Corona - OTV News https://ift.tt/iujBsdT
No comments: