‘ମୋତେ ଟିକେ ସାହାଯ୍ୟ କରନ୍ତୁ ସାର୍…ମୁଁ ପାଠ ପଢିବାକୁ ଚାହୁଁଛି’ । ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା କେନ୍ଦୁଝରର କୁନି ଝିଅ ସୁଭଦ୍ରା ନାଏକ । ସୋସିଆଲ୍ ମିଡିଆରେ ଭାଇରାଲ ହେଲା ଚିଠି । Kanak News
କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାର୍…ମୋର ପ୍ରଣାମ ନେବେ…ମୁଁ ସୁଭଦ୍ରା ନାଏକ । ବୟସ ମାତ୍ର ୧୭ ବର୍ଷ । ଏ ଚିଠି ଲେଖିବାର କାରଣ ଏହି କି ଯେ, ମୋ ପ୍ରକୃତ ବାପା ମାଆ କିଏ ମୁଁ ଜାଣିନି । ମୁଁ ଯେତେବେଳେ ଅଢେଇ ମାସର ହେଇଥିଲି, ସେତେବେଳେ କେନ୍ଦୁଝର ପାଟଣା ବ୍ଲକର ବିଜୟ ନାଏକ ମୋତେ ଆଣି ପାଳିଥିଲେ । ଆଉ ଆଜି ପର୍ଯ୍ୟନ୍ତ ତାଙ୍କର ପରିଚୟରେ ମୁଁ ବଞ୍ଚିଆସୁଛି ।ମୋତେ ପରିଚୟ ଦେଇଥିବା ପିତା ମାତା ୩ ବର୍ଷ ତଳେ ଆଗ ପଛ ହେଇ ଚାଲିଗଲେ । ମୁଁ ଏବେ ବଡ କଷ୍ଟରେ ଜୀବନ ଜିଉଛି ସାର୍ । ବିଲବାଡିରେ କାମ କରି କରି ୨୦୨୧ରେ ମୁଁ ମାଟ୍ରିକ ପାସ୍ କରିଛି । ଏବେ ଏଇ ଭଙ୍ଗା ଦଦରା ଘରେ ମୋ ସମୟ କଟୁଛି । ଆଉ ରାତି ହେଲେ ପଡୋଶୀଙ୍କ ଘରେ ମୁଁ ମୁଣ୍ଡ ଗୁଞ୍ଜୁଛି । ମୁଁ ପଢିବାକୁ ଚାହୁଁଛି ସାର୍, ମୋତେ ସାହାଯ୍ୟ କରନ୍ତୁ । ମୋତେ ସହାୟତା ଟିକେ ଦିଅନ୍ତୁ ।
ଏ ଚିଠିର କେଇ ପଦ କଥା ହିଁ, ସୁଭଦ୍ରା ମନର ଦୁଃଖ, ଯନ୍ତ୍ରଣା ଆଉ ତା ଜୀବନର ଅଭାବୀ ପଣକୁ ବଖାଣି ଦେଉଛି । ଏ ଅନାଥ ଝିଅ ଆଖିରେ କେତେ ସ୍ୱପ୍ନ ସାଇତା ହେଇ ରହିଛି ଆଉ କେତେ ଯେ ଆଶା ତା ମନରେ ଏବେ ବି ବସା ବାନ୍ଧି ବସିଛି । ତା ବୋଧେ ସୁଭଦ୍ରା ନିଜେ ବି ଜାଣିନି ।
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ମଲ୍ଲିପଶି ଗାଁ । ଆଉ ଏ ଭଙ୍ଗା ଦଦରା ଟାଇଲ୍ ଘର । ପ୍ରଧାନମନ୍ତ୍ରୀଙ୍କୁ ଆବେଗଭରା ଚିଠି ଲେଖିଥିବା କୁନି ଝିଅ ସୁଭଦ୍ରା ନାଏକର ଠିକଣା କହିଲେ, ବାସ୍ ଏତିକି ହେବ । ଏଇ ଭଙ୍ଗା ଘରେ ହିଁ ସୁଭଦ୍ରା ଦିନ କାଟୁଛି । ଅଭାବ, ଅସୁବିଧା ଭିତରେ ତା ସମୟ ବିତୁଛି । ତେବେ ଜୀବନକୁ ଜିଉ ଜିଉ, ଯେତେବେଳେ ସହିବାର ସୀମା ଟପିଯାଇଛି, ପାଠ ପଢା ମଝିରେ ଅଭାବ ଅସୁବିଧା ପାହାଡ ହେଇ ଠିଆ ହେଇଛନ୍ତି । ସେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ଏମିତି ଚିଠି ଲେଖିଛି କୁନି ଝିଅ ସୁଭଦ୍ରା ନାଏକ ।
ସୁଭଦ୍ରାର ଯେତେବେଳେ ନବମ ଶ୍ରେଣୀ ପରୀକ୍ଷା ଦେଉଥିଲା, ସେତେବେଳେ ବାପା ବିଜୟ ନାଏକ, ସବୁଦିନ ପାଇଁ ତା ହାତ ଛାଡି ଆରପାରିକୁ ଚାଲିଯାଇଥିଲେ । ମା ରମି ନାଏକ ବି ସୁଭଦ୍ରାକୁ ପର କରି କିଛି ଦିନ ପରେ ଆଖି ବୁଜିଦେଲେ । ଏବେ ଏତେ ବଡ ଦୁନିଆରେ ସୁଭଦ୍ରା ପୂରାପୂରି ଏକୁଟିଆ । ଦିନେ ଖାଇଲେ ଦି ଓଳି ଉପାସ ରହିବାକୁ ପଡୁଛି । ବିଲ କାମ ନକଲେ ଭୋକରେ ଶୋଇବାକୁ ପଡୁଛି ।
ଦର୍ଶକ ବନ୍ଧୁ…କିଛି ଦିନ ତଳେ ଆମେ ବାଲେଶ୍ୱର ରେମୁଣାର ସୁଭଦ୍ରା ପଣ୍ଡାଙ୍କ କାହାଣୀ ଦେଖେଇଥିଲୁ । ଯିଏ ପାଠ ପଢିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହିତ ସାହାଯ୍ୟ ଭିକ୍ଷା କରିିଥିଲେ । ଆଉ ଏବେ କେନ୍ଦୁଝର ପାଟଣାର ସୁଭଦ୍ରା ନାଏକ ମଧ୍ୟ ସେଇ ସମାନ କଥା ଦୋହରେଇଛନ୍ତି । ତେବେ ଏ ସବୁ ଭିତରେ କେବେ ସୁଭଦ୍ରାକୁ ସାହାଯ୍ୟ ମିଳୁଛି । କେବେ ତା ସ୍ୱପ୍ନ ସତ ହେଉଛି । ଆଉ ତା ଭଙ୍ଗା ଦଦରା ଘର କେବେ ସଜାଡିହେଉଛି, ତାହା ଦେଖିବାକୁ ବାକି ରହିଲା ।
The post ‘ମୋତେ ଟିକେ ସାହାଯ୍ୟ କରନ୍ତୁ ସାର୍…ମୁଁ ପାଠ ପଢିବାକୁ ଚାହୁଁଛି’ । ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା କେନ୍ଦୁଝରର କୁନି ଝିଅ ସୁଭଦ୍ରା ନାଏକ । ସୋସିଆଲ୍ ମିଡିଆରେ ଭାଇରାଲ ହେଲା ଚିଠି । first appeared on Kanak News.
from Kanak News https://ift.tt/AJIQXjs https://ift.tt/B29dP4r
No comments: