
କନକ ବ୍ୟୁରୋ : ବିଶ୍ୱରେ ଦେଖାଦେଇପାରେ ଚାଉଳ ସଙ୍କଟ । ରୁଷ ୟୁକ୍ରେନ ଯୁଦ୍ଧ ପାଇଁ ଗହମ ସହିତ ଅନ୍ୟାନ୍ୟ ଦର ବଢିଛି । ଏବେ କିନ୍ତୁ ଚାଉଳ ଦର ବଢିବାକୁ ଯାଉଛି । ଦର ବଢିବା ପଛର ପ୍ରମୁଖ କାରଣ ଅଭାବୀ ବର୍ଷା ବୋଲି କୁହାଯାଉଛି । ଦେଶର ଅନେକ ଅଞ୍ଚଳରେ ବର୍ଷା ଅଭାବରୁ ଧାନ ବିହନ ବୁଣିବା ପ୍ରକ୍ରିୟା ପ୍ରଭାବିତ ହୋଇଛି । ଏହି କାରଣରୁ ଚାଉଳ ଉତ୍ପାଦନ କମିପାରେ । ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ବର୍ଷା ଅଭାବରୁ ଧାନ ବୁଣିବାରେ ୧୩ ପ୍ରତିଶତ ହ୍ରାସ ଘଟିଛି ।
ସେହିପରି ଛତିଶଗଡ ଓଡିଶା ଏବଂ ପଶ୍ଚିମବଙ୍ଗ ଭଳି ଚାଉଳ ଉତ୍ପାଦନକାରୀ ରାଜ୍ୟ ମଧ୍ୟ ବର୍ଷା ଅଭାବର ସାମ୍ନା କରୁଥିବା ଜଣାପଡିଛି । ଯଦି ଚାଉଳ ଉତ୍ପାଦନ କମ୍ ହେବ ତାହେଲେ ଘରୋଇ ବଜାରକୁ ନିୟନ୍ତ୍ରଣରେ ରଖିବା ପାଇଁ ଚାଉଳ ରପ୍ତାନି ଉପରେ ସରକାର ରୋକ ଲଗାଇପାରନ୍ତି । ଏହାଦ୍ୱାରା ଅନେକ ଦେଶରେ ଖାଦ୍ୟ ସଙ୍କଟ ଦେଖା ଦେଇପାରେ । ସମଗ୍ର ବିଶ୍ୱରେ ଚୀନ୍ ଏବଂ ଭାରତ ସର୍ବାଧିକ ଚାଉଳ ଉତ୍ପାଦନ କରନ୍ତି ।
କିନ୍ତୁ ରପ୍ତାନୀରେ ଭାରତ ଏକ ନମ୍ବର ରହିଛି । ବିଶ୍ୱ ବଜାରରେ ଚାଉଳ ରପ୍ତାନୀରେ ଭାରତର ଯୋଗଦାନ ୪୦ ପ୍ରତିଶତ ରହିଛି । ଗତ ଦୁଇ ସପ୍ତାହ ମଧ୍ୟରେ ବିଭିନ୍ନ କିସମର ଚାଉଳ ମୂଲ୍ୟ ୧୦ ପ୍ରତିଶତ ବୃଦ୍ଧି ପାଇଛି । ଚାଉଳ ଉତ୍ପାଦନ ହ୍ରାସ ହେଲେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ । ଯାହାକୁ ନେଇ ଆଗାମୀ ଦିନରେ ରାଜନୀତିକ ଏବଂ ଅର୍ଥନୀତିକ ସ୍ଥିରତା ଉପରେ ପ୍ରଭାବ ପକାଇପାରେ ।
The post ବିଶ୍ୱରେ ଦେଖାଦେଇପାରେ ଚାଉଳ ସଙ୍କଟ : ବର୍ଷା ଅଭାବ ଯୋଗୁଁ ଧାନ ବିହନ ବୁଣିବା ପ୍ରକ୍ରିୟା ପ୍ରଭାବିତ first appeared on Kanak News.
from Kanak News https://ift.tt/xwrvDPo https://ift.tt/FSXKOD3
No comments: