ଜଗନ୍ନାଥ ସଂସ୍କୃତିରେ କାହିଁକି ରହିଛି ୭ ସାହି Pramod Behera

ବିଚିତ୍ର ଜଗନ୍ନାଥଙ୍କ ପରମ୍ପରା। ଶ୍ରୀକ୍ଷେତ୍ରର ମାଟି ଗୋଡି ବି ଜଗନ୍ନାଥଙ୍କ ସହ ଜଡିତ। ସେଥିରୁ ବାଦ ବା ଯିବ କିପରି ସାହି ପରମ୍ପରା। ଶ୍ରୀକ୍ଷେତ୍ର ସଂସ୍କୃତିରେ ରହିଛି ୭ ସାହି। କ’ଣ ଏହି ୭ ସାହି? ସାହିରେ ଥିବା ଜାଗା ଘରଗୁଡିକ କିପରି ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ସେବା ସହ ଜଡ଼ିତ ଆସନ୍ତୁ ସେ ବିଷୟରେ ଜାଣିନେବା।

ପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ ପୁରାଣ ବର୍ଣ୍ଣିତ ଓ ସର୍ବଜନବିଦିତ। ଯୁଗେ ଯୁଗେ ଏହି କ୍ଷେତ୍ରର ସାଂସ୍କୃତିକ ପରମ୍ପରା ଉଣା ଅଧିକେ ସମଗ୍ର ଭାରତବର୍ଷକୁ ପ୍ରେରଣାସିକ୍ତ କରିଆସିଛି। ଏହାର ବେଶ ପୋଷାକ, ଚାଲିଚଳନ, ଯାତ୍ରା ଓ ପର୍ବପର୍ବାଣି ଇତ୍ୟାଦି ଭାରତ ବିଖ୍ୟାତ। ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ୭ ସାହି ମଧ୍ୟ ଶ୍ରୀଜଗନ୍ନାଥଙ୍କ ସେବା ଓ ପରମ୍ପରା ସହ ଅନେକାଂଶରେ ଜଡିତ।

ଶ୍ରୀମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟେକ୍ଷ ସେବା ସହିତ ବିଭିନ୍ନ ସାହିରେ ଥିବା ଜାଗା ଘର ଓ ଆଖଡ଼ାଗୁଡିକର ପ୍ରତ୍ୟକ୍ଷ ସମ୍ପର୍କ ରହିଛି। ପୂର୍ବେ ଦୁଆରି ଜାଗା ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ରୋଷ ଦ୍ୱାର ପାଖରେ ବେତ ଧରି ଅମୁଣିଆ ରସଦ୍ରବ୍ୟ ତନଖି କାର୍ଯ୍ୟ ନିର୍ବାହ କରାଯାଉଥିଲା। ମାଜଣା ଜାଗାକୁ ପ୍ରତି ଗୁରୁବାର ମଦନମୋହନ ଶ୍ରୀମନ୍ଦିରରୁ ଆସୁଥିଲେ ଏବଂ ଏଠାରେ ତାଙ୍କର ପନ୍ତିଭୋଗ ଅନୁଷ୍ଠିତ ହେଉଥିଲା।

ବର୍ତ୍ତମାନ ସମୟରେ ମଧ୍ୟ ଗୁରୁବାର ମାଜଣା ପାଇଁ ଏହି ଜାଗା ପକ୍ଷରୁ ଦହି, କଦଳୀ ଯୋଗାଇ ଦିଆଯାଇଥାଏ। ମାଳି ଜାଗା ପକ୍ଷରୁ ଶ୍ରୀମନ୍ଦିରକୁ ମାଳ, ଚୂଳ ଯୋଗାଇ ଦିଆଯାଉଥିଲା। ଶରଧାବାଲିର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ଏହି ଜାଗା ପକ୍ଷରୁ କରାଯାଉଥିଲା। ମଲ୍ଲୀଗଡ଼, ଜାଇଗଡ଼ ଏବଂ ଜୁଇଗଡ଼ ଜାଗା ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ସମୟରେ ପାଞ୍ଚକାଣ୍ଡିଆ ଟାହିଆ ଯୋଗାଇ ଦିଆଯାଉଥିଲା।

ଗଣେଶ ଗୁରୁଜ ଜାଗାର ଭେଣ୍ଡିଆମାନଙ୍କ ଦ୍ୱାରା ରଥଯାତ୍ରା ସମୟରେ ଚାରମାଳ ବନ୍ଧା କାର୍ଯ୍ୟ ସମ୍ପନ୍ନ ହେଉଥିଲା। ଏହା ଛଡ଼ା ଏହି ଜାଗାର ଭେଣ୍ଡିଆମାନଙ୍କ ଦ୍ୱାରା ତଥା କୁଣ୍ଢେଇବେଣ୍ଟ ସାହି ଆଖଡ଼ାକୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ପୁଷ୍ମରିଣୀ ବା ନରେନ୍ଦ୍ର ସରୋବର ପଙ୍କକଢା ଓ ପରିଷ୍କାର କରିବାର ଦାୟିତ୍ୱ ଅର୍ପଣ କରାଯାଇଥିବା ଜଣାପଡ଼େ। ଧନୁ ସଂକ୍ରାନ୍ତିରେ ଜାଗା ଆଖଡ଼ା ପକ୍ଷରୁ ବଡ଼ ବଡ଼ ଆକାରର ଧନୁ ମୁଆଁ ଶ୍ରୀଜଗନ୍ନାଥଙ୍କ ଠାରେ ଭୋଗ କରାଯାଏ। ପରେ ମହାପ୍ରସାଦ ସେବା ସହ ମୁଆଁକୁ କରତରେ କଟାଯାଇ ଖାଇବାକୁ ଦିଆଯାଏ। ଏହାକୁ ମୁଆଁଫିଟା ବୋଲି କୁହାଯାଏ।

ସେହିପରି ଶ୍ରୀମନ୍ଦିର ଉପରେ ବିଧର୍ମୀମାନଙ୍କ ଆକ୍ରମଣ କାଳରେ ଦେବଦାସୀମାନଙ୍କ ନୃତ୍ୟର ସାମାନ୍ୟ ଭଟ୍ଟା ପଡ଼ିଥିଲା ବେଳେ ସେହି ନୃତ୍ୟ ଆଧାରରେ ଆଖଡ଼ାଗୁଡିକରେ ଗୋଟିପୁଅ ନୃତ୍ୟର ପ୍ରାଣ ସଞ୍ଚାର ଘଟିଥିଲା। ତେଣୁ ପରୋକ୍ଷରେ ଗୋଟିପୁଅ ନୃତ୍ୟର ଏନ୍ତୁଡ଼ିଶାଳ ଭାବରେ ଆଖଡ଼ାଗୁଡିକୁ ସମ୍ମାନ ପ୍ରଦାନ କରାଯାଏ।

ସେହିପରି ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମାମାନଙ୍କୁ ନେଇ ଶ୍ରୀମନ୍ଦିର ବାହାରେ ହେଉଥିବା ପର୍ବପର୍ବାଣୀରେ ଜାଗା ଆଖଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ବୈଶାଖ ମାସର ୨୧ଦିନ ବ୍ୟାପୀ ଅନୁଷ୍ଠିତ ଚନ୍ଦନ ଯାତ୍ରା, ଜ୍ୟେଷ୍ଠ ମାସର ସ୍ନାନଯାତ୍ରା, ଆଷାଢର ରଥଯାତ୍ରା, ଝୁଲଣଯାତ୍ରା, ଗୋଷାଣୀ ଯାତ୍ରା ଆଦିରେ ଭେଣ୍ଡିଆମାନେ ପ୍ରତ୍ୟେକ୍ଷ ଭାବରେ ସଂପୃକ୍ତ ଥାଆନ୍ତି।

ବାସ୍ତବରେ ଜାଗା ଆଖଡ଼ା ଓ ଜାଗା ଆଖଡ଼ାର ଭେଣ୍ଡିଆମାନେ ଶ୍ରୀଜଗନ୍ନାଥଙ୍କ ସେବା ନୀତି ସହ ଯୋଡି ହେଇ ରହିଥାନ୍ତି।



from Latest Odisha News, Breaking News Today | Top Updates on Corona - OTV News https://otvkhabar.in/news/festivals-events/ratha-jatra/seven-sahi-in-jagannath-culture/93541
ଜଗନ୍ନାଥ ସଂସ୍କୃତିରେ କାହିଁକି ରହିଛି ୭ ସାହି Pramod Behera ଜଗନ୍ନାଥ ସଂସ୍କୃତିରେ କାହିଁକି ରହିଛି ୭ ସାହି Pramod Behera Reviewed by SUBHENDU BARAL on July 10, 2022 Rating: 5

No comments:

Powered by Blogger.